ବେଲୁଚିସ୍ତାନ ଟ୍ରେନ୍ ଆକ୍ରମଣ ଘଟଣା ପରେ ଭୟାନକ ପରିସ୍ଥିତିକୁ ମନେ ପକାଇଲେ ଜାଫର ଏକ୍ସପ୍ରେସର ଡ୍ରାଇଭର। ବେଲୁଚିସ୍ତାନ ଲିବରେସନ ଆର୍ମି ଆତଙ୍କବାଦୀଙ୍କ ଦ୍ୱାରା ଅପହରଣ କରାଯାଇଥିବା ଜାଫର ଏକ୍ସପ୍ରେସର ଡ୍ରାଇଭର ସେହି ଭୟଙ୍କର ମୁହୂର୍ତ୍ତକୁ ବର୍ଣ୍ଣନା କରିଛନ୍ତି, ଯେତେବେଳେ ବିଦ୍ରୋହୀମାନେ ଟ୍ରେନ ଉପରେ ଆକ୍ରମଣ କରିଥିଲେ, ବଞ୍ଚି ରହିଥିବା ଲୋକମାନେ ସେମାନଙ୍କ ଉଦ୍ଧାର ପାଇଁ ସେନାକୁ ପ୍ରଶଂସା କରିଥିଲେ। ଆକ୍ରମଣ ପରେ ଡ୍ରାଇଭର ଅମଜାଦ କହିଥିଲେ କି କିପରି ଆତଙ୍କବାଦୀ ମାନେ ପ୍ରଥମେ ଟ୍ରେନର ଇଞ୍ଜିନ ତଳେ ବିସ୍ଫୋରକ ରଖି ବିସ୍ଫୋରଣ କରିଥିଲେ, ଯାହା ଫଳରେ ବଗିଗୁଡ଼ିକ ଲାଇନଚ୍ୟୁତ ହୋଇଥିଲା। ଟ୍ରେନ୍ ଅଟକିବା ମାତ୍ରେ, ଆତଙ୍କବାଦୀ ମାନେ ଆକ୍ରମଣ ଆରମ୍ଭ କରିଦେଲେ ବୋଲି ସେ କହିଛନ୍ତି। ଏହି ସମୟରେ, ମୁକ୍ତ ହୋଇଥିବା ଯାତ୍ରୀମାନଙ୍କ ମଧ୍ୟରୁ ଜଣେ କହିଛନ୍ତି ଯେ, ସେମାନେ ସମସ୍ତଙ୍କୁ ବନ୍ଧୁକ ମୁନରେ ଧରିଥିଲେ, କିନ୍ତୁ କମାଣ୍ଡୋ ମାନେ ଉଦ୍ଧାର କରିବା ପାଇଁ ନିଜ ଜୀବନକୁ ବାଜି ଲଗାଇଥିଲେ। ଆତଙ୍କବାଦୀମାନେ ଜାଫର ଏକ୍ସପ୍ରେସ ଉପରେ ଆକ୍ରମଣ କରି ରେଳ ଟ୍ରାକ ଉଡ଼ାଇ ଦେବା ଏବଂ ଟ୍ରେନ ଉପରେ ରକେଟ ଆକ୍ରମଣ କରିବା ପରେ ଏହି ଅଗ୍ନିପରୀକ୍ଷା ଆରମ୍ଭ ହୋଇଥିଲା। ସୁରକ୍ଷା ବାହିନୀ ବୁଧବାର ଦିନ ଅପହୃତ ଜାଫର ଏକ୍ସପ୍ରେସ ଉପରେ ଆକ୍ରମଣ କରି ବେଲୁଚିସ୍ତାନର ଦୁର୍ଗମ ବୋଲାନ ଅଞ୍ଚଳରେ ୩୦ ଘଣ୍ଟା ଧରି ଚାଲିଥିବା ଘେରାବନ୍ଦୀର ନାଟକୀୟ ଅନ୍ତ ଘଟାଇ ସମସ୍ତ ୩୩ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଥିଲେ। ଏବଂ ୩୦୦ ରୁ ଅଧିକ ଯାତ୍ରୀଙ୍କୁ ସଫଳତାର ସହ ଉଦ୍ଧାର କରିଥିଲେ। ସେପଟେ ମୁଖ୍ୟ ସାମରିକ ମୁଖପାତ୍ର ଲେଫ୍ଟନାଣ୍ଟ ଜେନେରାଲ ଅହମ୍ମଦ ସରିଫ ଚୌଧୁରୀ ପ୍ରକାଶ କରିଛନ୍ତି ଯେ ଦିନବ୍ୟାପୀ ଚାଲିଥିବା ଗତିରୋଧରେ ୨୧ ଜଣ ପ୍ରାଣ ହରାଇଥିଲେ। ତଥାପି, ଇଣ୍ଟର-ସର୍ଭିସେସ୍ ପବ୍ଲିକ୍ ରିଲେସନ୍ସ ନିର୍ଦ୍ଦେଶକ ଜେନେରାଲ ଦୃଢ଼ ଭାବରେ କହିଛନ୍ତି ଯେ ସଶସ୍ତ୍ର ବାହିନୀ ଦ୍ୱାରା କରାଯାଇଥିବା ଶେଷ ଉଦ୍ଧାର କାର୍ଯ୍ୟରେ କୌଣସି ସାଧାରଣ ନାଗରିକଙ୍କର କ୍ଷତି ହୋଇନାହିଁ। ଆକ୍ରମଣଟି ଏକ ଦୁର୍ଗମ ଏବଂ କଷ୍ଟକର ଅଞ୍ଚଳରେ ହୋଇଥିଲା। ସେ କହିଛନ୍ତି ଯେ ଉଦ୍ଧାର କାର୍ଯ୍ୟ ତୁରନ୍ତ ଆରମ୍ଭ କରାଯାଇଥିଲା, ଯେଉଁଥିରେ ସେନା, ବାୟୁସେନା ଏବଂ ଫ୍ରଣ୍ଟିୟର୍ କର୍ପସ୍ ଅଂଶଗ୍ରହଣ କରିଥିଲେ। ଏହା ପ୍ରଥମ ଥର ବେଲୁଚିସ୍ତାନରେ ବିଏଲଏ କିମ୍ବା କୌଣସି ବିଦ୍ରୋହୀ ଗୋଷ୍ଠୀ ଏକ ଯାତ୍ରୀବାହୀ ଟ୍ରେନ୍ ଅପହରଣ କରିବାକୁ ଚେଷ୍ଟା କରିଛନ୍ତି। ଯଦିଓ ଗତ ବର୍ଷ ଠାରୁ ସେମାନେ ପ୍ରଦେଶର ବିଭିନ୍ନ ସ୍ଥାନରେ ସୁରକ୍ଷା ବାହିନୀ, ପ୍ରତିଷ୍ଠାନ ଏବଂ ବିଦେଶୀଙ୍କ ଉପରେ ଆକ୍ରମଣକୁ ବୃଦ୍ଧି କରିଛନ୍ତି। ସୂଚନା ଅନୁସାରେ ଗତ ମାର୍ଚ୍ଚ ୧୧ ତାରିଖ ମଙ୍ଗଳବାର ଦିନ, କ୍ୱେଟାରୁ ପେଶାୱାର ୪୪୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଜାଫର ଏକ୍ସପ୍ରେସକୁ ଅପହରଣ କରିଥିଲା ବେଲୁଚିସ୍ତାନ ଲିବରେସନ ଆର୍ମି। ଯେଉଁଥିରେ ୨୧ ଜଣ ସାଧାରଣ ନାଗରିକ ଏବଂ ଚାରି ଜଣ ସୈନଙ୍କ ମୃତ୍ୟୁ ହୋଇଥିଲା। ଏବଂ ଅନ୍ୟ ଯାତ୍ରୀ ମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା ପାକ ସେନା.।

Naxatra News is now on Whatsapp
Join and get latest news update delivered to you via whatsapp
Join Now