କଙ୍ଗାରୁ କୋର୍ଟରେ ନିଆଁ, ପାଣି ବାସନ୍ଦ

Spread the love

ଖୋର୍ଦ୍ଧା : ଜିଲ୍ଲାର ସଦରଥାନା ଅନ୍ତର୍ଗତ କୋକସିଂହ ଗ୍ରାମରେ ଭୂମିହୀନଙ୍କ ଉପରେ ଗାଁ ମୁଖିଆଙ୍କ ଜୁଲୁମ । ଶ୍ରୀଜଗନ୍ନାଥଙ୍କ ଭୂସମ୍ପତ୍ତିରେ ଦୀର୍ଘଦିନ ଧରି ଘର ନିର୍ମାଣ କରି ରହୁଥିବା ଜଣେ ମହିଳାଙ୍କ ଘରର ପାଚେରୀ ଭଙ୍ଗାରୁଜା ପରେ ସେ ଥାନାର ଦ୍ବାରସ୍ଥ ହୋଇଛନ୍ତି । କିଛି ମୁଷ୍ଟିମେୟ ବ୍ୟକ୍ତି ଜଗନ୍ନାଥ ଜମିକୁ ପ୍ଲଟିଂ କରି ବିକ୍ରି କରିବା ନେଇ ମହିଳା ଜଣକ ଥାନାରେ ଅଭିଯୋଗ କରିଛନ୍ତି । ଏପରିକି ମହିଳାଙ୍କ ପରିବାର ଏହାକୁ ବିରୋଧ କରିବାରୁ ତାଙ୍କୁ କଙ୍ଗାରୁ କୋର୍ଟରେ ନିଆଁ, ପାଣି ବାସନ୍ଦ କରାଯାଇଥିବା ଅଭିଯୋଗ ହୋଇଛି । ଜଗନ୍ନାଥ ଭୂସମ୍ପତ୍ତିକୁ ପ୍ଲଟିଂ କରି ବିକ୍ରି କରୁଛନ୍ତି ଜମି ଦଲାଲ । ଗାଁର ମୁଖିଆ ସାଜି ଏପରି କାର୍ଯ୍ୟ କରୁଥିବା ସଙ୍ଗୀନ ଅଭିଯୋଗ ଆସିଛି । ଏହାକୁ ପ୍ରତିବାଦ କଲେ ନିଆଁ ପାଣି ବାସନ୍ଦ ଭଳି କଠୋର କାର୍ଯ୍ୟାନୁଷ୍ଠାନ ନେଉଛନ୍ତି କଙ୍ଗାରୁ କୋର୍ଟରେ । ଏଭଳି ଏକ ସଙ୍ଗୀନ ଅଭିଯୋଗ ଆଣି ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କୁ ଭେଟିଛନ୍ତି ପୀଡିତା ପରିବାର ସଦସ୍ୟ ।

ଜିଲ୍ଲାର ସଦରଥାନା ଅନ୍ତର୍ଗତ କୋକସିଂହ ଗ୍ରାମର ତୃପ୍ତିମୟୀ ଚମ୍ପତି ଗରିବ ଭୂମିହୀନ ମହିଳା ହୋଇଥିବାରୁ ସେ ଶ୍ରୀଜଗନ୍ନାଥଙ୍କ ଭୁସମ୍ପତ୍ତିରେ ଦୀର୍ଘଦିନ ଧରି ଘର ନିର୍ମାଣ କରି ରହିଆସୁଛନ୍ତି । କିନ୍ତୁ, ଗ୍ରାମର କିଛି ମୁଷ୍ଟିମେୟ ବ୍ଯକ୍ତି ଜଗନ୍ନାଥ ଜମିକୁ ପ୍ଲଟିଂ କରି ବିକ୍ରି କରୁଛନ୍ତି । ନିକଟରେ ଏକ ଅନାଥ ଆଶ୍ରମ କରୁଥିବା ଜଣେ ବ୍ୟକ୍ତିଙ୍କୁ ବିକ୍ରି କରିଥିଲେ । ଏପରିକି ସେହି ଅନାଥ ଆଶ୍ରମକୁ ରାସ୍ତା ନେବା ପାଇଁ ଗ୍ରାମର ମୁଷ୍ଟିମେୟ ବ୍ଯକ୍ତିମାନେ ତୁପ୍ତିମୟୀଙ୍କ ପାଚେରୀ ଭଙ୍ଗାରୁଜା କରିବାବେଳେ ତୃପ୍ତିମୟୀଙ୍କ ପରିବାର ବିରୋଧ କରିବାରୁ ଗୋଷ୍ଠୀ ସଂଘର୍ଷ ହୋଇଥିଲା । ଉଭୟ ପକ୍ଷରୁ ସଦର ଥାନାରେ ଅଭିଯୋଗ ପରେ ପୃଥକ ପୃଥକ ଦୁଇଟି ମାମଲା ରୁଜୁ କରି ଚୁପ ବସିଥିଲା ପୋଲିସ । ଫଳରେ ଗତ ୧୨ ତାରିଖରେ ଗ୍ରାମର ସଭାପତି ପଦ୍ମନାଭ ଖାଡଙ୍ଗା, ବିନାୟକ ଚମ୍ପତି, ଅନ୍ତର୍ଯ୍ୟାମୀ ବଳିୟାରସିଂହ, ଜୟକୃଷ୍ଣ ରାଉତରାୟ, ପ୍ରମୋଦ ଚମ୍ପତି, ପ୍ରକାଶ ଚମ୍ପତି, ଦିଲ୍ଲୀପ କୁମାର ମହାପାତ୍ର, ପ୍ରକାଶ କୁମାର ସାହୁ, ଗୟାଧର ସାହୁ, ଗଜପତି ଦାସ ପ୍ରମୁଖ ଗାଁରେ ସଭାକରି ଗାଁର କୌଣସି ଲୋକ ତୃପ୍ତିମୟୀଙ୍କ ପରିବାର ସହ କଥାବାର୍ତ୍ତାକୁ ବନ୍ଦ କରିଥିବା ବେଳେ ଯିଏ କଥାବାର୍ତ୍ତା କରିବ ତେବେ ୫୦୦ ଟଙ୍କା ଜୋରିମାନା ଦେବାକୁ ପଡିବ, ନଳକୂପରୁ ପାଣି ନେବା ବନ୍ଦ କରିବା, ପୋଖରୀରେ ସ୍ନାନ କରିବା ଉପରେ କଟକଣା ଲାଗୁ କରିବା, ତାଙ୍କ ପିଲାମାନଙ୍କୁ ଅଗଂନବାଡିରେ ପାଠପଢାକୁ ବାରଣ କରିଥିବା ସହ ରାସ୍ତାଘାଟରେ ଗଲା ବେଳେ ଜୀବନରେ ମାରିଦେବାକୁ ଧମକ ଦେବା ନେଇ ତୁପ୍ତିମୟୀ ଆଜି ଲିଖିତ ଅଭିଯୋଗ କରିଛନ୍ତି।ଏପରିକି ସାମାଜିକ ବାସନ୍ଦ ହେବା ପରେ ସେ ମାନସିକ ଯନ୍ତ୍ରଣା ଭୋଗୁଥିବା ସହ ବିଭିନ୍ନ ସମସ୍ଯାର ସମ୍ମୁଖୀନ ହେଉଛନ୍ତି । ଯାହାକୁ ନେଇ ତୁପ୍ତିମୟୀ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ସହ ଅତିରିକ୍ତ ଏସପି ସୁରେନ୍ଦ୍ର କୁମାର ମୁର୍ମୁଙ୍କୁ ଭେଟି ଘଟଣାର ତୁରନ୍ତ ସମାଧାନ କରିବାକୁ ନିବେଦନ କରିଛନ୍ତି । ଯଦି ତାଙ୍କ ସମସ୍ଯା ପ୍ରତି ଜିଲ୍ଲା ପ୍ରଶାସନ ମାସେ ଭିତରେ ସମାଧାନ ନ କରେ ତେବେ ସେ ନବୀନନିବାସ ଆଗରେ ପରିବାର ସହ ଆତ୍ମହୁତି ଦେବାକୁ ଚେତାବନୀ ଦେଇଛନ୍ତି ।

ସୂଚନା ଥାଉ କି, କୁଞ୍ଜୁରୀ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଜଗନ୍ନାଥଙ୍କ ଜମିକୁ ପ୍ଲଟିଂ କରି ଜମି ମାଫିଆ ବିକ୍ରି କରିବା ସହ କିଛି ଜାଗାରେ ବେଆଇନ ପଥର ଖଣି କରିବା ସହ ପିଲାମାନେ ଖେଳୁଥିବା ପଡିଆ ମଧ୍ୟରେ ବେଆଇନ ରାସ୍ତା ନିର୍ମାଣ କରି ପ୍ଲଟିଂ କରି ବିକ୍ରି କରୁଥିବା ଆଦିବାସୀମାନେ ତହସିଲ ପ୍ରଶାସନ ନିକଟରେ ଅଭିଯୋଗ କରିଛନ୍ତି । କିନ୍ତୁ, ତହସିଲ ହେଉକି ଜଗନ୍ନାଥ ମନ୍ଦିର ପ୍ରଶାସନ ସବୁ ଜାଣି ଚୁପ ବସିବା ସମସ୍ତଙ୍କୁ ସନ୍ଦେହ ସୁଷ୍ଟି କରୁଛି । ଯାହାଦ୍ବାରା ଜମି ମାଫିଆ ଜଗନ୍ନାଥ ମନ୍ଦିର ପ୍ରଶାସନ ଜମିକୁ କୋଟି କୋଟି ଟଙ୍କାରେ ବେଆଇନ ଭାବେ ବିକ୍ରି କରିବା ସହ ପଥର ଉତ୍ତୋଳନ କରି ରାଜସ୍ବ ଲୁଟୁଛନ୍ତି । ତୁରନ୍ତ ଜଗନ୍ନାଥ ମନ୍ଦିର ପ୍ରଶାସନ ଏହା ଉପରେ ହସ୍ତକ୍ଷେପ କରି ମୁଷ୍ଟିମେୟ ବ୍ୟକ୍ତିଙ୍କ ସହ ଜମି ମାଫିଆଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନେଲେ ଗ୍ରାମରେ ଶାନ୍ତି ଫେରି ପାରନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।

Leave a Reply

Your email address will not be published. Required fields are marked *