ଜୟ ହିନ୍ଦୁରାଷ୍ଟ୍ର। ଜୟ ଶ୍ରୀରାମ। ଭାରତ ମାତା କି ଜୟ। ୨୬ ଜଣଙ୍କ ମୃତ୍ୟୁର ପ୍ରତିଶୋଧ ୨୬ଶହଙ୍କୁ ମାରି ନେବି। ନଚେତ ଭାରତ ମାଆର ପୁଅ ନୁହେଁ। ଆଗ୍ରାରେ ନାଁ ପଚାରି ଜଣେ ମୁସଲିମଙ୍କୁ ମର୍ଡର କରି ଏଭଳି ଭିଡ଼ିଓ ଜାରି କରି ହତ୍ୟାକାଣ୍ଡ ପଛରେ ଦାୟୀ ବୋଲି ବାହାଦୁରି ଦେଖାଇଛନ୍ତି କ୍ଷତ୍ରୀୟ ଗୋରକ୍ଷକ ଦଳର ମନୋଜ ଚୌଧୁରୀ। ମୃତକ ହେଲେ ଗୁଲଫାମ। ନାଁ ପଚାରି ଆଗ ଗୁଲଫାମଙ୍କୁ ଗୁଳି କରିଥିଲେ। ଲହୁଲୁହାଣ ଗୁଲଫାମ ରାସ୍ତାରେ ଛଟପଟ ହେଉଥିଲା ବେଳେ ତାଙ୍କୁ ରକ୍ଷା କରିବାକୁ ଧାଇଁ ଆସିଥିବା ସୈଫଙ୍କୁ ବି ଗୁଳି କରିଥିଲେ। ହତ୍ୟାକାଣ୍ଡରେ ନିଜକୁ ଦାୟୀ କରିଥିବା ମନୋଜ ଚୌଧୁରୀର ଭିଡ଼ିଓ ଭାଇରାଲ ହୋଇଛି। ୟୁପି ଆଗ୍ରାରେ ବିରିୟାନି ବିକ୍ରେତା ଗୁଲଫାମ ନିଜ ସାଥୀ ସୈଫ ଅଲ୍ଲୀ ସହ ଦୋକାନ ବନ୍ଦ କରି ଘରକୁ ବାହାରୁଥିବା ବେଳେ ୩ଜଣ ଆକ୍ରମଣକାରୀ ସ୍କୁଟିରେ ଆସି ତାଙ୍କୁ ହତ୍ୟା କରିଥିଲେ। ଘଟଣା ବୁଧବାର ରାତି ୧୨ଟା ବେଳର। ସୈଫଙ୍କ ଛାତିରେ ବି ଗୁଳି ବାଜିଛି। କିନ୍ତୁ ଗୁଳି ଦେହରେ ବାଜି ପାର୍ ହୋଇଯାଇଥିଲା। ସେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସୈଫ ଏବେ ବିପଦମୁକ୍ତ। ପୁଲିସ କହିଛି, ଏଭଳି କୌଣସି ସଂଗଠନର ଅସ୍ତିତ୍ୱ ନାହିଁ ଆଗ୍ରାରେ। ଘଟଣାସ୍ଥଳରେ ଗୁଲଫାମଙ୍କ ୩ ସାଥୀ ବି ଉପସ୍ଥିତ ଥିଲେ। କେହି ବି ଏଭଳି ଘଟଣାକୁ ନେଇ ପରିଜନ କି ପୁଲିସକୁ ଅବଗତ କରିନଥିଲେ। ଆକ୍ରମଣକାରୀ ଧର୍ମ ଓ ନାଁ ପଚାରିନଥିଲେ ବୋଲି କହିଛନ୍ତି ସୈଫ୍। ସୋସିଆଲ ମିଡିଆରେ କୌଣସି ଗୁଜବ ପ୍ରଚାରିତ ନ କରିବାକୁ ପୁଲିସ ଅପିଲ୍ କରିଛି। ଅଭିଯୁକ୍ତକୁ ଧରିବାକୁ ପୁଲିସ ଛାନଭିନ କରୁଛି। ମୃତକଙ୍କ ଶବ ବ୍ୟବଛେଦ ପରେ ପରିବାରକୁ ହସ୍ତାନ୍ତର କରିଦିଆଯାଇଛି। ଅଭିଯୁକ୍ତଙ୍କୁ ଧରିବାକୁ ୪ଟି ଟିମ୍ ଗଠନ ହୋଇଛି। ଗୁଲଫାମ ସହ କାହାରି କୈଣସି ଶତୃତା ନଥିଲା। ଗୁଲଫାମ ବିବାହିତ। ତାଙ୍କର ୩ଟି ଛୋଟ ପିଲା ଅଛନ୍ତି। ତେବେ ପହଲଗାମ ଆତଙ୍କି ଆକ୍ରମଣର ପ୍ରତିଶୋଧ ଆଳରେ ମନୋଜ ଚୌଧୁରୀ ନାମକ ବ୍ୟକ୍ତି କେଉଁ ଉଦ୍ଦେଶ୍ୟରେ ଏହି ହତ୍ୟାକାଣ୍ଡ ପଛରେ ନିଜକୁ ଦାୟୀ କରି ଏଭଳି ଭିଡ଼ିଓ ଜାରି କରିଛି। ତାହାର ସ୍ପଷ୍ଟତା ଖୁବ୍ ଶୀଘ୍ର ଆସିବ ବୋଲି ପୁଲିସ କହିଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now