ଇଭେଣ୍ଟର ଆଳ ଦେଖାଇ କମେଡିଆନଙ୍କୁ କିଡନାପ। ଅପହରଣକାରୀ ମାଗିଥିଲେ ୨୦ଲକ୍ଷ ଟଙ୍କା। ଖ୍ୟାତନାମା କମେଡିଆନ ସୁନିଲ ପାଲ୍ ହୋଇଥିଲେ ଅପହରଣ। ଏ କଥା ନିଜେ ସର୍ବସମ୍ମୁଖକୁ ଆଣିବା ପରେ ଚାରିଆଡ଼େ ହଇଚଇ ଖେଳିଯାଇଛି। କୌଣସି ଇଭେଣ୍ଟ ପାଇଁ ନିମନ୍ତ୍ରଣ ପାଇ ସେ ଦିଲ୍ଲୀ ଆସିଥିଲେ। କିନ୍ତୁ ଦିଲ୍ଲୀ ସୀମାରୁ ହିଁ ତାଙ୍କୁ ଅପହରଣ କରି ନିଆଯାଇଥିଲା। ଏ ଘଟଣା ଡିସେମ୍ୱର ୨ ତାରିଖର। ନିଖୋଜ ପରେ ସୁନୀଲଙ୍କ ପତ୍ନୀ ପୁଲିସରେ ଏତଲା କରିଥିଲେ। କାରଣ ୨୪ ଘଣ୍ଟା ପରେ ବି ସୁନିଲଙ୍କ କୌଣସି ଖୋଜଖବର ମିଳିନଥିଲା। ପୁଲିସ ଛାନଭିନ୍ ଆରମ୍ଭ କରିବା ମାତ୍ରେ ଡିସେମ୍ୱର ୩ରେ ଘରକୁ ଫେରିଆସିଥିଲେ ସୁନୀଲ। ଆଉ ଘରକୁ ଫେରିବା ପରେ ପୁରା ପ୍ରକରଣକୁ ବଖାଣିଥିଲେ ସୁନୀଲ୍। ଅପହରଣକାରୀ ତାଙ୍କୁ ଛାଡ଼ିବାକୁ ୨୦ଲକ୍ଷ ଟଙ୍କା ମାଗିଥିଲେ। ସେ କୌଣସିମତେ ସାଢ଼େ ୭ଲକ୍ଷ ଟଙ୍କା ଯୋଗାଡ଼ କରି ଅପହରଣକାରୀଙ୍କୁ ଦେବା ପରେ ହିଁ ମୁକୁଳିଥିଲେ।
ଅମିତ ନାମକ ବ୍ୟକ୍ତି ସୁନିଲଙ୍କୁ ଫୋନ୍ କରି ହରିଦ୍ୱାରରେ ଆୟୋଜିତ ଏକ ଇଭେଣ୍ଟରେ ପରଫର୍ମାନ୍ସ କରିବାକୁ ନିମନ୍ତ୍ରଣ କରିଥିଲେ। ଆଉ ଡିଲ୍ କନଫର୍ମ ପରେ ଇଭେଣ୍ଟ ଅର୍ଗାନାଇଜର ବି ତାଙ୍କ ଖାତାକୁ ଟଙ୍କା ଟ୍ରାନ୍ସଫର୍ କରିଥିଲେ। ଡିସେମ୍ୱର ୨ରେ ଦିଲ୍ଲୀରେ ବିମାନବନ୍ଦରରେ ପହଞ୍ଚିବା ପରେ ଇଭେଣ୍ଟ ଲାଗି ବାହାରିଥିଲେ। ଏହି ମଉକାରେ ଜଣେ ବ୍ୟକ୍ତି ତାଙ୍କର ଫ୍ୟାନ୍ ଆଳରେ ପାଖକୁ ଆସି ସାଙ୍ଗରେ ସେଲଫି ନେବାକୁ ଚାହିଁଥିଲା। ଆଉ ସାଙ୍ଗରେ ଫଟୋ ଉଠାଇବା ଅବସରରେ ତାଙ୍କୁ ଗାଡ଼ିକୁ ଠେଲି ଦେଇ ଅପହରଣ କରିନେଇଥିଲା। ଆଖିରେ କଳାପଟି ବାନ୍ଧି ଦୁଇ ମହଲା ଘରକୁ ନେଇଯାଇଥିଲେ। ତାଙ୍କୁ ଧମକ ଦେଇ ୨୦ଲକ୍ଷ ଟଙ୍କା ମଗାଯାଇଥିଲା। ସାଙ୍ଗରେ ଏଟିଏମ କାର୍ଡ ଆଣିନି ବୋଲି ସୁନୀଲ କହିବାରୁ ବାର୍ଗେନିଂ ଆରମ୍ଭ କରିଥିଲେ ଅପହରଣକାରୀ। ଫୋନରେ କୌଣସି ସାଙ୍ଗ ସହ କଥାବାର୍ତ୍ତା କରି ଟଙ୍କା ଯୋଗାଡ଼ କରିବାକୁ କହିଲେ। ଆଉ ସାଢ଼େ ୭ ଲକ୍ଷ ଟଙ୍କା ଯୋଗାଡ଼ କରିବାରୁ ତାଙ୍କୁ ଛାଡ଼ିଥିଲେ। ପାଲଟା ଫ୍ଲାଇଟ୍ ଟିକଟ ପାଇଁ ୨୦ହଜାର ଟଙ୍କା ସୁନୀଲଙ୍କୁ ଦେଇଥିଲେ ଅପହରଣକାରୀ। ସୁନୀଲଙ୍କୁ ରାସ୍ତାକଡ଼ରେ ଛାଡ଼ିଦେଇ ପାର୍ ହୋଇଯାଇଥିଲେ। ଅଟୋ ଓ ମେଟ୍ରୋ ଯୋଗେ ସେ ବିମାନବନ୍ଦରରେ ପହଞ୍ଚିଥିଲେ। ଯଦିଓ ଅପହରଣକାରୀ ତାଙ୍କର କୌଣସି କ୍ଷତି କରିନାହାନ୍ତି, କିନ୍ତୁ ଏଭଳି ଘଟଣା ତାଙ୍କର ମାନସିକ ସ୍ଥିତିକୁ ପ୍ରଭାବିତ କରିଛି। ପୁଲିସରେ ନିଜର ବୟାନ ରେକର୍ଡ କରିଛନ୍ତି ସୁନୀଲ। ଅପହରଣକାରୀ ସମସ୍ତ କଲରେକର୍ଡ ଡିଲିଟ୍ କରି କୌଣସି ପ୍ରମାଣ ଛାଡ଼ିନାହାନ୍ତି।
ବଡ଼ କଥା ହେଲା, ଅପହରଣକାରୀଙ୍କ ପାଖରେ ସୁନୀଲଙ୍କ ବାବଦରେ ସବୁ ଖବର ଥିଲା। ସୁନୀଲ କ୍ଷୋଭ ଝାଡ଼ିଛନ୍ତି ଯେ, ତାଙ୍କ ସହ ଏତେ ବଡ଼ ଅଘଟଣ ଘଟିବା ସତ୍ତ୍ୱେ କିଛି ଲୋକ ଏହାକୁ ପବ୍ଲିସିଟି ଷ୍ଟଣ୍ଟ୍ ଆଖ୍ୟା ଦେଉଛନ୍ତି। ଯେହେତୁ ଅପହରଣକାରୀ ଟଙ୍କା ନେବାକୁ ଅନେକ ଆକାଉଣ୍ଟର ବ୍ୟବହାର କରିଛନ୍ତି। ଏହି କାରଣରୁ ପୁଲିସ ସୁନୀଲଙ୍କୁ ଠାବ କରିବା ହେଉ ଅବା ଅପହରଣକାରୀଙ୍କ ବାବଦରେ ସୂଚନା ପାଇବା ସହଜ ହେବ ବୋଲି ଆଶା କରାଯାଉଛି। ଭବିଷ୍ୟତରେ ଇଭେଣ୍ଟ ଆଳରେ କୌଣସି ସେଲିବ୍ରିଟି ଏଭଳି ଅପହରଣର ଶୀକାର ନ ହୁଅନ୍ତୁ, ସେଦିଗରେ ଦୃଷ୍ଟି ଦେବାକୁ ଫ୍ୟାନ୍ସ ଅପିଲ୍ କରିଛନ୍ତି।
Naxatra News is now on Whatsapp
Join and get latest news update delivered to you via whatsapp
Join Now