ଅଙ୍କିତା ମର୍ଡର: ଚରମରେ ଜନତାଙ୍କ ରୋଷ

Spread the love

ଡେରାଡୁନ:  ଅଙ୍କିତା ମର୍ଡର ମାମଲାରେ ଜନତାଙ୍କ ରୋଷ ଚରମରେ ପହଞ୍ଚିଛି। ପ୍ରଶାସନ ଗତକାଲି ରାତିରେ ରିସୋର୍ଟକୁ ଭାଙ୍ଗିଦେଇଥିଲା ବେଳେ ଆଜି ଲୋକେ ରିସୋର୍ଟରେ ନିଆଁ ଲଗାଇ ଦେଇଛନ୍ତି। କେବଳ ଏତିକି ନୁହେଁ, ଅଭିଯୁକ୍ତଙ୍କ କାରନାମା ଲାଗି ଅନେକ ଜାଗାରେ ବିଜେପି ବିଧାୟକ ବି ଜନତାଙ୍କ ଆକ୍ରୋଶର ଶିକାର ହୋଇଛନ୍ତି। ସେପଟେ ବିଜେପି ଦଳ ବି ମୁଖ୍ୟ ଅଭିଯୁକ୍ତର ବାପା ଓ ଭାଇଙ୍କ ବିରୁଦ୍ଧରେ ଦଳୀୟ ଆକ୍ସନ ନେଇଛି।

ଅଙ୍କିତା ଭଣ୍ଡାରୀ ହତ୍ୟାକାଣ୍ଡକୁ ନେଇ ଥମୁନି ଜନତାର ରୋଷ। ଅଭିଯୁକ୍ତଙ୍କୁ ପୁଲିସ ଗାଡ଼ିରୁ ଘୋଷାଡ଼ି ଆଣି ପିଟିଥିଲେ ଲୋକେ। ଆଉ ଆଜି ଜନତା ଆକ୍ରୋଶର ସମ୍ମୁଖୀନ ହୋଇଛନ୍ତି ବିଜେପି ବିଧାୟକ ରେଣୁ ବିଷ୍ଟ୍। ବିଧାୟିକା ରେଣୁଙ୍କ କାରକୁ ଭଙ୍ଗାରୁଜା କରିଛନ୍ତି ଲୋକେ। କୌଣସିମତେ ବିଧାୟିକାଙ୍କୁ ସୁରକ୍ଷା କର୍ଡନରେ ମୁକୁଳାଇବାକୁ ସକ୍ଷମ ହୋଇଥିଲା ପୁଲିସ୍। ସେପଟେ ଶୁକ୍ରବାର ରାତିରେ ରିସୋର୍ଟ ସଞ୍ଚାଳକ ତଥା ମୁଖ୍ୟ ଅଭିଯୁକ୍ତ ପୁଲକିତ ଆର୍ଯ୍ୟର ରିସୋର୍ଟକୁ ବୁଲଡୋଜର ଲଗାଇ ପ୍ରଶାସନ ଭାଙ୍ଗି ଦେଇଥିଲା ବେଳେ ଆଜି ସ୍ଥାନୀୟ ଲୋକେ ସେହି ରିସୋର୍ଟରେ ନିଆଁ ଲଗାଇଦେଇଛନ୍ତି। ସେପଟେ ଏହାକୁ ନେଇ ମୁହଁ ଖୋଲିଛନ୍ତି ପୁଲକିତ ଆର୍ଯ୍ୟଙ୍କ ପିତା ତଥା ରିସୋର୍ଟ ମାଲିକ ବିଜେପି ନେତା ବିନୋଦ ଆର୍ଯ୍ୟ।

ଗୋଟିଏ ପଟେ ପୁଲିସ ଆକ୍ସନ ତ ଅନ୍ୟ ପଟେ ଜନତାର ଆକ୍ରୋଶ। ଆଉ ଏହାକୁ ତାଳ ଦେଇ ଦଳୀୟ ଆକ୍ସନ ବି ଜାରି ରହିଛି ଆର୍ଯ୍ୟ ପରିବାର ଉପରେ। ମୁଖ୍ୟ ଅଭିଯୁକ୍ତର ବାପା ବିନୋଦ ଆର୍ଯ୍ୟ ଓ ଭାଇ ଅଙ୍କିତ ଆର୍ଯ୍ୟଙ୍କୁ ଦଳରୁ ବହିଷ୍କାର କରାଯାଇଛି। କେବଳ ଏତିକି ନୁହେଁ, ଉତ୍ତରାଖଣ୍ଡ ଓବିସି କମିଶନ ଉପାଧ୍ୟକ୍ଷ ପଦରୁ ବି ହଟାଇ ଦିଆଯାଇଛି ଅଙ୍କିତଙ୍କୁ।

ଅଙ୍କିତା ହତ୍ୟାକୁ ନେଇ ହଇଚଇ ଜାରି ରହିଛି ଉତ୍ତରାଖଣ୍ଡରେ। ଜନତାଙ୍କ ଆକ୍ରୋଶକୁ ତାଳ ଦେଇ ରାଜନୀତି ବି ବଢ଼ୁଛି।

ପ୍ରଦୀପ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *