ବିବାହର ୮ ଦିନ ପରେ ସିନ୍ଦୁର ପୋଛିନେଲା ମିନି ସ୍ୱିଜରଲୟାଣ୍ଡ। ଏପ୍ରିଲ ୧୬ରେ ବିବାହ ବନ୍ଧନରେ ବାନ୍ଧିହୋଇଥିଲେ ନୌସେନା ଲେଫ୍ଟନାଣ୍ଟ ବିନୟ ନରଓ୍ୱାଲ। ପତ୍ନୀ ହିମାଂଶୀଙ୍କୁ ଛାଡ଼ିଦେଲେ ସିନା ଆତଙ୍କବାଦୀ। କିନ୍ତୁ ବିନୟଙ୍କୁ ଗୁଳି କରି ମାରିଦେଲେ। ପହଲଗାମ ଆତଙ୍କି ଆକ୍ରମଣରେ ଶହୀଦ ହୋଇଛନ୍ତି ବିନୟ। ୨ ଦିନ ହେଲା କଶ୍ମୀରକୁ ହନିମୁନ୍ ପାଇଁ ଆସିଥିଲେ। ବିନୟଙ୍କ ବୟସ ୨୬ ବର୍ଷ। ପତ୍ନୀ ହିମାଂଶୀ ବିନୟଙ୍କ ଶବ ପାଖରେ ଗୁମସୁମ୍ ହୋଇ ବସିଥିବାର ଫଟୋ ପୁରା ଦେଶକୁ ବିଚଳିତ କରିଦେଇଥିଲା। ସାତ ଜନ୍ମର ସାଥି ହେବାକୁ ପଣ କରିଥିଲେ ଉଭୟ। ଏପ୍ରିଲ ୨୧ରୁ ହନିମୁନ୍ ପାଇଁ ଜମ୍ମୁକଶ୍ମୀର ଯାଇଥିଲେ। ପହଲଗାମ ଆତଙ୍କି ଆକ୍ରମଣରେ ପୁରା ଦେଶ ସ୍ତବ୍ଧ ହୋଇଯାଇଛି। ସ୍ୱାମୀ ବିନୟଙ୍କ ମରଶରୀର ଉପରେ କାନ୍ଦି କାନ୍ଦି ଆଜି ଲୋଟିପଡ଼ୁଥିଲେ ହିମାଂଶୀ। ହାତ ଯୋଡି କେତେ କାକୁତିମିନତି ହୋଇଥିଲେ ସେ। ବିନୟଙ୍କୁ ଛାଡ଼ିଦିଅ ବୋଲି। ହେଲେ ଶୁଣିଲେନି କେହି। ଗୁଳି କରିଦେଲେ କହି ବାହୁନି ବାହୁନି କାନ୍ଦିଥିଲେ ହିଂମାଶୀ। ଆତଙ୍କବାଦୀ ହିମାଂଶୀଙ୍କଠୁ ତାଙ୍କର ଜୀବନସାଥୀ ସବୁଦିନ ଲାଗି ଛଡ଼ାଇନେଇଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ବି ହିଂମାଶୀଙ୍କ କାନ୍ଦ ଦେଖି କୋହ ସମ୍ୱରଣ କରିପାରିନଥିଲେ। ଶହୀଦ ବିନୟଙ୍କ ଜେଜେ ବାପାଙ୍କୁ ଭିଡିଓ କଲ୍ କରି ହରିଆଣା ମୁଖ୍ୟମନ୍ତ୍ରୀ ତାଙ୍କୁ ସାନ୍ତ୍ୱନା ଦେଇଛନ୍ତି। ଏଭଳି ଅମାନବୀୟ କାଣ୍ଡ ଯେଉଁମାନେ କରିଛନ୍ତି, ସେମାନେ କେହି ବର୍ତ୍ତିବେନି ବୋଲି ଆଶ୍ୱାସନା ଦେଇଛନ୍ତି। ସ୍ଥାନୀୟ ବିଧାୟକ ଜଗମୋହନ ଆନନ୍ଦ ଶହୀଦ ବିନୟଙ୍କ ଘରକୁ ଯାଇଥିଲା ବେଳେ ବିନୟଙ୍କ ପିତା ବିଧାୟକଙ୍କୁ ଧରି ଭୋ ଭୋ ହୋଇ କାନ୍ଦିଥିଲେ। ଶେଷରେ ନିଜ ଜୀବନସାଥୀଙ୍କୁ ଲୁହଭିଜା ଆଖିରେ ବିଦାୟ ଦେଇଛନ୍ତି ହିଂମାଶୀ।


Naxatra News is now on Whatsapp
Join and get latest news update delivered to you via whatsapp
Join Now