୨୧ ବର୍ଷୀୟ ଦୀପକ ମିଣାଙ୍କ ମୃତ ଦେହ ଉଦ୍ଧାର, ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମାଙ୍କ ଦ୍ୱାରସ୍ଥ ହୋଇଛନ୍ତି ପରିବାରବର୍ଗ

ଦିଲ୍ଲୀରେ ୟୁପିଏସସି ପରୀକ୍ଷା ଲାଗି ପ୍ରସ୍ତୁତ ହେଉଥିବା ଜଣେ ଯୁବକର ମୃତ ଦେହ ୧୦ ଦିନ ପରେ ଠାବ ହୋଇଛି। ଯୁବକର ସନ୍ଦେହଜନକ ମୃତ୍ୟୁ ନେଇ ପରିବାର ଲୋକେ ନ୍ୟାୟ ଲାଗି ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମାଙ୍କ ଦ୍ୱାରସ୍ଥ ହୋଇଛନ୍ତି। ହତ୍ୟା ନା ଆତ୍ମହତ୍ୟା। ପୁରା ମାମଲାର ନିରପେକ୍ଷ ତଦନ୍ତ ଲାଗି ଦାବି ହୋଇଛି। ମୃତ ଯୁବକର ନାଁ ଦୀପକ ମିଣା।

ଦିଲ୍ଲୀରେ ରହି ୟୁପିଏସସି ପରୀକ୍ଷା ଲାଗି ପ୍ରସ୍ତୁତି ଚଳାଇଥିଲେ। କିନ୍ତୁ ୧୦ ଦିନ ପରେ ଠାବ ହେଲା ତାଙ୍କର ଗଳିତ ମୃତ ଶରୀର। ତା ପୁଣି ସନ୍ଦେହଜନକ ଅବସ୍ଥାରେ। ଦିଲ୍ଲୀର ମୁଖାର୍ଜୀନଗରରେ ୟୁପିଏସସି ପରୀକ୍ଷା ପ୍ରସ୍ତୁତି ଲାଗି ୨୧ ବର୍ଷୀୟ ଦୀପକ ମିଣାଙ୍କ ମୃତ ଦେହ ସନ୍ଦିଗ୍ଧ ଅବସ୍ଥାରେ ଉଦ୍ଧାର ପରେ ଅନେକ କଥା ଉଠିଛି। ପରିବାର ଲୋକେ ଏହାକୁ ହତ୍ୟା ବୋଲି କହିଛନ୍ତି। ଏହାର ନିରପେକ୍ଷ ତଦନ୍ତ ସହ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଲାଗି ଦାବି କରିଛନ୍ତି। ଏଥିଲାଗି ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମାଙ୍କ ଦ୍ୱାରସ୍ଥ ହୋଇଛନ୍ତି ପରିବାରବର୍ଗ। ପ୍ରାଥମିକ ତଦନ୍ତରୁ ଏହାକୁ ଆତ୍ମହତ୍ୟା ବୋଲି କହି ପୁଲିସ ତଦନ୍ତ ଜାରି ରଖିଥିଲା। ଯଦିଓ ମୃତକ ପାଖରୁ କୌଣସି ସୁଇସାଇଡ୍ ନୋଟ୍ ଜବତ ହୋଇନି। ପାଖରେ ବ୍ୟାଗ୍ ପଡ଼ିଥିଲା।ଆଖପାଖର ସିସିଟିଭି ଫୁଟେଜକୁ ଯାଞ୍ଚ କରୁଛି ପୁଲିସ।

୧୦ ଦିନ ଧରି ନିଖୋଜ ଥିଲେ ଦୀପକ। ସେପ୍ଟେମ୍ୱର ୧୧ରୁ ଦୀପକଙ୍କ ପତ୍ତା ମିଳିନଥିଲା। ସେପ୍ଟେମ୍ୱର ୧୪ରେ ପରିବାର ଲୋକେ ମୁଖାର୍ଜୀ ନଗର ଥାନାରେ ଏତଲା ଦେଇଥିଲେ। ମୁଖାର୍ଜୀ ନଗର ଅଞ୍ଚଳରେ ଥିବା ଏକ ଜଙ୍ଗଲ ବୁଦାରେ ଶବକୁ ଠାବ କରିଥିଲା ପୁଲିସ। ଲାଇବ୍ରେରୀର କିଛି ଦୂରରେ ହିଁ ଦୀପକଙ୍କ ଶବ ଠାବ ହୋଇଥିଲା। ଶବବ୍ୟବଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଛି ପୁଲିସ। ଦୀପକଙ୍କ ଘର ରାଜସ୍ଥାନରେ। ଦୀପକଙ୍କ ବାପାଙ୍କ କହିବା କଥା, ୟୁପିଏସସିର ଅନଲାଇନ କୋର୍ସ କରି ଜୟପୁରରେ ରହି ଚଳିତବର୍ଷ ପ୍ରିଲିମ୍ କ୍ୱାଲିଫାଏ କରିଥିଲେ। ଇଣ୍ଟରଭ୍ୟୁ ପାଇଁ ଦିଲ୍ଲୀରେ ମେସରେ ରହି ପ୍ରସ୍ତୁତି ଚଳାଇଥିଲେ। ଜୁଲାଇ ମାସରୁ ମୁଖାର୍ଜୀନଗରରେ ରହି କୋଚିଂ ନେଉଥିଲେ। ପ୍ରତିଦିନ ପରିବାର ଲୋକଙ୍କ ସହ ଫୋନରେ କଥା ହେଉଥିଲେ ଦୀପକ। ସେପ୍ଟେମ୍ୱର ୧୦ ରାତିରେ ଶେଷଥର  କଥା ହୋଇଥିଲେ। ଆଉ ତା ପରେ ଫୋନ୍ କରିନଥିଲେ। ସେପ୍ଟେମ୍ୱର ୧୩ରୁ ଫୋନ୍ ସ୍ୱିଚଅଫ୍ ଦେଖାଇଥିଲା। ପରିବାର ଲୋକେ ସଂପୃକ୍ତ ଇନଷ୍ଚିଚ୍ୟୁଟ ଉପରେ ବି ଆରୋପ ଲଗାଇଛନ୍ତି। ଦୀପକ ମେସରେ ୧୧ ତାରିଖରୁ ନଥିବା ନେଇ କୌଣସି ସୂଚନା ଦିଆଯାଇନଥିଲା ପରିବାରକୁ।

ଦୀପକଙ୍କ ଭଳି ମେଧାବୀ ଛାତ୍ରଙ୍କ ମୃତ୍ୟୁ ପଛର ପ୍ରକୃତ କାରଣକୁ ଠାବ କରିବାକୁ ପୁଲିସ ତନାଘନା ଜାରି ରଖିଛି। ସୋସିଆଲ ମିଡ଼ିଆରେ ନ୍ୟାୟ ଲାଗି ଦାବି ଶାଣିତ ହୋଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *