ବାବା ସିଦ୍ଦିକି ହତ୍ୟାକାଣ୍ଡ ମାମଲା ;୬ ଅଭିଯୁକ୍ତ ଚିହ୍ନଟ,୩ ଗିରଫ

ମାତ୍ର କିଛି ଦିନ ବ୍ୟବଧାନ ଭିତରେ ଏନସିପିର ଦୁଇ ପ୍ରମୁଖ ନେତା ସଚିନ କୁର୍ମୀ ଓ ବାବା ସିଦ୍ଦିକଙ୍କ ହତ୍ୟାକାଣ୍ଡ ମୁମ୍ୱାଇର ଆଇନଶୃଙ୍ଖଳାକୁ ନେଇ ଅଙ୍ଗୁଳି ଉଠାଇଛି। ଏହା ସହ ରାଜନୀତି ବି ଘମାସାନ ହୋଇଛି। ବାୟକୁଲା ବିଧାନସଭା ମଣ୍ଡଳ ଅଧ୍ୟକ୍ଷ ତଥା ଛଗନ ଭୁଜବଳଙ୍କ ଖାସ୍ ଅନୁଗତ ସଚିନ କୁର୍ମୀଙ୍କୁ ଅକ୍ଟୋବର ୫ରେ ୩ଜଣ ବାଇକ ଆରୋହୀ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଥିଲେ। ସଚିନଙ୍କ ଉପରେ ସେତେବେଳେ ଆକ୍ରମଣ ହୋଇଥିଲା, ଯେତେବେଳେ ସେ ଏକ ରାଜନୀତିକ କାର୍ଯ୍ୟକ୍ରମରେ ଯୋଗ ଦେଇ ଘରକୁ ଫେରୁଥିଲେ। ଏହି ଘଟଣାର ତଦନ୍ତଭାର ମୁମ୍ୱାଇ କ୍ରାଇମବ୍ରାଞ୍ଚ ନେଇଥିଲା। ଆଉ ୩ ଅଭିଯୁକ୍ତଙ୍କୁ ଗିରଫ ବି କରିସାରିଛି। ତେବେ ଏ ହତ୍ୟାକାଣ୍ଡ ପଛରେ ଅସଲ ମାଷ୍ଟରମାଇଣ୍ଡ କିଏ, ସେମାନଙ୍କୁ ଗିରଫ କର ବୋଲି ବିରୋଧୀ ମହାଅଗାଡ଼ି ମେଣ୍ଟ ସରକାରଙ୍କୁ ଦାବି କରୁଥିଲା ବେଳେ ଏହାରି ଭିତରେ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କୁ ଅକ୍ଟୋବର ୧୧ରେ ବାନ୍ଦ୍ରା ଇଷ୍ଟରେ ୩ ଜଣ ଗୁଳି ମାରି ହତ୍ୟା କରିଦେଲେ। ମାମଲାରେ ପୁଲିସ ଏପର୍ଯ୍ୟନ୍ତ ୬ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରି ସେମାନଙ୍କ ଭିତରୁ ୪ଜଣଙ୍କୁ ଗିରଫ କରିସାରିଛି। ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ଅଛି। ଅଭିଯୁକ୍ତଙ୍କୁ ଅକ୍ଟୋବର ୨୧ ଯାଏ ପୁଲିସ ରିମାଣ୍ଡରେ ନେଇଛି। ପୁଲିସର କହିବା କଥା, ଅଭିଯୁକ୍ତଙ୍କର ଭିନ୍ନ ପ୍ଲାନିଂ ଥିଲା। ସିଦ୍ଦିକିଙ୍କ ପୁଅ ଜିସାନଙ୍କୁ ବି ମାରିବା ଟାର୍ଗେଟ ଥିଲା। ସିଦ୍ଦିକିଙ୍କ ଉପରେ ଆଗ ପେପର ସ୍ପ୍ରେ କରି ତା ପରେ ହତ୍ୟା କରିବାକୁ ଯୋଜନା କରିଥିଲେ। କିନ୍ତୁ ଅଭିଯୁକ୍ତ ଶିବା ଏହା ପୂର୍ବରୁ ହିଁ ସିଦ୍ଦିକିଙ୍କ ଉପରେ ଗୁଳି ଚଳାଇ ଦେଇଥିଲା। ତେବେ ଏପିଆଇ ରାଜେନ୍ଦ୍ର ଦାଭାଣ୍ଡେ ନିଜ ଜୀବନକୁ ବାଜିରେ ଲଗାଇ ତୁରନ୍ତ ଦୁଇ ଅଭିଯୁକ୍ତଙ୍କୁ ଘଟଣାସ୍ଥଳରୁ କାବୁ କରିବାକୁ ସକ୍ଷମ ହୋଇଥିଲେ। ସେମାନଙ୍କଠୁ ବନ୍ଧୁକ ଛଡ଼ାଇନେଇଥିଲେ। ବାହାଦୂର ପୁଲିସ ଅଧିକାରୀ ରାଜେନ୍ଦ୍ର ସ୍ଥାନୀୟ ଅଞ୍ଚଳରେ ବିସର୍ଜନ ଡ୍ୟୁଟିରେ ଥିଲେ। ୧୫ ଦିନ ପୂର୍ବରୁ ସିଦ୍ଦିକିଙ୍କୁ ହତ୍ୟା ଧମକ ମିଳିଥିଲା। ଏହାକୁ ନେଇ ସିଦ୍ଦିକିଙ୍କୁ ଓ୍ୱାଇ କ୍ୟାଟେଗୋରୀ ସୁରକ୍ଷା ଦିଆଯାଇଥିଲା।

ଏହି ହତ୍ୟାକାଣ୍ଡ ପଛରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ହାତ ଥିବା କୁହାଯାଉଛି। ଚତୁର୍ଥ ଅଭିଯୁକ୍ତ ମହମ୍ମଦ ଜସିନ୍ ଅଖତର ଚଳିତ ବର୍ଷ ଜୁନ୍ ୭ରେ ପଟିଆଲା ଜେଲରୁ ବାହାରିଥିଲା। ଜେଲରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ସହ ସମ୍ପର୍କରେ ଥିଲା। ଅଖତର ହିଁ ତିନି ଅଭିଯୁକ୍ତ ଧର୍ମରାଜ, ଶିବା ଓ ଗୁରମେଲକୁ ବାବା ସିଦ୍ଦିକିଙ୍କୁ ହତ୍ୟା କରିବାକୁ ଲଜିଷ୍ଟିକ ସପୋର୍ଟ ଦେଇଥିଲା। ଅନ୍ୟ ଦୁଇ ଅଭିଯୁକ୍ତ ଦୁଇ ଭାଇ ଶିବୁ ଲୋନକର ଓ ପ୍ରବୀଣ ଲୋନକର। ଶିବୁ ଫେସବୁକ ପୋଷ୍ଟରେ ଏହି ହତ୍ୟାକାଣ୍ଡ ଲାଗି ନିଜକୁ ଦାୟୀ କରିଛି।  ଫେରାର୍ ଅଭିଯୁକ୍ତଙ୍କୁ ଧରିବାକୁ ପୁଲିସର ସ୍ୱତନ୍ତ୍ର ୧୦ଟି ଟିମ୍ ଛାନଭିନ୍ ଜାରି ରଖିଛି। ବିଭିନ୍ନ ରାଜ୍ୟକୁ ବି ଏହି ମାମଲାର ଖିଅ ଖୋଜିବାକୁ ୧୫ ଟିମ୍ ଯାଇଛି। ସିଦ୍ଦିକିଙ୍କ ହତ୍ୟାକାଣ୍ଡ ପଛରେ ୟୁପି ଲିଂକ ସାମ୍ନାକୁ ଆସିଛି। ଧର୍ମରାଜ ଓ ଶିବାଙ୍କ ଭଳି ଦୁଇ ସାର୍ପସୁଟରଙ୍କ ମାଆଙ୍କ ବୟାନ ଆଗକୁ ଆସିଛି। ଏହି ଦୁହେଁ ୟୁପିର ବହରାଇଚର ଗଣ୍ଡାରା ଅଞ୍ଚଳର। ରୋଜଗାର ଉଦ୍ଦେଶ୍ୟରେ ମୁମ୍ୱାଇ ଯାଇଥିଲେ। ମଜଦୁରି ପାଇଁ ଯାଇ ପାଲଟିଗଲେ ସାର୍ପସୁଟର। ଦୁହିଁଙ୍କ ନାଁରେ କୌଣସି ଅପରାଧିକ ରେକର୍ଡ ନଥିଲା।

ଦେଶର ଆର୍ଥିକ ରାଜଧାନୀ ମୁମ୍ୱାଇରେ ଏଭଳି ହାଇପ୍ରୋଫାଇଲ ହତ୍ୟାକାଣ୍ଡ ହଇଚଇ ଖେଳାଇଦେଇଛି। ଆସନ୍ତା ସପ୍ତାହରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ। ଏହି ହତ୍ୟାକାଣ୍ଡକୁ ନେଇ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଉପ-ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସଙ୍କ ଇସ୍ତଫା ଦାବି କରିଛନ୍ତି ବିରୋଧୀ। ହତ୍ୟାକାଣ୍ଡ ପଛରେ କଣ୍ଟ୍ରାକ୍ଟ କିଲିଂ, ବ୍ୟବସାୟିକ ଶତୃତା ଅବା ବସ୍ତି ପୁନଃବିକାଶ ପ୍ରକଳ୍ପ ସହ ଜଡ଼ିତ ବିବାଦ ରହିଛି। ଏ ସବୁ ଦିଗକୁ ଘାଣ୍ଟୁଛି ପୁଲିସ। ତଦନ୍ତରେ ସହାୟତା ଲାଗି ଦିଲ୍ଲୀ ପୁଲିସର ସ୍ପେଶିଆଲ ସେଲର ଏକ ଟିମ୍ ବି ମୁମ୍ୱାଇ ଯାଇଛି। ବାବା ସିଦ୍ଦିକିଙ୍କ ହତ୍ୟାକାଣ୍ଡ ପରେ ସାଂସଦ ପପୁ ଯାଦବ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗକୁ ଚ୍ୟାଲେଞ୍ଜ କରିଛନ୍ତି। ଆଇନ ଅନୁମତି ଦେଲେ ୨୪ ଘଣ୍ଟା ଭିତରେ ଲରେନ୍ସର ନେଟଓ୍ୱର୍କକୁ ଖତମ କରିଦେବି ବୋଲି କହିଛନ୍ତି ପପୁ ଯାଦବ।

ଅଜିତ ପାଓ୍ୱାର ଗୋଷ୍ଠୀର ଖାସ୍ ନେତା ଥିଲେ ସିଦ୍ଦିକି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *