ନକଲି ସାର୍ଟିଫିକେଟ କାରବାର, ଅଧ୍ୟାପକ ଗିରଫ

Spread the love

ଖୋର୍ଦ୍ଧା : ନକଲି ସାର୍ଟିଫିକେଟ କାରବାର ଅଭିଯୋଗରେ ଖୋର୍ଦ୍ଧା ସଦର ଥାନା ପୋଲିସ ଜଣେ ଅଧ୍ୟାପକଙ୍କୁ ଗିରଫ କରିଛି । ଗିରଫ ଅଧ୍ୟାପକ ଜଣକ ହେଲେ ଯାଜପୁର ଜିଲ୍ଲା କୁଆଖିଆ ଥାନା ଅଞ୍ଚଳର ତପନ କୁମାର ପୃଷ୍ଟି (୩୨) । ସେ ଟାଉନ ଥାନା ଅନ୍ତର୍ଗତ ଠେଙ୍ଗାହାଟ ଛକରେ ଭଡାରେ ରହି କାଇପଦର ସ୍ଥିତ ଜଗନ୍ନାଥ କଲେଜର ରାଜନୀତି ବିଜ୍ଞାନ ବିଭାଗରେ ଅଧ୍ୟାପିକତା କରୁଥିଲେ ।

ପୋଲିସ ସୂଚନା ମୁତାବକ, ସଦର ଥାନା ଦଧିମାଛଗାଡ଼ିଆ ଅଞ୍ଚଳର ଛାତ୍ର ଅଭିଷେକ ସାମନ୍ତରାୟ (୧୮) ଚଳିତ ଯୁକ୍ତ ଦୁଇ କଳା ପରୀକ୍ଷାରେ ଫେଲ ହୋଇ ଯାଇଥିଲେ। ତେବେ ଅଭିଷେକ ପାସ ସାର୍ଟିଫିକେଟ ପାଇଁ ତପନକୁ ଫୋନ ପେ ଓ ଗୁଗୁଲ ପେ ମାଧ୍ୟମରେ ୩୩ ହଜାର ଟଙ୍କା ଦେଇଥିଲେ।ପରେ ତପନ ରାଷ୍ଟ୍ରୀୟ ମୁକ୍ତ ବିଦ୍ୟାଳୟର ଏକ ନକଲି ପାସ ସାର୍ଟିଫିକେଟ ଦେଇଥିଲେ । ପରବର୍ତ୍ତୀ ସମୟରେ ଯାଞ୍ଚ କରିବାରୁ ଉକ୍ତ ସାର୍ଟିଫିକେଟ ନକଲି ବୋଲି ଜାଣିବାକୁ ପାଇଥିଲେ ଅଭିଷେକ । ଏନେଇ ସଦର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ସଦର ଥାନା ପୋଲିସ କେସ ନମ୍ବର ୨୨୧/୨୩ ରେ ଏକ ମାମଲା ରୁଜୁ କରିଥିଲା। ସଦର ଥାନା ଆଇଆଇସି କାହ୍ନୁ ଚରଣ ସ୍ଵାଇଁଙ୍କ ନେତୃତ୍ଵରେ ଏକ ଟିମ ଗଠନ କରାଯାଇ ଅଭିଯୁକ୍ତ ଅଧ୍ୟାପକ ତପନଙ୍କୁ ଗିରଫ କରାଯାଇଛି। ତେବେ ତପନ ରାଷ୍ଟ୍ରୀୟ ମୁକ୍ତ ବିଦ୍ୟାଳୟ ନାମରେ ନକଲି ଦସ୍ତାବିଜ ତିଆରି କରି ବିଦ୍ୟାର୍ଥୀ ମାନଙ୍କୁ ପ୍ରଦାନ କରି ବିପୁଳ ଅର୍ଥ ଉପାର୍ଜନ କରୁଥିବାର ତଦନ୍ତ ବେଳେ ଜଣାପଡିଛି। ତାଙ୍କ ନିକଟରୁ ପୋଲିସ ବହୁ ଆପତ୍ତିଜନକ ସାମଗ୍ରୀ ଜବତ କରିବା ସହ ତାଙ୍କୁ କୋର୍ଟଚାଲାଣ କରିଛି ।

Leave a Reply

Your email address will not be published. Required fields are marked *