ବରଗଡ଼ ଧନୁଯାତ୍ରାରେ ଜଙ୍ଗଲରୁ ରକ୍ତାକ୍ତ ଅବସ୍ଥାରେ ନିଖୋଜ ଯୁବତୀ ଉଦ୍ଧାର ଘଟଣାରେ ତେଜୁଛି ରାଜନୀତି। ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀଙ୍କ ଯୋଗଦାନ ସମୟରେ ଯୁବତୀ ନିଖୋଜ ଏବଂ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ଥିବାରୁ ମୁଖ୍ୟମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି କହିଛନ୍ତି ବିଜେଡି ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ। ସେପଟେ କାଉଣ୍ଟରରେ ବିଜେପି ବିଧାୟକ ନିହାର ମହାନନ୍ଦ କହିଛନ୍ତି ଦୀର୍ଘ 24 ବର୍ଷ ମଧ୍ୟରେ ଇତିଶ୍ରୀ, ବେବିନା, ପରି ପରି ନିରୀହ ଝିଅଙ୍କ ଉପରେ ହୋଇଥିବା ଅତ୍ୟାଚାର ଉପରେ କାହିଁକି ବିଜେଡି ମୁହଁ ଖୋଲୁନଥିଲା? ଏବେ ତୁଛା ରାଜନୀତି କରୁଛନ୍ତି। ସେହିପରି କଂଗ୍ରେସ କହିଛି, କଂଗ୍ରେସ ଅନ୍ୟାୟ ବିରୋଧରେ ସ୍ବର ଉତ୍ତୋଳନ କରି ଆସିଛି ଏବଂ ଏବେ ମଧ୍ୟ ଜୋରଦାର ଆନ୍ଦୋଳନ କରିବ।
ଅନ୍ୟପଟେ ଯୁବତୀଙ୍କୁ ନ୍ୟାୟ ପ୍ରଦାନ ଓ ଅଭିଯୁକ୍ତକୁ ତୁରନ୍ତ ଗିରଫ ଦାବିରେ ଗତ ୧୬ ତାରିଖରେ ବରଗଡ଼-ଭଟଲି ରାଜ୍ୟ ରାଜପଥ ଅବରୋଧ କରି ପ୍ରତିବାଦରେ ବସିଥିଲେ ବର୍ଡୋଲ ଗ୍ରାମବାସୀ ଓ ପୀଡ଼ିତାଙ୍କ ପରିବାର। ପୋଲିସ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ବୁଝାସୁଝା କରିବା ସହ 48 ଘଣ୍ଟା ମଧ୍ୟରେ ଅଭିଯୁକ୍ତ ଗିରଫ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଘଟଣାକୁ ତିନି ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ଓ ପ୍ରଶାସନର ହାତ ଖାଲି। ସେଥିପାଇଁ ଆସନ୍ତା ଜାନୁଆରୀ ୨୧ ତାରିଖ ମଙ୍ଗଳବାର ୧୨ ଘଣ୍ଟିଆ ବରଗଡ଼ ବନ୍ଦ ନିଷ୍ପତ୍ତି ନିଆଯାଇଛି । ଜରୁରୀ ସେବାକୁ ଛାଡ଼ି ସମସ୍ତ ସରକାରୀ ବେସରକାରୀ କାର୍ଯ୍ୟାଳୟ ଦୋକାନ ବଜାର ଓ ଗାଡ଼ି ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିବ ବୋଲି ସୂଚନା ଦିଆଯାଇଛି । ସେପଟେ ବୁର୍ଲାରେ ଜୀବନମରଣ ସହ ସଂଘର୍ଷ କରୁଛନ୍ତି ପୀଡ଼ିତା । ଏହା ମଧ୍ୟରେ ପୋଲିସ ଓ ଜିଲ୍ଲାପ୍ରଶାସନ କଣ ପଦକ୍ଷେପ ନେଉଛନ୍ତି ତାହା ଉପରେ ରହିଛି ଏବେ ସମସ୍ତଙ୍କର ନଜର ।
Naxatra News is now on Whatsapp
Join and get latest news update delivered to you via whatsapp
Join Now