ଟାର୍ଗେଟ ପୂରଣ ନ ହେବାରୁ- ଜଞ୍ଜିରରେ ବାନ୍ଧି ପଶୁ ଭଳି ବ୍ୟବହାର!

ଜଞ୍ଜିରରେ ବାନ୍ଧିଲେ। ପଶୁଙ୍କ ଭଳି ଚଲାଇଲେ। ଟାର୍ଗେଟ ପୂରଣ କରିନପାରିବାରୁ ଏକ କମ୍ପାନୀ ନିଜ କର୍ମଚାରୀଙ୍କ ପ୍ରତି ଏଭଳି ଅମାନବୀୟ ଆଚରଣ କରିଛି। କେରଳ କୋଚିରୁ ଏକ ଭିଡ଼ିଓ ଭାଇରାଲ ହୋଇଛି। ଯେଉଁଠି ଦେଖାଦେଇଛି ଯେ, ଏକ ମାର୍କେଟିଂ ଫାର୍ମରେ ଖରାପ ପ୍ରଦର୍ଶନରୁ କର୍ମଚାରୀଙ୍କୁ ଅକଥନୀୟ ନିର୍ଯ୍ୟାତନା ଦିଆଯାଉଛି। ବେକରେ ଜଞ୍ଜିର ବାନ୍ଧି, ପଶୁଙ୍କ ଭଳି ଆଣ୍ଠୁମାଡ଼ି ଚାଲିବାକୁ କୁହାଯାଉଛି। ଗୁରୁଣ୍ଡି ତଳେ ଥିବା ଖାଇବାକୁ ବାଧ୍ୟ କରାଯାଉଛି। ଆଉ ଏକ ଭିଡ଼ିଓରେ ଦଣ୍ଡ ଦେବାକୁ ଯାଇ କର୍ମଚାରୀଙ୍କୁ ପୋଷାକ ଓହ୍ଲାଇବାକୁ ବାଧ୍ୟ କରାଯାଉଛି। ଏ ଭିଡ଼ିଓ ସଂପୃକ୍ତ କମ୍ପାନୀର ଜଣେ ପୂର୍ବତନ ମ୍ୟାନେଜର ନିଜ ଫୋନରେ ସୁଟ୍ କରିଥିଲେ। ସେପଟେ ପୁଲିସ କହିଛି, ପୂର୍ବତନ ମ୍ୟାନେଜର ସହ କମ୍ପାନୀ ମାଲିକଙ୍କର ବିବାଦ ଥିଲା। ନୂଆ ପ୍ରଶିକ୍ଷାର୍ଥୀଙ୍କ ସହ ଏହି ଭିଡ଼ିଓ ସୁଟ୍ କରି ଏହା ସେମାନଙ୍କ ଟ୍ରେନିଂର ଏକ ଅଂଶ ବୋଲି ଦାବି କରିଛନ୍ତି। ଏ ଭିଡ଼ିଓ ପ୍ରାୟ ୪ ମାସ ତଳର। ସେତେବେଳକୁ ସଂପୃକ୍ତ ମ୍ୟାନେଜର କମ୍ପାନୀ ଚାକିରୀ ଛାଡ଼ିସାରିଥିଲେ। ଭିଡ଼ିଓ ଭାଇରାଲ ପରେ କେରଳର ଶ୍ରମ ବିଭାଗ କର୍ମସ୍ଥଳରେ କର୍ମଚାରୀଙ୍କୁ ଉତ୍ପୀଡ଼ନ ମାମଲାର ଯାଞ୍ଚ ନିର୍ଦେଶ ଦେବା ସହ ରିପୋର୍ଟ ତଲବ କରିଛି। ପୁଲିସ ବି ଭାଇରାଲ ଭିଡ଼ିଓ ଆଧାରେର ନିଜ ଆଡ଼ୁ ସଂଜ୍ଞାନ ନେଇ କର୍ମଚାରୀଙ୍କ ବୟାନ ରେକର୍ଡ କରିଛି। ସମସ୍ତ କର୍ମଚାରୀ ଏଥିଲାଗି ପୂର୍ବତନ ମ୍ୟାନେଜରଙ୍କୁ ଦାୟୀ କରିଛନ୍ତି। ପୂର୍ବତନ ମ୍ୟାନେଜର କମ୍ପାନୀକୁ ବଦନାମ କରିବାକୁ ଏମିତି ଭିଡ଼ିଓ ସୁଟ୍ କରିଥିଲେ। ସଂପୃକ୍ତ କମ୍ପାନୀ କଲୁରରେ ଅଛି ଓ ଘଟଣା ପେରୁମ୍ୱବୁରରେ ଘଟିଛି। ଶ୍ରମମନ୍ତ୍ରୀ ବି.ଶିବନକୁଟ୍ଟି କହିଛନ୍ତି, ଏହି ଭିଡ଼ିଓ ବ୍ୟଥିତ କରିଛି। କେରଳରେ ଏମିତି କାମକୁ ବରଦାସ୍ତ କରାଯିବନି। ଏହାର ସତ୍ୟାସତ୍ୟ ଯାଞ୍ଚ ହେଉଛି। ରାଜ୍ୟ ମାନବାଧିକାର ଆୟୋଗ ବି ଏହି ଘଟଣାକୁ ନିଜ ଆଡ଼ୁ ସଂଜ୍ଞାନ ନେଇଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *