ବିବାଦରେ ଆଇଏଏସ ପୂଜା ଖେଡକର

ବିବାଦରେ ଆଇଏଏସ ପୂଜା ଖେଡକର। କ୍ୟାରିଅର ଆରମ୍ଭ ନ ହେଉଣୁ ସମସ୍ତ ପଦମର୍ଯ୍ୟାଦା ହାତେଇବାକୁ ନେଇ ଚକ୍ରାନ୍ତ ସହ ୟୁପିଏସସି ପରୀକ୍ଷାରେ କରିଥିବା ଏକାଧିକ ଜାଲିଆତି ମାମଲାରେ ତାଙ୍କର ଚାକିରୀକୁ ଏବେ ପଡ଼ିଛି ବିପଦ। ତଦନ୍ତ କରିବାକୁ କେନ୍ଦ୍ର ସରକାର ନିର୍ଦେଶ ଦେଇସାରିଛନ୍ତି। ଦୁଇ ସପ୍ତାହ ଭିତରେ ତଦନ୍ତ ରିପୋର୍ଟ ଆସିବ। ଯଦି ଦୋଷୀ ସାବ୍ୟସ୍ତ ହୁଅନ୍ତି, ତାହେଲେ ଆଇଏଏସ ଚାକିରୀରୁ ବହିଷ୍କୃତ ହୋଇପାରନ୍ତି ପୂଜା। ସେପଟେ ପୂଜାଙ୍କ ମାଆ ଚାଷୀଙ୍କୁ ବନ୍ଧୁକ ଦେଖାଇ ଧମକାଇବା ଅଭିଯୋଗରେ ପୁନେ ପୁଲିସ ଏତଲା କଲାଣି।

(ଭିଓ୧) ବେଆଇନ ନାଲିବତୀ ବ୍ୟବହାର, ଚୋରୀ ଅଭିଯୁକ୍ତଙ୍କୁ ଛାଡ଼ିବାକୁ ପୁଲିସ ଉପରେ ଚାପ, ବିଳାସପୂର୍ଣ୍ଣ ଅଡି କାରରେ ବୁଲିବା, ୟୁପିଏସସି ପରୀକ୍ଷାରେ ଫେକ୍ ଦିବ୍ୟାଙ୍ଗ ପ୍ରମାଣପତ୍ର ସହ ଅନ୍ୟାନ୍ୟ ପଛୁଆ ବର୍ଗ ପ୍ରମାଣପତ୍ର ଦେବା। ଏମିତି ତମାମ ବିବାଦରେ ଫସିଲେଣି ଟ୍ରେନି ଆଇଏଏସ ପୂଜା ଖେଡ଼କର। କ୍ୟାରିଅର ଆରମ୍ଭ ନ ହେଉଣୁ ସମସ୍ତ ପଦମର୍ଯ୍ୟାଦା ହାତେଇବାକୁ କରିଥିବା ଚକ୍ରାନ୍ତର ତଦନ୍ତ ନିର୍ଦେଶ ଦେଇସାରିଛନ୍ତି କେନ୍ଦ୍ର ସରକାର। କାର୍ମିକ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ମନୋଜ ଦ୍ୱିବେଦୀ ଦୁଇ ସପ୍ତାହ ଭିତରେ ତଦନ୍ତ କରି ରିପୋର୍ଟ ଦାଖଲ କରିବେ। ରିପୋର୍ଟରେ ପୂଜା ଦୋଷୀ ସାବ୍ୟସ୍ତ ହେଲେ ଆଇଏଏସ ଚାକିରୀ ହରାଇବେ। ୨୦୨୨ ବ୍ୟାଚ୍ ଆଇଏଏସ ପୂଜାଙ୍କୁ ମହାରାଷ୍ଟ୍ରର ପୁଣେ ସହରର ସହକାରୀ ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଥିଲା। ଦାୟିତ୍ୱ ଗ୍ରହଣ ମାତ୍ରେ ଅଡ଼ି କାରରେ ନାଲିବତୀ ଲଗାଇ ବୁଲିବା ସହ ନମ୍ୱର ପ୍ଲେଟରେ ମହାରାଷ୍ଟ୍ର ସରକାର ଲେଖିଥିଲେ। ଏପରିକି ଜିଲ୍ଲାପାଳଙ୍କ ଅଫିସରେ ତାଙ୍କୁ ପ୍ରକୋଷ୍ଠ ମିଳିବାରେ ବିଳମ୍ୱ ହେବାରୁ ଅନ୍ୟଜଣେ ସହକାରୀ ଜିଲ୍ଲପାଳଙ୍କ ପ୍ରକୋଷ୍ଠକୁ ମାଡ଼ି ବସିଥିଲେ। ପ୍ରବେଶନାରୀ ପିରିୟଡ଼ ଆରମ୍ଭ ପୂର୍ବରୁ ସ୍ୱତନ୍ତ୍ର କ୍ୟାବିନ୍, କାର୍, ଆବାସିକ କ୍ୱାର୍ଟର ଓ ପିଅନ ତୁରନ୍ତ ମାଗିଥିଲେ। ଏଭଳି ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ଜିଲ୍ଲାପାଳ ଏ ନେଇ ମହାରାଷ୍ଟ୍ର ମୁଖ୍ୟ ସଚିବଙ୍କୁ ଜଣାଇବାରୁ କିଛି ଦିନ ପୂର୍ବେ ପୂଜାଙ୍କୁ ପୁଣେରୁ ଓ୍ୱାସିମ୍ ଜିଲ୍ଲାକୁ ବଦଳି ହୋଇଛି। ପୂଜା କହିଛନ୍ତି, ସେ ସରକାରଙ୍କ ନିର୍ଦେଶକୁ ଅନୁପାଳନ କରିବେ। ତାଙ୍କ ବିରୁଦ୍ଧରେ ଆସିଥିବା ଅଭିଯୋଗ ଉପରେ ତଦନ୍ତକୁ ନେଇ ସେ କହିବାକୁ ଅଧିକୃତ ନୁହଁନ୍ତି। ସେ କମିଟି ଆଗରେ ସବୁ କଥା ରଖିବେ। ପୁଲିସ ବି ପୂଜାଙ୍କ ଘରେ ପହଞ୍ଚି ତନାଘନା କରିଛି। ଘରେ ଥିବା ଅଡ଼ି କାରକୁ ଜବତ କରିଛି।

୨୦୨୨ ସିଭିଲ ସର୍ଭିସ ପରୀକ୍ଷାରେ ୮୨୧ ରାଙ୍କ ରଖି କିଭଳି ଆଇଏଏସ ପାଇବାକୁ ମନୋନୀତ ହେଲେ, ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ସୂଚନା ଅଧିକାରରେ ଜଣାପଡ଼ିଥିଲା କି, ରିହାତି ଜରିଆରେ ଭଲ ରାଙ୍କ ରଖିବାକୁ ବିଭିନ୍ନ ଜାଲିଆତି ହୋଇଥିଲା। ପୂଜା ଆଂଶିକ ଭାବେ ଦୃଷ୍ଟିବାଧିତ ଓ ଓବିସି ସାର୍ଟିଫିକେଟ ଦାଖଲ କରିଥିଲେ। ୨୨ କୋଟି ଟଙ୍କା ସମ୍ପତ୍ତିର ମାଲିକ ବୋଲାଉଥିବା ପୂଜା କେମିତି ସ୍ୱଛଳ ବର୍ଗର ନୁହେଁ ବୋଲି ଚର୍ଚ୍ଚା ହୋଇଥିଲା। ୟୁପିଏସସି ପକ୍ଷରୁ ତାଙ୍କୁ ଡାକ୍ତରୀ ପରୀକ୍ଷୀର ସମ୍ମୁଖୀନ ହେବାକୁ ୬ଥର ଡକାଯାଇଥିଲେ ବି ସେ ବିଭିନ୍ନ ଆଳ ନେଇ ଏଡ଼ାଇ ଚାଲିଛନ୍ତି। ଦିଲ୍ଲୀ ଏମ୍ସରେ ଯାଞ୍ଚ ପାଇଁ ଦିବ୍ୟାଙ୍ଗ ପ୍ରମାଣପତ୍ର ଦାଖଲ କରିବାକୁ କୁହାଯାଇଥିଲେ ବି କୋଭିଡର ଆଳ ନେଇ ଖସିଯାଇଥିଲେ। ଶେଷରେ ଏକ ଘରୋଇ ହସ୍ପିଟାଲରୁ ହାସଲ କରିଥିବା ସାର୍ଟିଫିକେଟ ଦାଖଲ କରିଥିଲେ ବି ୟୁପିଏସସି କର୍ତ୍ତୃପକ୍ଷ ଏହାକୁ ଅଗ୍ରାହ୍ୟ କରିଦେଇଛନ୍ତି। ଏକ ଘରୋଇ ଇଞ୍ଜିନିୟର କମ୍ପାନୀ ନାଁରେ ପଞ୍ଜୀକୃତ ଅଡି କାରରେ ବୁଲୁଥିବା ପୂଜା ୨୧ ଥର ଟ୍ରାଫିକ୍ ନିୟମ ଉଲ୍ଲଂଘନ କରିଥିବାରୁ ୨୭ହଜାର ଟଙ୍କାର ଜରିମାନା ବି ପୈଠ କରିନାହାନ୍ତି। ଜଣେ ଚୋରୀ ଅଭିଯୁକ୍ତଙ୍କୁ ଛାଡ଼ିବାକୁ ପୁଲିସ ଉପରେ ଚାପ ପକାଇଥିବା ଅଭିଯୋଗ ବି ରହିଛି। କେବଳ ପୂଜା ନୁହେଁ। ତାଙ୍କ ବାପା ମାଆଙ୍କ ଆଚରଣ ବି ଚର୍ଚ୍ଚାରେ। ପୂଜାଙ୍କ ବାପା ସତ୍ୟପାଠରେ ଦର୍ଶାଇଥିଲେ ଯେ, ତାଙ୍କ ସମ୍ପତ୍ତିର ପରିମାଣ ୪୦ କୋଟି। ମାଆ ମନୋରମା ଏକଦା କେତେ ଚାଷୀଙ୍କୁ ବନ୍ଧୁକ ଦେଖାଇ ଧମକାଇଥିବା ଅଭିଯୋଗ ଓ ଏ ବିବାଦ ଭିଡ଼ିଓ ଭାଇରାଲ ପରେ ପୁନେ ପୁଲିସ ଏତଲା କରିଛି। ମନୋରମାଙ୍କ ପାଖରେ ବନ୍ଧୁକ ଲାଇସେନ୍ସ ଅଛି କି ନାହିଁ। କେଉଁ ପରିସ୍ଥିତିରେ ଧମକ ଦେଲେ ସବୁର ତଦନ୍ତ ହେବ।

ଗୁରୁବାର ଆଇଏଏସ ପ୍ରୋବେଶନର ପୂଜାଙ୍କୁ ବିଳାସପୂର୍ଣ୍ଣ କାରରେ ଅନଧିକୃତ ନାଲିବତୀ ଓ ମହାରାଷ୍ଟ୍ର ସରକାରଙ୍କ ଚିହ୍ନ ବ୍ୟବହାର ଅଭିଯୋଗରେ ପୁଲିସ ନୋଟିସ କରିଛି। ଆଉ ଶୁକ୍ରବାର ସଂଧ୍ୟାରେ ପୂଜାଙ୍କ ମାଆ ମନୋରମାଙ୍କ ବିରୁଦ୍ଧରେ ବନ୍ଧୁକ ଦେଖାଇ ଚାଷୀଙ୍କୁ ଧମକ ଅଭିଯୋଗରେ ଏତଲା କରିଛି। ପୂଜାଙ୍କ ବାପା ଦିଲ୍ଲୀପଙ୍କ ବିରୁଦ୍ଧରେ ଜୁଲାଇ ୮ରୁ ଝିଅର କର୍ମକ୍ଷେତ୍ରରେ ଆପତ୍ତିଜନକ ଆଚରଣ ଲାଗି ଆଇନଗତ ଆକ୍ସନ ଆରମ୍ଭ ହୋଇଛି। ଦିଲ୍ଲୀପ ଜଣେ ଅବସରପ୍ରାପ୍ତ ସରକାରୀ ଅଧିକାରୀ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *