ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗକୁ ଟାର୍ଗେଟ। ଲରେନ୍ସର ସାନଭାଇ ଅନମୋଲ ଉପରେ ୧୦ ଲକ୍ଷ ଟଙ୍କା ପୁରଷ୍କାର ଘୋଷଣା କରିଛି ଏନଆଇଏ। ବାବା ସିଦ୍ଦିକିଙ୍କ ହତ୍ୟାକାଣ୍ଡ ପଛରେ ଅନମୋଲର ହାତ ଥିବାର ଅନୁମାନ କରୁଛି ଏନଆଇଏ।
ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ଭାଇ ଅନମୋଲ ବିଷ୍ଣୋଇର ଗିରଫଦାରି ଲାଗି ୧୦ଲକ୍ଷ ଟଙ୍କାର ପୁରଷ୍କାର ଘୋଷଣା କଲା ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ। ୨୦୨୨ରେ ଅନମୋଲ ଉପରେ ହୋଇଥିବା ଦୁଇଟି ମାମଲାରେ ଚାର୍ଜସିଟ୍ ଦାଖଲ କରିଛି ଏନଆଇଏ। ୨୦୨୨ରେ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେଓ୍ୱାଲା ହତ୍ୟାକାଣ୍ଡ ପଛରେ ଅନମୋଲର ନାଁ ସାମ୍ନାକୁ ଆସିଥିଲା। ସଲମାନ ଖାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ ଫାୟାରିଂ ପଛରେ ଅନମୋଲର ହାତ ରହିଛି। ଅନମୋଲ ବିରୁଦ୍ଧରେ ଲୁକଆଉଟ ସର୍କୁଲାର ବି ଜାରି ହୋଇଛି। ସଂଗଠିତ ଅପରାଧ ଓ ଏହା ସହ ଜଡ଼ିତ ଗତିବିଧିରେ ସଂପୃକ୍ତ ବ୍ୟକ୍ତିଙ୍କୁ ଧରିବାକୁ ଛାନଭିନ କରିଛି ଏନଆଇଏ। ସେଥିଲାଗି ଅନମୋଲକୁ ଧରିବା ପରେ ହିଁ ଅପରାଧିକ ନେଟଓ୍ୱର୍କର ଖୁଲାସା ହୋଇପାରିବ ବୋଲି ଆଶା ବାନ୍ଧିଛି ଏନଆଇଏ। ଅନମୋଲ ବାବଦରେ କୌଣସି ସୂଚନା ଥିଲେ ଏନଆଇଏକୁ ଜଣାନ୍ତୁ। ନାଁ ଗୋପନ ରଖାଯିବ ବୋଲି କହିଛି ଏନଆଇଏ। ଅନମୋଲର ଫଟୋ ସହ ପୁରଷ୍କାର ରାଶି ସମ୍ପର୍କରେ ପୋଷ୍ଟର ଜାରି କରିଛି ଏନଆଇଏ।
ଅନମୋଲ ବିଷ୍ଣୋଇ ଓରଫ୍ ଭାନୁ କାନାଡାରେ ରୁହେ। ନିୟମିତ ଆମେରିକା ଯିବାଆସିବା କରିଥାଏ। ଲରେନ୍ସ ଏବେ ଗୁଜରାଟର ସାବରମତୀ ଜେଲରେ ବନ୍ଦୀ ଅଛି। ଲରେନ୍ସ ଗ୍ୟାଙ୍ଗର ପ୍ରମୁଖ ଲିଡର ଭାବେ ଅନମୋଲ ଏନସିପି ନେତା ବାବା ସିଦ୍ଦିକିଙ୍କୁ ହତ୍ୟାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଥିଲା। ଅନ୍ତରାଷ୍ଟ୍ରୀୟ କ୍ଷେତ୍ରରେ ବି ଅନମୋଲର ଅପରାଧିକ କାୟା ବଢ଼ିଚାଲିଛି। ଜାନୁଆରୀରେ ପଞ୍ଜାବ, ହରିଆଣା, ରାଜସ୍ଥାନ, ୟୁପି, ଦିଲ୍ଲୀ ଓ ଚଣ୍ଡିଗଡ଼ର ମୋଟ୍ ୩୨ ଜାଗାରେ ରେଡ୍ କରିଥିଲା ଏନଆଇଏ। ଚଢ଼ାଉରେ ଦୁଇଟି ପିସ୍ତଲ, ମ୍ୟାଗଜିନ୍, ଗୁଳି ସହ ୪ଲକ୍ଷ ୬୦ହଜାର ଟଙ୍କାର ନଗଦ ରାଶି, ଦସ୍ତାବିଜ୍ ଓ ଡିଜିଟାଲ ଡିଭାଇସ୍ ଜବତ ହୋଇଥିଲା। ବ୍ୟାନ୍ ହୋଇଥିବା ଆତଙ୍କବାଦୀ ସଂଗଠନ ବିକେଆଇ ଓ ଦେଶରେ ସକ୍ରିୟ କ୍ରାଇମ୍ ସିଣ୍ଡିକେଟ, ସୀମାପାର୍ ଅସ୍ତ୍ରଶସ୍ତ୍ର ନେଣଦେଣକୁ ନେଇ ଛାନଭିନ୍ ହୋଇଥିଲା। ଲରେନ୍ସ ବିଷ୍ଣୋଇ ଓ ଗୋଲଡି ବ୍ରାର୍ ନିର୍ଦେଶ କ୍ରମେ ସଂଗଠିତ ଅପରାଧ ସିଣ୍ଡିକେଟ୍ ବିରୁଦ୍ଧରେ ଏନଆଇଏ ମୋଟ୍ ୭ଟି ସ୍ଥାନରେ ରେଡ୍ କରିଥିଲା। ଏନଆଇଏ ବିଷ୍ଣୋଇ ଗ୍ୟାଙ୍ଗକୁ ନ୍ୟୁ ଅଣ୍ଡରଓ୍ୱାର୍ଲଡ ନାଁ ଦେଇଛି। ଏହି ଗ୍ୟାଙ୍ଗ୍ ୧୯୯୩ରେ ମୁମ୍ୱାଇ ଅଣ୍ଡରଓ୍ୱାର୍ଲଡ ସହ କାମ କରୁଥିଲା। ସଙ୍ଗୀତ ଉଦ୍ୟୋଗ, କଳାକାର ଓ ଖେଳାଳୀଙ୍କୁ ଧମକାଇ ବଟି ଅସୁଲି କରୁଥିଲେ। ବିଷ୍ଣୋଇ ଗ୍ୟାଙ୍ଗର ଖଲିସ୍ତାନୀ ସହ ଲିଂକ ଅଛି ବୋଲି ଏନଆଇଏ କହିଛି। ଖଲିସ୍ତାନୀ ଆତଙ୍କବାଦୀ ସଂଗଠନ ବବ୍ବର ଖାଲସା ଇଣ୍ଟରନ୍ୟାସନାଲ ବା ବିକେଆଇ ସହ ଲିଂକ ଅଛି। ଅନମୋଲ ଓ ଗୋଲଡି ବ୍ରାର ଏହି ସଂଗଠନର ପ୍ରମୁଖ ଅଂଶୀଦାର ଅଟନ୍ତି।
ଲରେନ୍ସ ବିଷ୍ଣୋଇର ଭାଇ ଅନମୋଲ କାନାଡ଼ା ଓ ଆମେରିକାରୁ ଗ୍ୟାଙ୍ଗକୁ ପରିଚାଳିତ କରୁଛି। ଅନମୋଲର ଅପରାଧିକ ନେଟଓ୍ୱର୍କ ପଞ୍ଜାବ, ହରିଆଣା, ରାଜସ୍ଥାନ, ଦିଲ୍ଲୀ, ୟୁପି, ଗୁଜରାଟ, ମହାରାଷ୍ଟ୍ର, ବିହାର ଓ ଝାଡ଼ଖଣ୍ଡ ଭଳି ଅନେକ ରାଜ୍ୟରେ ଅଛି। ଏନଆଇଏର ଏବେ ମୋଷ୍ଟ ଓ୍ୱାଣ୍ଟେଡ୍ ତାଲିକାରେ ଏବେ ଅନମୋଲ।
Naxatra News is now on Whatsapp
Join and get latest news update delivered to you via whatsapp
Join Now