ସମ୍ବଲପୁର ବାଲାଜୀନଗର ଚୋରି ଘଟଣାର ପର୍ଦ୍ଦାଫାସ : ମାରଣାସ୍ତ୍ର ସହ ୬ ଗିରଫ

Spread the love

ସମ୍ବଲପୁର : ସମ୍ବଲପୁର ସହରର ବରେଇପାଲି ଥାନା ଅନ୍ତର୍ଗତ ଡେଙ୍ଗସର୍ଗିର ବାଲାଜୀନଗର ସ୍ଥିତ ଏକ ହାଉସିଂ କମ୍ପ୍ଲେକ୍ସରେ ହୋଇଥିବା ଚୋରି ଘଟଣାର ପର୍ଦ୍ଦାଫାସ କରିବାରେ ସକ୍ଷମ ହୋଇଛି ସମ୍ବଲପୁର ଜିଲ୍ଲା ପୁଲିସ। ଏହି ଘଟଣାରେ ସମ୍ପୃକ୍ତ ୬ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି । ସେମାନଙ୍କ ଠାରୁ ମାରଣାସ୍ତ୍ର ଜବତ କରିବା ସହ ଚୋରି ସାମଗ୍ରୀକୁ ପୁଲିସ ଉଦ୍ଧାର କରିଛି। ଏସମ୍ପର୍କରେ ବରେଇପାଲି ଥାନାରେ ଆଜି ଅପରାହ୍ନରେ ଆୟୋଜିତ ଏକ ସମ୍ବାଦିକ ସମ୍ମଳନୀରେ ସୂଚନା ଦେଇ ଏସଡିପିଓ ପ୍ରଦୀପ ସାହୁ କହିଛନ୍ତି ଯେ ଗତ ମଇ ୨୭/୨୮ ତାରିଖ ରାତିରେ ଉକ୍ତ ହାଉସିଂ କମ୍ପ୍ଲେକ୍ସର ଘର ନମ୍ବର ଡି-୩୨ରେ ରହୁଥିବା ପ୍ରଦୀପ କୁମାର ରଣା ସେଦିନ ରାତିରେ ଘରେ ନଥିଲେ। ଏହି ସମୟରେ ତାଙ୍କ ଘର କବାଟ ଭଙ୍ଗାଯାଇ ଘର ଭିତରୁ ତିନି ଯୋଡ଼ା ସୁନା କାନଫୁଲ, ଦୁଇଟି ସୁନାମୁଦି ମିଶି ମୋଟ ୪୨ ଗ୍ରାମର ସୁନା ଗହଣା, ଏକ ଲାପଟପ, ଏଲ୍ଇଡି ଟିଭି, ସାଉଣ୍ଡବକ୍ସ ସହ ନଗଦ ୩୦ ହଜାର ଟଙ୍କା ଚୋରି ହୋଇଥିଲା। ଏହାକୁ ନେଇ ସେ ବରେଇପାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଆଧାରରେ ବରେଇପାଲି ଥାନାରେ ଏକ ଚୋରି ମାମଲା ରୁଜୁକରି ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଏଥିପାଇଁ ଅଇଠାପାଲି, ବରେଇପାଲି, ଧନୁପାଲି, ସଦରଥାନା ଅଧିକାରୀମାନଙ୍କ ତତ୍ୱାବଧାନରେ ଏକ ସ୍ୱତନ୍ତ୍ର ଦଳ ଗଠନ କରି ଏହାର ତଦନ୍ତ କରାଯାଇଥିଲା। ତଦନ୍ତ ବେଳେ ବରଗଡ଼ର ଏକ ଅପରାଧି ଦଳ ସମ୍ବଲପୁର ଆସି ଏହି ଚୋରି ଘଟଣାକୁ ରୂପ ଦେଇଛନ୍ତି ଓ ଏଥିପାଇଁ ସେମାନେ ଏକ ହୁଣ୍ଡାଇ ଭର୍ଣ୍ଣା କାରକୁ ବ୍ୟବହାର କରୁଥିବା ପୁଲିସ ଜାଣି ପାରିଥିଲା। ଏହାବାଦ ପୁଲିସ ପକ୍ଷରୁ ଆରମ୍ଭ ହୋଇଥିବା ବ୍ଲକିଂ ଓ ଚେକିଂରେ ଉକ୍ତ କାର ଧରା ପଡ଼ିଥିଲା। ଯାଞ୍ଚବେଳେ ଗାଡ଼ି ମଧ୍ୟରୁ ଖଣ୍ଡା, ଗୁପ୍ତି, ହକିଷ୍ଟିକ, ଅନେକ ପ୍ରକାର ରେଞ୍ôଚ, ସ୍କୃଡ୍ରାଇଭର, ହାତୁଡ଼ି, ଛୁରି, ସାବଳ ସହିତ ଘର କବାଟ ଭାଙ୍ଗିବାରେ ବ୍ୟବହାର ପାଇଁ ସ୍ୱତନ୍ତ୍ର ଭାବେ ନିର୍ମିତ ଉପକରଣ ଆଦିକୁ ପୁଲିସ ଜବତ କରିଛି। ଏହା ସହିତ ଏଥିରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ଓ ସୁନାଗହଣା କ୍ରେତାଙ୍କ ସହିତ ୬ ଜଣ ଅପରାଧିଙ୍କୁ ପୁଲିସ ଗରଫ କରିଛି। ଗିରଫ ଅପରାଧିଙ୍କ ମଧ୍ୟରେ ମୁଖ୍ୟ ଅଭିଯୁକ୍ତ ବରଗଡ଼ ରେଳଷ୍ଟେସନ ନିକଟ ଗୋଲପଡ଼ାର ଗୁଡୁ ଓରଫ ମହେଶ କୁମାର ଶର୍ମା(୩୪) ଓ ସହଯୋଗୀ ଉଣ୍ଡୁ ଓରଫ ଘନଶ୍ୟାମ ଘାଷି(୨୨)ଙ୍କ ସହିତ ସେହି ଅଞ୍ଚଳର ସୁନିଲ ବରିହା(୧୯), ସୋନୁ ସାଗର(୨୫), ବରଗଡ଼ ସୂତାମିଲଛକର ପଙ୍କଜ ସାଥୁଆ(୨୩) ଓ ସମ୍ବଲପୁର କ୍ଷେତରାରଜପୁରର ମନ୍ଥନ ହାରିପାଲ(୨୪) ରହିଛନ୍ତି। ସେମାନଙ୍କଠାରୁ ପୁଲିସ ୪୦.୧ ଗ୍ରାମ୍ର ସୁନାଗହଣ, ୨୧ ହଜାର ଟଙ୍କା, ଏକ ଲିନୋଭୋ ଲାପଟପ୍, ଦୁଇଟି ୪୨”ର ଏଲ୍ଇଡି ଟିଭି, ୨୨ଟି ମୋବାଇଲ ଫୋନ୍, ୨ବସ୍ତା ଚାଉଳକୁ ଉଦ୍ଧାର କରିଛି।

ଅପରପକ୍ଷରେ ଉକ୍ତ ଅପରାଧିମାନେ ଆଜି ପ୍ରଥମ ଥର ପାଇଁ ସମ୍ବଲପୁରରେ ଧରା ପଡ଼ିଥିବା ବେଳେ ପୂର୍ବରୁ ବୁର୍ଲାର ଦୁଇଟି ଚୋରି ଘଟଣାରେ ମଧ୍ୟ ସେମାନେ ସାମିଲ ଥିବା ଜେରାବେଳେ ଅପରାଧିମାନେ ସ୍ୱୀକାର କରିଛନ୍ତି। ସେଥିମଧ୍ୟରେ ଏକ ସ୍କୁଲର ଚାଉଳବସ୍ତା ଓ ଏଲ୍ଇଡି ଟିଭି ରହିଛି। ଯାହାକୁ ପୁଲିସ ଜବତ କରିଛି। ସେହିପରି ବରଗଡ଼ ଓ ବଲାଙ୍ଗୀରରେ ସେମାନେ ଏକାଧିକ ଅପରାଧରେ ସମ୍ପୃକ୍ତି ଅଭିଯୋଗରେ ପୂର୍ବରୁ ଜେଲ୍ ମଧ୍ୟ ଯାଇଛନ୍ତି ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ଏମାନଙ୍କ ଅପରାଧିକ ସମ୍ରାଜ୍ୟ ତଥା କୌଣସି ହତ୍ୟା ମାମଲାରେ ସମ୍ପୃକ୍ତ କିନାହିଁ ସେ ନେଇ ତଦନ୍ତ ଜାରି ରହିଛି। ତେବେ ଜବତ ମୋବାଇଲ ଗୁଡ଼ିକୁ ଟ୍ରାକିଂ କରାଯାଇ ଅଭିଯୁକ୍ତମାନଙ୍କ ଅପରାଧିକ ସାମ୍ରାଜ୍ୟର ପର୍ଦ୍ଦାଫାସ କରାଯିବ। ଏହା ସହ ଯଦି ଚୋରି ହୋଇଥିବ ମୋବାଇଲ୍ର ପ୍ରକୃତ ମାଲିକଙ୍କୁ ଫେରାଇବାର ବ୍ୟବସ୍ଥା କରାଯିବ ବୋଲି ଏସ୍ଡିପିଓ ଶ୍ରୀ ସାହୁ କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ବରେଇପାଲି ଥାନା ଆଇଆଇସି ଧିରେନ୍ ସ୍ୱାଇଁ, ଅଇଁଠାପାଲି ଥାନା ଆଇଆଇସି ସନୟ ନାଏକ, ଧନୁପାଲି ଥାନା ଆଇଆସି ରଞ୍ଜନ ବିଶ୍ୱାଳ, ସଦରଥାନା ଆଇଆଇସି ସୁବ୍ରତ ପାଣିଗ୍ରାହୀଙ୍କ ସହିତ ଅନ୍ୟାନ୍ଯ ବରିଷ୍ଠ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *