ସତ୍ତ୍ୱରେ ଜାଲିଆତି- ଏତଲା ଦେଲେ ଖଣ୍ଡଗିରି ସବ-ରେଜିଷ୍ଟ୍ରାର

ନକ୍ଷତ୍ର ନ୍ୟୁଜର ବଡ଼ ପ୍ରଭାବ। ସତ୍ତ୍ୱ କେଳେଙ୍କାରୀକୁ ନେଇ ଅନୁସନ୍ଧାନ ମୂଳକ ରିପୋର୍ଟ ପ୍ରସାରିତ ପରେ ଶେଷରେ ଖଣ୍ଡଗିରି ସବ-ରେଜିଷ୍ଟ୍ରାର ଅର୍ଚ୍ଚନା ଗୌଡ଼ ବଡ଼ଗଡ଼ ଥାନାରେ ଏତଲା ଦେଲେ। କାଶୀପୁର ମୌଜାର ୬୪୫ ଡିସିମିଲ ଜାଗା, ଯାହାର ସତ୍ତ୍ୱ ଥିଲା ବ୍ରହ୍ମୋତ୍ତର ଟଙ୍କି। କିନ୍ତୁ ଏହାକୁ ଚଞ୍ଚକତା କରି ଦଲିଲରେ ସ୍ଥିତିବାନ କରି କିଣାବିକା ହୋଇଗଲା। ତାକୁ ନେଇ ଅକଳରେ ପଡ଼ିଥିଲେ ସବ-ରେଜିଷ୍ଟ୍ରାର। ଅର୍ଚ୍ଚନାଙ୍କ ଜ୍ଞାତସାରରେ ହୋଇଛି ନା ଏହା ଉଦେଶ୍ୟମୂଳକ ଭାବେ ଅର୍ଥ ଲାଳସାରେ କରାଯାଇଛି, ଏହାକୁ ନେଇ ଅଭିଯୋଗକାରୀ ସଙ୍ଗୀନ ଆରୋପ ଲଦିଥିଲେ। ଏତଲାରେ ସବ-ରେଜିଷ୍ଟ୍ରାର ଦର୍ଶାଇଛନ୍ତି ଯେ, ଏହି ଦଲିଲ ତିଆରି କରିଥିଲେ ଓକିଲ ଗଣେଶ୍ୱର ସାହୁ। ପ୍ଲଟ ନମ୍ୱର ୪୦୧। ଖାତା ନମ୍ୱର ୨୦୫/ ୧।  ଅଗଷ୍ଟ ପହିଲାରେ ଏହି ଜମିକୁ କିଣିଥିଲେ ୮ ଜଣ। ବିକିଥିଲେ ଶିବାନୀ ଶଙ୍କର ରଥ। କିନ୍ତୁ ସତ୍ତ୍ୱରେ ଚଞ୍ଚକତା କରାଯାଇଥିଲା। ଏଥିଲାଗି ତୁରନ୍ତ ଏଭଳି ଅପରାଧିକ କାର୍ଯ୍ୟକଳାପରେ ସଂପୃକ୍ତ ସମସ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ ଆଇନଗତ ଆକ୍ସନ ଲାଗି ବଡ଼ଗଡ଼ ଥାନାରେ ଏତଲା ଦେଇଛନ୍ତି ସବ-ରେଜିଷ୍ଟ୍ରାର। ଦସ୍ତାବିଜକୁ ଜାଲିଆତି କରି ଯେଉଁ ଅସାଧୁ ମେଣ୍ଟ ଏଭଳି ଡକ୍ୟୁମେଣ୍ଟ ସବରେଜିଷ୍ଟ୍ରାରଙ୍କ ପାଖରେ ଦାଖଲ କରି ଜମି ପଞ୍ଜୀକରଣ କରିଦେଇଛନ୍ତି, ସେମାନଙ୍କ ବିରୁଦ୍ଧରେ ଆକ୍ସନ ଲାଗି ଫେରାଦ୍ ହୋଇଛନ୍ତି ସବରେଜିଷ୍ଟ୍ରାର। କଥା ପଡ଼ିଛି। ଏତଲା ଖଣ୍ଡେ ଦେଇ କଅଣ ନିଜ ମୁଣ୍ଡ ଉପରୁ ଦୋଷ ଖସିଗଲା ବୋଲି ଭାବୁଛନ୍ତି କି ସବ-ରେଜିଷ୍ଟ୍ରାର। କାରଣ ଜମି ରେଜିଷ୍ଟ୍ରେସନ ବେଳେ ଆଜିକା ଫର୍ମାଟରେ ଅନଲାଇନରେ ସବୁ କିଛି ହାତପାହାନ୍ତାରେ। ମୂହୂର୍ତ୍ତକ ଭିତରେ ସବୁ ଯାଞ୍ଚ କରିହେବ। ତାହେଲେ ଏତେବଡ଼ କେଳେଙ୍କାରୀରୁ କେମିତି ଖସିଯିବେ ସବ-ରେଜିଷ୍ଟ୍ରାର ଅର୍ଚ୍ଚନା ଗୌଡ଼ ଓ ବଡ଼ବାବୁ ଭିକାରୀ ପୃଷ୍ଟି। ଏମାନେ କାହିଁକି ସନ୍ଦେହ ସ୍କାନରକୁ ଆସିବେନି। ଡକ୍ୟୁମେଣ୍ଟରେ ଜାଲିଆତି, ମିଛ ଷ୍ଟେଟମେଣ୍ଟ ଓ ସତକୁ ଲୁଚାଇବାର ସାଙ୍ଘାତିକ ଖେଳ। କିନ୍ତୁ ଯିଏ ଜାଲିଆତି କରି ବିକିଦେଲେ ବା କିଣିଲେ, ସେମାନେ ଖାଲି କଅଣ ଏଥିଲାଗି ଦାୟୀ କି। ଏଭଳି ଜାଲିଆତିକୁ ଧରିବା, ଅନୁଧ୍ୟାନ କରିବା, ଦଲିଲରେ ଦର୍ଶାଯାଇଥିବା ତଥ୍ୟରେ ଅସଙ୍ଗତିକୁ ଠାବ କରିବା ଯାହାର କାମ, ସେମାନେ କେମିତି ଖସିଯିବେ। ସେଥିଲାଗି ତ ସବୁଠି ଚର୍ଚ୍ଚା। ଖଣ୍ଡଗିରି ସବ-ରେଜିଷ୍ଟ୍ରାର ଅଫିସରେ କଳଙ୍କ ଓ କେଳେଙ୍କାରୀର ଛିଟା ଲଗାଇଦେଲେ କି ସବ-ରେଜିଷ୍ଟ୍ରାର ଅର୍ଚ୍ଚନା ଗୌଡ଼। ସବ-ରେଜିଷ୍ଟ୍ରାରଙ୍କୁ ସ୍ୱଛତା ଓ ପାରଦର୍ଶିତାର ପାଠ ପଢ଼ାଇଥିବା ରାଜସ୍ୱ ମନ୍ତ୍ରୀ ଓ ସଚିବଙ୍କ ନିର୍ଦେଶ କାହିଁକି କାଟୁ କଲାନି ଖଣ୍ଡଗିରିରେ। ତାହା ହିଁ ବଡ଼ ପ୍ରଶ୍ନ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *