ଅପରେସନ ସିନ୍ଦୂରକୁ ନେଇ ସ୍ଥଗିତ ଥିବା ଆଇପିଏଲ ମ୍ଯାଚ୍ ଆଜିଠୁ ପୁଣି ଆରମ୍ଭ ହେଉଛି। ବେଙ୍ଗାଲୁରୁର ଚେନ୍ନାସ୍ୱାମୀ ଷ୍ଟାଡିଅମରେ ଆଜି ରୟାଲ ଚାଲେଞ୍ଜର୍ସ ସହ କୋଲକାତା ନାଇଟ ରାଇଡର୍ସ ଟିମ୍ ଲଢ଼େଇ ଦେଖିବାକୁ ମିଳିବ। ରାତି ସାଢ଼େ ୭ଟାରେ ଏହି ମ୍ୟାଚ୍ ଖେଳାଯିବ। ଏହି ମୁକାବିଲାର ସବୁଠୁ ବଡ଼ କଥା ହେଲା କି, ଭାରତର ପୂର୍ବତନ କ୍ୟାପଟେନ୍ ବିରାଟ କୋହଲି ପୁଣି ଥରେ ଫେରୁଛନ୍ତି। ଯିଏ ଏବେ ନିକଟରେ ଟେଷ୍ଟ କ୍ରିକେଟରୁ ସନ୍ୟାସ ନେଇସାରିଛନ୍ତି। ଫ୍ୟାନ୍ସଙ୍କ ଆଖି କୋହଲିଙ୍କ ପ୍ରଦର୍ଶନ ଉପରେ ଲାଖି ରହିଛି। ପ୍ରାୟ ୧୦ ଦିନ ଅନ୍ତରାଳରେ ଦୁଇ ଟିମ୍ ପୁଣି ନିଜ ନିଜର ତାକତ ଦେଖାଇବାକୁ ଯିବେ। ଆରସିବି ଏ ଯାଏଁ ୧୧ ଟି ମ୍ଯାଚରୁ ୧୬ ପଏଣ୍ଟ ହାସଲ କରିଥିଲା ବେଳେ ପଏଣ୍ଟସ ଟେବୁଲର ଦ୍ୱିତୀୟ ସ୍ଥାନରେ ଅଛି। ଏହି ମ୍ଯାଚରେ ଜିତିଲେ ପ୍ଲେ-ଅଫ ମ୍ୟାଚ୍ ରେ ନିଜ ସ୍ଥାନ ପକ୍କା କରିବ। ସେପଟେ ଡିଫେଣ୍ଡିଂ ଚାମ୍ପିଅନ କେକେଆର ପାଇଁ କର ବା ମର ସ୍ଥିତି। ୧୨ଟି ମ୍ୟାଚରେ ୧୧ ପଏଣ୍ଟ ହାସଲ କରିପାରିଥିବା କେକେଆର ପଏଣ୍ଟସ ଟେବୁଲର ଷଷ୍ଠ ସ୍ଥାନରେ ରହିଛି। ଯଦି ଆଉ ଏକ ମ୍ୟାଚ୍ ହାରେ, ତାହେଲେ ପ୍ଲେ-ଅଫ ମ୍ଯାଚରେ କେକେଆରର ଆଶା ପାଣି ଫୋଟକା ଭଳି ମିଳାଇଯିବ।

Naxatra News is now on Whatsapp
Join and get latest news update delivered to you via whatsapp
Join Now