ରଣଜୀରେ ଯାଦୁ ଦେଖାଇଲେ ରିଙ୍କୁ ସିଂ। ୧୭ ଚୌକା ଓ ୬ ଛକା ସହ ନିଜ କ୍ୟାରିଅରର ବେଷ୍ଟ ଖେଳିଛନ୍ତି ରିଙ୍କୁ। କ୍ୟାରିଅରରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ନିଜ ରଣଜୀ ଟିମ୍ ଉତ୍ତରପ୍ରଦେଶକୁ ୩ ପଏଣ୍ଟ ଦେବାରେ ସଫଳ ହୋଇଛନ୍ତି। ତାମିଲନାଡ଼ୁକୁ ଗୋଟିଏ ପଏଣ୍ଟ ମିଳିଛି। ତାମିଲନାଡ଼ୁ ବିରୁଦ୍ଧରେ ୧୭୬ ରନ୍ କରିଛନ୍ତି ରିଙ୍କୁ। ତାମିଲନାଡ଼ୁ କରିଥିବା ୪୫୫ ରନର ପିଛା କରି ରିଙ୍କୁ ଏଭଳି ଦମଦାର ପ୍ରଦର୍ଶନ କରିଛନ୍ତି। ୟୁପି ପ୍ରଥମ ପାଳିରେ ୪୬୦ ରନ୍ କରିଛି। ଏହି ବାମହାତୀ ବ୍ୟାଟ୍ସମ୍ୟାନ୍ ୨୪୭ ବଲ ଖେଳି ୧୭୬ ରନ୍ କରିଛନ୍ତି। ଏହା ରିଙ୍କୁଙ୍କ ଫାଷ୍ଟକ୍ଲାସ୍ କ୍ୟାରିଅରର ସର୍ବଶ୍ରେଷ୍ଠ ସ୍କୋର ଅଟେ। କୋଏମ୍ୱାଟୋରର ଶ୍ରୀରାମକୃଷ୍ଣ କଲେଜ ଅଫ ଆର୍ଟସ ଆଣ୍ଡ ସାଇନ୍ସ ଗ୍ରାଉଣ୍ଡରେ ରିଙ୍କୁ ଆଜି ଅପରାଜିତ ୯୮ ରନରୁ ନିଜର ସ୍କୋର ବଢାଇଥିଲେ। ବ୍ୟାଟ୍ସମ୍ୟାନ୍ ଶିବମ ଶର୍ମା ୨୨ରନ୍ କରିଛନ୍ତି। ତାଙ୍କ ସହ ରିଙ୍କୁ ୫୩ ରନ୍ ପ୍ରମୁଖ ଭାଗିଦାରୀ କରିଛନ୍ତି। ଏହା ପରେ କାର୍ତ୍ତିକ ଯାଦବ ୨୦ ରନ୍ କରିଥିଲେ। ଆଉ ରିଙ୍କୁ ଯେବେ ଆଉଟ୍ ହେଲେ, ସେତେବେଳେ ୟୁପି ତାମିଲନାଡ଼ୁକୁ ଟପିବାକୁ ଆଉ ୧୨ ରନ୍ ଜରୁରୀ ଥିଲା। ପରେ ଆକିବ୍ ଖାନ ଓ କୁଣାଳ ତ୍ୟାଗୀ ସ୍କୋରକୁ ୪୬୦ରେ ପହଞ୍ଚାଇଥିଲେ। ଫାଷ୍ଟ କ୍ଲାସ କ୍ୟାରିଅରରେ ଏହା ରିଙ୍କୁଙ୍କ ନବମ ଶତକ ଥିଲା ବେଳେ ଓଭରଅଲ ସମସ୍ତ ଫର୍ମାଟକୁ ଯୋଡ଼ି ଦେଖିଲେ ଏହା ତାଙ୍କ କ୍ୟାରିଅରର ଦଶମ ଶତକ।
Naxatra News is now on Whatsapp
Join and get latest news update delivered to you via whatsapp
Join Now