୧୨ ଦିନ ପରେ ହାରିଗଲା ଦଳିତ ଧର୍ଷିତା

Spread the love

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ପିଲିଭିଟ ଜିଲ୍ଲାରେ ସେପ୍ଟେମ୍ବର ୭ ତାରିଖରେ ଗଣଧର୍ଷଣର ଶିକାର ହୋଇଥିବା ଦଳିତ ନାବାଳିକା ଶେଷରେ ଜୀବନ ମରଣ ସହ ଯୁଦ୍ଧ କରି ହାର ମାନିଛି। ଗଣଧର୍ଷଣର ୧୨ ଦିନ ପରେ ୧୬ ବର୍ଷିୟା ନାବାଳିକା ସବୁଦିନ ପାଇଁ ଅଖିବୁଜିଛି ହସ୍ପିଟାଲ ବେଡରେ। ନାବାଳିକାକୁ ଗଣଦୁଷ୍କର୍ମ ପରେ ଦୁର୍ବୃତ୍ତମାନେ ନାବାଳିକା ଦେହରେ ଲଗାଇଦେଇଥିଲେ ନିଆଁ। ଗୁରୁତର ଅବସ୍ଥାରେ ନାବାଳିକା ଲକ୍ଷ୍ନୌର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲା।

ପିଲିଭିଟ ଜିଲ୍ଲାର କୁନୱାରପୁର ଗ୍ରାମରେ ଜଣେ ୧୬ ବର୍ଷୀୟା ନାବାଳିକାକୁ ଦୁଇ ଅଭିଯୁକ୍ତ ଗଣଦୁଷ୍କର୍ମ କରିବା ପରେ ତାକୁ ହତ୍ୟା କରିବାକୁ ତା ଦେହରେ ଡିଜେଲ ଢାଳି ନିଆଁ ଲଗାଇ ଦେଇଥିଲେ। ତାର ଚିତ୍କାର ଶୁଣି ପରିବାର ଲୋକେ ନାବାଳିକାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିବା ସହ ହସ୍ପିଟାଲରେ ଭର୍ତ୍ତି କରିଥିଲେ। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଘଟଣାର ୧୨ ଦିନ ପରେ ନାବାଳିକାର ମୃତ୍ୟୁ ହୋଇଛି। ଏହି ଘଟଣାରେ ପୂର୍ବରୁ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ପକ୍ସୋ ଆକ୍ଟରେ ମାମଲା ରୁଜୁ କରି ଜେଲ ପଠାଇଦେଇଛି।

ତେବେ ଉତ୍ତର ପ୍ରଦେଶରେ ଦଳିତ ମହିଳା ବା ନାବାଳିକାଙ୍କ ପ୍ରତି ନିର୍ଯାତନା ଶୀର୍ଷରେ ପହଞ୍ଚି ଯାଇଛି। ଗତ ଶନିବାର ଦିନ ଜଣେ ୧୫ ବର୍ଷୀୟା ଦଳିତ ନାବାଳିକାର ମୃତଦେହ ରାଜ୍ୟର ବୁଦାଉନ ରେଳ ଧାରଣା ନିକଟରୁ ଉଦ୍ଧାର ହୋଇଥିଲା। ନାବାଳିକାକୁ ଧର୍ଷଣ ପରେ ମାରି ଦିଆଯାଇଥିବା ଥିବା ଅଭିଯୋଗ ହୋଇଥିଲା।

ସେହିପରି ଗତ ସପ୍ତାହରେ ଦୁଇ ଦଳିତ ଭଉଣୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରି ଅଞ୍ଚଳରୁ। ପୋଷ୍ଟମର୍ଟମ ପରେ ଉଭୟଙ୍କ ସହ ଦୁଷ୍କର୍ମ ହୋଇଥିବା ସ୍ପଷ୍ଟ ହୋଇଥିଲା।

Leave a Reply

Your email address will not be published. Required fields are marked *