ଡିଏନ ଟେଷ୍ଟରୁ ପୀଡିତାଙ୍କ ନମୂନା ମ୍ୟାଚ, ସପା ନେତା ନଓ୍ୱାବ ସିଂ ଯାଦବଙ୍କ ସଂପୃକ୍ତିର ମିଳିଲା ପ୍ରମାଣ

ବହୁ ଚର୍ଚ୍ଚିତ କନୌଜ ଦୁଷ୍କର୍ମ ଘଟଣାରେ ସପା ନେତା ନଓ୍ୱାବ ସିଂ ଯାଦବଙ୍କ ସଂପୃକ୍ତିର ମିଳିଲା ପ୍ରମାଣ। ଡିଏନଏ ଟେଷ୍ଟରୁ ପୀଡ଼ିତାଙ୍କ ନମୂନା ମ୍ୟାଚ୍ ଖାଇଛି। ନଓ୍ୱାବ ହିଁ ବଳାତ୍କାରୀ ବୋଲି ଏ କଥାର ପୁଷ୍ଟି କରିଛି ପୁଲିସ। ନାବାଳିକା ପ୍ରତି କରିଥିବା ପାଶବିକ ଅତ୍ୟାଚାର ଲାଗି ନଓ୍ୱାବଙ୍କ ବିରୁଦ୍ଧରେ ପୋକ୍ସୋ ଆକ୍ଟରେ ପୁଲିସ ମାମଲା ରୁଜୁ କରି ଚାର୍ଜସିଟ୍ ଦାଖଲ କରିବ। ଫରେନସିକ୍ ରିପୋର୍ଟରେ ଏ କଥା ପଦାକୁ ଆସିବା ପରେ ଘମାସାନ ହୋଇଛି ରାଜନୀତି।

ଅଗଷ୍ଟ ୧୧ ରାତିର ଘଟଣା। କନୌଜର ପୂର୍ବ ବ୍ଲକ ପ୍ରମୁଖ ନଓ୍ୱାବ ସିଂ ଯାଦବ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବାର ଆରୋପ ଆସିଥିଲା। ପୀଡ଼ିତା ୧୧୨ ନମ୍ୱରକୁ ଡାଏଲ କରି ଦୁଷ୍କର୍ମ ଘଟଣା ଜଣାଇଥିଲା। ଏହା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦେଖିଥିଲା ପୀଡ଼ିତାଙ୍କ ସହ ତାଙ୍କ ପିଉସୀ ବି ଥିଲେ। ଆଉ ଆପତ୍ତିଜନକ ଅବସ୍ଥାରେ ଖଟରେ ପଡ଼ିଥିଲେ ନଓ୍ୱାବ। ପିଉସୀଙ୍କୁ ନିଜ ହେପାଜତକୁ ନେଇ ପଚରାଉଚୁରା କରିଥିଲା ପୁଲିସ। ପୀଡ଼ିତାଙ୍କର ଡାକ୍ତରୀମାଇନା କରାଯାଇଥିଲା। ଡାକ୍ତରୀ ପରୀକ୍ଷାରୁ ନଓ୍ୱାବଙ୍କ ସଂପୃକ୍ତିର ପ୍ରମାଣ ମିଳିଥିଲା। ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଏହି ଦୁଷ୍କର୍ମକାଣ୍ଡର ଅନ୍ୟ ଅଭିଯୁକ୍ତ ଥିଲେ ପୀଡ଼ିତାଙ୍କ ପିଉସୀ। ଯିଏ ନଓ୍ୱାବଙ୍କ ପାଖକୁ ଲକ୍ଷ୍ନୌରୁ ନାବାଳିକାଙ୍କୁ ନେଇ ତାଙ୍କ କଲେଜକୁ ନେଇ ଯାଇଥିଲା। ଘଟଣା ବେଳେ ଘରର ବାହାରେ ପିଉସୀ ଉପସ୍ଥିତ ଥିଲା। ପୀଡ଼ିତା ଏଭଳି ଅତ୍ୟାଚାରର ଶୀକାର ବେଳେ ପାଟି କରି ପିଉସୀଙ୍କୁ ବି ଡାକିଥିଲା। କିନ୍ତୁ ପିଉସୀ ଶୁଣିନଥିଲେ। ପୁଲିସ ନଓ୍ୱାବ ଓ ପୀଡିତାଙ୍କ ପିଉସୀ ଦୁଇ ଜଣଙ୍କୁ ଗିରଫ କରିଥିଲା। ଘଟଣା ପରେ ପୀଡ଼ିତାଙ୍କ ପିଉସୀ ଫେରାର୍ ହୋଇଯାଇଥିଲା। ଫେରାରର ୮ ଦିନ ପରେ ଗିରଫ କରିଥିଲା ପୁଲିସ। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ସପା ସୁପ୍ରିମୋ ଅଖିଳେଶଙ୍କ ଭିତରେ ଜୋରଦାର ଆରୋପ ପ୍ରତ୍ୟାରୋପ ରାଜନୀତି ଦେଖିବାକୁ ମିଳିଥିଲା। ସପାର ବ୍ରାଣ୍ଡ୍ ହେଉଛି କନୌଜର ନଓ୍ୱାବ ବ୍ରାଣ୍ଡ୍। ଯିଏ ନାବାଳିକାକୁ ଦୁଷ୍କର୍ମ କରିଛି ବୋଲି କହିଥିଲେ ଯୋଗୀ। ଅଖିଳେଶ କହିଥିଲେ, ଆଜିକାଲି କନୌଜ ବହୁତ୍ ହେଡଲାଇନରେ ରହିଛି। ସରକାରଙ୍କୁ ଏଥିଲାଗି ବହୁତ ଧନ୍ୟବାଦ। ନଓ୍ୱାବଙ୍କୁ ଜିଲ୍ଲପାଳ ଓ ଏସପି ବି ସମ୍ମାନ କରୁଛନ୍ତି। ଏଥିରେ ବିଜେପି ବି ସାମିଲ୍।

ଜେରା ବେଳେ ପୀଡ଼ିତାର ପିଉସୀ ସ୍ୱୀକାର କରିଥିଲା ଯେ, ସେ ନଓ୍ୱାବଙ୍କୁ ୫ ବର୍ଷ ହେଲା ଜାଣିଛି। ନଓ୍ୱାବଙ୍କ ସହ ବି ତାଙ୍କର ଅବୈଧ ସମ୍ପର୍କ ଥିଲା। ତଦନ୍ତକୁ ଆରମ୍ଭରୁ ଦିଗହରା କରିବାକୁ ପୀଡିତାଙ୍କ ପିଉସି ପ୍ରୟାସ କରିଥିଲେ। ନଓ୍ୱାବ ସିଂଙ୍କୁ କୁଆଡ଼େ ଫସାଇବାକୁ ଚକ୍ରାନ୍ତ ହେଉଛି ଆଉ ଏହା ପଛରେ ସପାର କିଛି ବ୍ରାହ୍ମଣ ନେତାଙ୍କ ହାତ ଥିବା ଅଭିଯୋଗ କରି ଆସୁଥିଲେ। କିନ୍ତୁ ଡିଏନଏ ଟେଷ୍ଟ ସବୁ ପ୍ରମାଣିତ କରିଦେଲା। ଦୁଷ୍କର୍ମର ଶୀକାର ପୀଡ଼ିତା ଓ ନଓ୍ୱାବଙ୍କ ଡିଏନଏ ସାମ୍ପୁଲ୍ ମ୍ୟାଚ୍ ଖାଇଛି।

ଅଗଷ୍ଟ ୧୬ରୁ ନଓ୍ୱାବକୁ ପୁଲିସ ୧୪ ଦିନିଆ ରିମାଣ୍ଡରେ ନେଇଥିଲା। ଅଗଷ୍ଟ ୧୭ରେ ନଓ୍ୱାବଙ୍କ ଡିଏନଏ ସାମ୍ପୁଲ୍ ନିଆଯାଇଥିଲା। ଆଉ ୧୫ ଦିନ ପରେ ରିପୋର୍ଟ ଆସିବା ପରେ ଦୁଷ୍କର୍ମର ପ୍ରମାଣ ପୁଷ୍ଟି ହୋଇଛି। ନଓ୍ୱାବଙ୍କୁ ସପା ସୁପ୍ରିମୋ ଅଖିଳେଖ ଯାଦବଙ୍କ ଖାସ୍ ଅନୁଗତ ବୋଲି କୁହାଯାଏ। କାମ ମାଗିବାକୁ ଆସି ନିଜ ପିଉସୀଙ୍କ ମାଧ୍ୟମରେ ସପା ନେତାଙ୍କ ଦ୍ୱାରା ଦୁଷ୍କର୍ମର ଶୀକାର ହୋଇଥିବା ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ସବୁଠି ଦାବି ହେଉଛି। ଏହା ପୂର୍ବରୁ ନଓ୍ୱାବଙ୍କ ଅନୁଗତ ଓ ସମ୍ପର୍କୀୟଙ୍କ ଅବୈଧ ସମ୍ପତ୍ତି ଉପରେ ପ୍ରଶାସନ ବୁଲଡୋଜର ଆକ୍ସନ ନେଇସାରିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *