ବେଆଇନ ଭାବେ ଚାଲିଛି ବିସ୍ଫୋରଣ । ଦିନ ଦ୍ବିପ୍ରହରେ ହେଉଛି ବ୍ଲାଷ୍ଟିଂ, ଥରୁଛି ବରଗଡ଼, ଥରିଉଠୁଛି ଘର, ଛନକାରେ ସ୍ଥାନୀୟ ଲୋକ। ଜିଲ୍ଲା ପ୍ରଶାସନର ନାକତଳେ ନିୟମ ଉଲଂଘନ କରୁଛନ୍ତି ଠିକାଦାର । ବିନା ଅନୁମତିରେ ଜନଗହଳି ସ୍ଥାନରେ କରୁଛନ୍ତି ବ୍ଲାଷ୍ଟିଂ । ଅଭିଯୋଗ ପାଇ ୨୨୫ କେଜି ଜିଲୋଟିନ ଜବତ କରିଛି ବରଗଡ଼ ଟାଉନ ଥାନା ପୋଲିସ। ପୋଲିସର ସୂଚନା ଅନୁସାରେ ଡେଟୋନେଟର ଲଗାଇ ବ୍ଲାଷ୍ଟିଂ କରାଯାଉଛି, ଯାହା ସଂପୂର୍ଣ୍ଣ ବେଆଇନ। ଏଥିପାଇଁ କଠୋର ଦଣ୍ଡ ବିଧାନ ରହିଛି। ତଥାପି ନିୟମକାନୁନ ନମାନି ଦିନ ଦ୍ବିପ୍ରହରେ ହେଉଛି ବ୍ଲାଷ୍ଟିଂ। ବିସ୍ଫୋରକ ସାମଗ୍ରୀ ଜବତ ପରେ ଠିକାଦାର ନାଁରେ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି। ଏଲଏନ ଇନଫ୍ରାଷ୍ଟ୍ରକ୍ଚର ଆଣ୍ଡ କନଷ୍ଟ୍ରକ୍ସନ ପ୍ରାଇଭେଟ ଲିମିଟେଡ ଏହି ବ୍ରିଜ୍ ନିର୍ମାଣ କାମ କରୁଥିବା ବେଳେ ସବୁ ନିୟମକୁ ଜଳାଞ୍ଜଳି ଦେଇ ବେଆଇନ ଚଳାଇଛି କାମ ।
ଏ ହେଉଛି ବରଗଡ଼ ୱାର୍ଡ ନମ୍ୱର୍ -2 ବାଲି ଟିକ୍ରା ଠାରୁ ସରସରା ଗାଁକୁ ସଂଯୋଗ କରିବା ପାଇଁ ଜିରା ନଦୀ ଉପରେ ହେଉଥିବା ନୂତନ ବ୍ରୀଜ ନିର୍ମାଣର ଦୃଶ୍ୟ । ଆରଡି ବିଭାଗର ପ୍ରତ୍ୟେକ୍ଷ ତତ୍ବାବଧାନରେ ଚାଲିଛି ଏହି କାମ। କିନ୍ତୁ ଏଠାରେ କେତେବେଳେ କେଉଁ କାର୍ଯ୍ୟ ହେଉଛି ,କିଏ ଏହି କାମ କରୁଛି ବିଭାଗୀୟ ଅଧିକାରୀଙ୍କ ପାଖରେ କୌଣସି ସୂଚନା ନାହିଁ । ଏଠାରେ ନା ଅଛି ସୂଚନା ଫଳକ ନା ଅଛି ଠିକାଦାରଙ୍କ ନାମ । ନା ଅଛି କାର୍ଯ୍ୟ ଆରମ୍ଭର ତାରିଖ ନା ଅଛି କେବେ କାର୍ଯ୍ୟ ଶେଷ ହେବ ସେନେଇ କିଛି ସୂଚନା। ତଦାରଖ ପାଇଁ ଆସୁନାହାନ୍ତି ବିଭାଗୀୟ ଅଧିକାରୀ , ଯାହାର ସୁଯୋଗ ନେଇ ବେଆଇନ ଭାବେ ଚାଲିଛି ବିସ୍ଫୋରଣ ।
କେବଳ କଣ ଏତିକି, ଏବେ ଦେଖନ୍ତୁ କେମିତି ଚାଲିଛି କାମ। ପିଲର୍ ନିର୍ମାଣ ଚାଲିଛି ଆଉ ସିମେଣ୍ଟ ଭିତରେ ବସ୍ତା ପ୍ୟାକିଂ ହୋଇଛି। ନିମ୍ନମାନର ପଥର ଓ ଗେଟି ବ୍ୟବହାର କରି ନିର୍ମାଣ ହେଉଛି ପୋଲ। ସାଧାରଣ ଲୋକଙ୍କ ଅଭିଯୋଗ ହେଲା ହଜାର ହଜାର ଲୋକ ଗାଧୋଇବା ପାଇଁ ଏହି ଜୀର ନଦୀ ଉପରେ ନିର୍ଭର କରନ୍ତି। ପୁଣି ଏହି ବାଟ ଦେଇ ବାଲିଟିକ୍ରାରୁ ସରସରା ଯାତାୟତ କରନ୍ତି ଲୋକେ। ହେଲେ ବ୍ଲାଷ୍ଟି ଫଳରେ ସାଧାରଣ ଲୋକଙ୍କୁ ନାଲିଆଖି ଦେଖାଇ ଗାଧୋଇବାକୁ ବାରଣ କରାଯାଉଛି। ସ୍ଥାନୀୟ ଲୋକଙ୍କ ଦାବୀ ଉକ୍ତ କମ୍ପାନୀକୁ ବ୍ଲାକ୍ ଲିଷ୍ଟେଡ କରି ତୁରନ୍ତ ବ୍ଲାଷ୍ଟିଂ ବନ୍ଦ କରାଯାଉ।
Naxatra News is now on Whatsapp
Join and get latest news update delivered to you via whatsapp
Join Now