ସରକାରୀ ଅର୍ଥ ଆତ୍ମସାତ୍ ଅଭିଯୋଗ : ପ୍ରଧାନ ଶିକ୍ଷକଙ୍କ ସମେତ ତିନି ଜଣଙ୍କୁ ୪ ବର୍ଷ ଜେଲ୍‌

Spread the love

କନ୍ଧମାଳ : ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଫୁଲବାଣୀ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ଆଜି ଜଣେ ପ୍ରଧାନ ଶିକ୍ଷକଙ୍କ ସମେତ ତିନିଜଣଙ୍କୁ ୪ ବର୍ଷ ଲେଖାଏଁ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥିସହ ଦୋଷୀ ମାନଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା କରାଯାଇଛି । ଜରିମାନା ଅନାଦେୟ ଅଭିଯୁକ୍ତ ମାନଙ୍କୁ ଅଧିକ ୬ ମାସ ଜେଲ ଦଣ୍ଡ ଭୋଗିବାକୁ ପଡିବ ବୋଲି ଅଦାଲତ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି । ଅଭିଯୁକ୍ତ ମାନେ ହେଲେ ଖଜୁରୀପଡା ବ୍ଲକ ଘାଟିତଳ ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ତତ୍କାଳୀନ ପ୍ରଧାନ ଶିକ୍ଷକ କିଶୋର କୁମାର ଦାସ, ସର୍ବଶିକ୍ଷା ଅଭିଯାନର ବୈଷୟିକ ପରାମର୍ଶଦାତା ପୃଥ୍ୱୀରାଜ ଲେଙ୍କା ଓ ବିଦ୍ୟାଳୟ କମିଟି ସଭାପତି ସୁବୀନ୍ଦ୍ର କହଁର ।

ସୂଚନା ଅନୁସାରେ, ୨୦୧୪ ମସିହାରେ ବିଦ୍ୟାଳୟ ଗୃହ ନିର୍ମାଣ ପାଇଁ ସର୍ବଶିକ୍ଷା ଅଭିଯାନ ପାଣ୍ଠିରୁ ୯ ଲକ୍ଷ ୯୬ ହଜାର ଟଙ୍କା ମଞ୍ଜୁର ହୋଇଥିଲା । ଏହି ଅର୍ଥରୁ ୮ ଲକ୍ଷ ୯୬ ହଜାର ଟଙ୍କା ଉଠା ଯାଇଥିଲା । ତେବେ ଗୃହ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ନ ଥିଲା । ଅଭିଯୁକ୍ତ ମାନେ କାମ ନ କରି ଏହି ଅର୍ଥ ହଡପ କରିବା ଅଭିଯୋଗ ହୋଇଥିଲା । ଏ ନେଇ ଭିଜିଲାନ୍ସ ବିଭାଗରେ ଅଭିଯୋଗ ହେବା ପରେ ଡିଏସପି ହରେକୃଷ୍ଣ ବେହେରା ତଦନ୍ତ କରି ଅଭିଯୋଗରେ ସତ୍ୟତା ଥିବା ଜାଣିବା ପରେ ବ୍ରହ୍ମପୁର ଭିଜିଲାନ୍ସ ଥାନାରେ ୩/୧୪ ରେ ଏକ ମାମଲା ରୁଜୁ କରାଯାଇଥିଲା । ଆଜି ଏହି ମାମଲାର ଶୁଣାଣି କରି ଫୁଲବାଣୀ ଭିଜିଲାନ୍ସ ଅଦାଲତ ବିଚାରପତି ସମର ବିଳାସ ବେହେରା ୨୧ ଜଣ ସାକ୍ଷୀଙ୍କ ବୟାନ ଓ ତଥ୍ୟ ପ୍ରମାଣ ଆଧାରରେ ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି । ମାମଲାଟିକୁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପି.ପି. ଭି.ଭି. ରାମଦାସ ପରିଚାଳନା କରୁଥିଲେ ।

Leave a Reply

Your email address will not be published. Required fields are marked *