ନକଲି ଔଷଧ ମାମଲାରେ ଆଉ ଦୁଇ ଗିରଫ

Spread the love

କଟକ: କଟକରେ ନକଲି ଔଷଧ କାରବାର ମାମଲାରେ ଆଉ ଦୁଇଜଣଙ୍କୁ ଗିରଫ କଲା ପୁରିଘାଟ ଥାନା ପୋଲିସ । ସେମାନେ ନକଲି ଔଷଧ କାରବାରରେ ଗିରଫ ହୋଇଥିବା ଦୁଇ ଷ୍ଟକିଷ୍ଟିଙ୍କ ଠାରୁ ଔଷଧ କିଣୁଥିବା ଜଣାପଡିଛି। ପୂର୍ବରୁ ଏହି ମାମଲାରେ 4 ଜଣ ଗିରଫ ହୋଇଥିଲେ । ତେବେ ଅଧିକ ଖୋଳତାଡ଼ କରିବା ପାଇଁ ଉଭୟଙ୍କୁ ରିମାଣ୍ଡରେ ଆଣିବ ବୋଲି କହିଛନ୍ତି କଟକ ଡିସିପି।

କଟକରେ ନକଲି ଔଷଧ କାରବାର ଘଟଣାର ଅଧିକ ଖୋଳତାଡ଼ ଜାରି ରଖିଛି କମିଶନରେଟ ପୋଲିସ। ଏହି କଳା କାରବାର ଲିଙ୍କରେ ୨ ଜଣଙ୍କୁ ଗିରଫ କରିଛି ପୋଲିସ। ଗିରଫ ଦୁଇ ଷ୍ଟକିଷ୍ଟ ହେଲେ କଟକ ନିମଚୌଡିର ଶିବ କୁମାର କୟାଲ ଏବଂ ନୟାସଡ଼କର ମହେନ୍ଦ୍ର କୁମାର ମୋଦି। ଗିରଫ ସମୟରେ ଦୁଇଟି ଷ୍ଟକିଷ୍ଟଙ୍କ ଠାରୁ 8 ହଜାର ଷ୍ଟ୍ରିପ ନକଲି ଟେଲମା 40 ଔଷଧ ଜବତ କରାଯାଇଛି। ତେବେ ଜବତ ନକଲି ଔଷଧର ଆନୁମାନିକ ମୂଲ୍ୟ 3 ଲକ୍ଷ ଟଙ୍କା ହେବ। ଦୁଇ ଷ୍ଟକିଷ୍ଟଙ୍କର ଆର୍ଥିକ କାରବାରର ତଦନ୍ତ କରାଯିବ। ସେମାନଙ୍କୁ ରିମାଣ୍ଡରେ ଆଣିବା ପାଇଁ କୋର୍ଟରେ ଆବେଦନ କରିବ ପୋଲିସ। ଆଗକୁ ଯାହାର ବି ସମ୍ପୃକ୍ତି ବାହାରିବ ତାଙ୍କ ବିରୁଦ୍ଧରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି କଟକ ଡିସିପି।

ପୂର୍ବରୁ କଟକର ଦୁଇଟି ଷ୍ଟକିଷ୍ଟ ଭି.ଆର ଡ୍ରଗ ଏଜେନ୍ସି ଓ ପୂଜା ଏଣ୍ଟରପ୍ରାଇସର ଦୁଇ ଜଣ ମାଲିକଙ୍କୁ ପୂର୍ବରୁ ଗିରଫ କରିଥିଲା ପୋଲିସ । ଭି.ଆର ଡ୍ରଗ ଏଜେନ୍ସିର ମାଲିକ ରାହୁଲ କ୍ୟାଲ ଏବଂ ପୂଜା ଏଣ୍ଟରପ୍ରାଇସର ମାଲିକ ସଞ୍ଜୟ ଜଲାନଙ୍କୁ ଗିରଫ କରିବା ପରେ ଏହାର ଚେର ବାହାର ରାଜ୍ୟକୁ ଲମ୍ବି ଥିବା ପୋଲିସ ଜାଣିବାକୁ ପାଇଥିଲା । ବିହାର ଗୟାରୁ ଆଲୋକ ମିଶ୍ରା ଏବଂ ହରିଷ କୁମାରଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା । ଗିରଫ ପରେ 2 ଅଭିଯୁକ୍ତଙ୍କୁ 3 ଦିନିଆ ରିମାଣ୍ଡରେ ନେଇ ଅଧିକ ଖୋଳତାଡ଼ କରିଥିଲା। ଓଡ଼ିଶା ଡ୍ରଗ କଣ୍ଟ୍ରେଲ ବିଭାଗ ରାଜ୍ୟ ଭିତରେ କାରବାର ହୋଇଥିବା 30 ଲକ୍ଷ ଟଙ୍କାର ନକଲି ଔଷଧକୁ ବଜାରରୁ ଜବତ କରିଛି । ଏହା ବ୍ୟତୀତ ଦୁଇଟି ପର୍ଯାୟରେ ଗିରଫ ଅଭିଯୁକ୍ତଙ୍କ ବିଭିନ୍ନ ବ୍ୟାଙ୍କରେ ଥିବା ମୋଟ 40 ଲକ୍ଷ ଟଙ୍କାକୁ ଜବତ କରିଛି ପୋଲିସ ବୋଲି କହିଛନ୍ତି କଟକ ଡିସିପି ।

ନକଲି ମେଡିସିନ କାରବାର ଘଟଣାରେ ପୋଲିସ ଅଧିକ ଖୋଳତାଡ ଜାରି ରହଖିଥିବାବେଳେ ଡୁପଲିକେଟ ମେଡ଼ିସିନ ପ୍ରସ୍ତୁତକାରୀଙ୍କ ପାଖରେ କିନ୍ତୁ ଏପର୍ଯ୍ୟନ୍ତ ପହଞ୍ଚିପାରିନି ପୋଲିସ।

ଚିତ୍ତରଞ୍ଜନ ସାମନ୍ତରାୟଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *