ରୋହିତ ଶର୍ମା ଧୋନିଙ୍କୁ ଅତିକ୍ରମ କରି ଅନ୍ତର୍ଜାତୀୟ କ୍ରିକେଟ୍ ରେ ହେଲେ ଭାରତର ପଞ୍ଚମ ସର୍ବାଧିକ ରନ୍ ସ୍କୋରର୍

Spread the love

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ରୋହିତ ଶର୍ମା ଅନ୍ତର୍ଜାତୀୟ କ୍ରିକେଟ୍ ରେ ଭାରତ ପାଇଁ ପଞ୍ଚମ ସର୍ବାଧିକ ରନ୍ ସ୍କୋରର ହୋଇଛନ୍ତି । ଏହି ପ୍ରସଙ୍ଗରେ ରୋହିତ କିମ୍ବଦନ୍ତି ଖେଳାଲି ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ପଛରେ ପକାଇଛନ୍ତି।

ପୋର୍ଟ ଅଫ୍ ସ୍ପେନରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତର ଦ୍ୱିତୀୟ ଟେଷ୍ଟ ସମୟରେ ରୋହିତ ଏହି ସଫଳତା ହାସଲ କରିଛନ୍ତି । ଏହି ମ୍ୟାଚରେ “ହିଟମ୍ୟାନ୍” ୧୪୩ ବଲରେ ନଅଟି ଚୌକା ଓ ଦୁଇଟି ଛକା ସହାୟତାରେ ଚମତ୍କାର ୮୦ ରନ୍ ସ୍କୋର କରିଥିଲେ।

ବର୍ତ୍ତମାନସୁଦ୍ଧା ରୋହିତ ୪୪୩ଟି ମ୍ୟାଚ୍‌ରେ ହାରାହାରି ୪୨.୯୨ ସହ ୧୭,୨୯୮ ରନ୍ ସଂଗ୍ରହ କରିଛନ୍ତି । ସେ ୪୬୩ଟି ଇନିଂସରେ ମୋଟ ୪୪ଟି ଶତକ ଏବଂ ୯୨ଟି ଅର୍ଦ୍ଧଶତକ ସ୍କୋର କରିଛନ୍ତି । ସେଥିମଧ୍ୟରେ ୨୬୪ ତାଙ୍କର ସର୍ବଶ୍ରେଷ୍ଠ ସ୍କୋର ।

ଅନ୍ତର୍ଜାତୀୟ କ୍ରିକେଟରେ ରୋହିତ ସୌରଭ ଗାଙ୍ଗୁଲି (୪୨୧ ମ୍ୟାଚରେ ୧୮,୪୩୩ ରନ୍), ରାହୁଲ ଦ୍ରାବିଡ (୫୦୪ମ୍ୟାଚରେ ୨୪,୦୬୪ ରନ୍), ବିରାଟ କୋହଲି (୫୦୦ ମ୍ୟାଚରେ ୨୫,୪୮୪ ରନ୍) ଏବଂ ସଚିନ ତେନ୍ଦୁଲକର (୬୬୪ ମ୍ୟାଚରେ ୩୪,୩୫୭ ରନ୍)ଙ୍କ ପରେ ଭାରତର ପଞ୍ଚମ ସର୍ବାଧିକ ରନ୍ ସ୍କୋରର ହୋଇଛନ୍ତି । ଧୋନି ୫୩୫ ମ୍ୟାଚରେ ହାରାହାରି ୪୪.୭୪ ସହ ୧୭,୦୯୨ ରନ୍ ସଂଗ୍ରହ କରିଥିବାବେଳେ ରୋହିତ ତାଙ୍କୁ ପଛରେ ପକାଇଛନ୍ତି । ଧୋନି ୧୫ଟି ଶତକ ସହ ୧୦୮ଟି ଅର୍ଦ୍ଧଶତକ ହାସଲ କରିଛନ୍ତି, ଯେଉଁଥିରେ ୨୨୪ ହେଉଛି ତାଙ୍କର ଶ୍ରେଷ୍ଠ ସ୍କୋର ।

ରୋହିତ ୫୨ ଟି ଟେଷ୍ଟରେ ଭାରତର ପ୍ରତିନିଧିତ୍ୱ କରି ହାରାହାରି ୪୬.୪୧ ସହ ୩,୬୨୦ ରନ୍ ସ୍କୋର କରିଛନ୍ତି । ସେ ୮୭୨ ଇନିଂସରେ ୧୦ଟି ଶତକ ଏବଂ ୧୫ ଟି ଅର୍ଦ୍ଧଶତକ ଅର୍ଜନ କରିଛନ୍ତି, ଯେଉଁଥିରେ ୨୧୨ ହେଇଛି ତାଙ୍କର ଶ୍ରେଷ୍ଠ ସ୍କୋର । ସେ ୨୪୩ଟି ଓଡିଆଇ ମ୍ୟାଚରେ ହାରାହାରି ୪୮.୬୩ ସହ ୯୮୨୫ ରନ୍ ସ୍କୋର କରିଛନ୍ତି । ତାଙ୍କର ୨୩୪ଟି ଇନିଂସରେ ୩୦ଟି ଶତକ ଏବଁ ୪୮ଟି ଅର୍ଦ୍ଧଶତକ ସାମିଲ ଅଛି, ଯେଉଁଥିରେ ୨୬୪ ତାଙ୍କର ଶ୍ରେଷ୍ଠ ସ୍କୋର

ରୋହିତ ୧୪୮ଟି ଟି -୨0 ରେ ଭାରତର ପ୍ରତିନିଧିତ୍ୱ କରି ହାରାହାରି ୩୧.୮ ସହ ୩,୮୫୩ ରନ୍ ସ୍କୋର କରିଛନ୍ତି। ସେ ତାଙ୍କ ଟି -୨୦ ଫର୍ମାଟ୍ କ୍ୟାରିୟରରେ ୪ଟି ଶତକ ଏବଂ ୨୯ଟି ଅର୍ଦ୍ଧଶତକ ହାସଲ କରିଛନ୍ତି, ଯାହାର ଶ୍ରେଷ୍ଠ ସ୍କୋର ୧୧୮ ରହିଛି । ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତର ଦ୍ୱିତୀୟ ଟେଷ୍ଟ ମ୍ୟାଚ ସମୟରେ ରୋହିତ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି । ସେ ଟେଷ୍ଟରେ ଓପନର୍ ଭାବରେ ମଧ୍ୟ ୨,୦୦୦ ରନ୍ ସଗ୍ରଂହ କରିଛନ୍ତି ।

ମ୍ୟାଚ୍ ବିଷୟରେ କହିବାକୁ ଗଲେ, ଏହି ମ୍ୟାଚରେ ଭାରତ ପ୍ରଥମ ଦିନରେ ୪ଟି ୱିକେଟ୍ ବିନିମୟରେ ୨୮୮ ରନ୍ ସଂଗ୍ରହ କରିଛି । ପ୍ରଥମ ଦିନ ଖେଳ ଶେଷସୁଦ୍ଧା ବିରାଟ କୋହଲି ୮୭ ଏବଂ ରବିନ୍ଦ୍ର ଜାଡେଜା ୩୬ରନ୍ ରେ ଖେଳୁଛନ୍ତି ।

Leave a Reply

Your email address will not be published. Required fields are marked *