ଆତଙ୍କି ଲିଂକରେ ସରକାରୀ କର୍ମଚାରୀ..

ପାକିସ୍ତାନ ପାଇଁ ଗୁପ୍ତଚରି ଓ ଆତଙ୍କି ଲିଂକରେ ବ୍ୟାପକ ଗିରଫଦାରି ଜାରି ରହିଛି। ରାଜସ୍ଥାନର ଜୟପୁରରେ ଜଣେ ସରକାରୀ କର୍ମଚାରୀ ଶକୁର ଖାନଙ୍କୁ ପୁଲିସ ଗିରଫ କରିଛି। ତାଙ୍କୁ ଆଜି ୭ଦିନିଆ ରିମାଣ୍ଡରେ ନେଇଛି ପୁଲିସ। ଶକୁର ଜୈସଲମେରରେ ରହି ପାକିସ୍ତାନର ଗୁଇନ୍ଦା ଏଜେନ୍ସିକୁ ଭାରତୀୟ ସେନା ସହ ଜଡ଼ିତ ଅନେକ ସମ୍ୱେଦନଶୀଳ ତଥ୍ୟ ପଠାଉଥିଲା। ଶକୁର ଫୋନରୁ ଅନେକ ପାକିସ୍ତାନୀ ନମ୍ୱର ସହ ଚାଟିଂ ଓ ଫଟୋ ମିଳିଛି। ନିଜ ଫୋନରୁ ଭାରତୀୟ ସାମରିକ ଠିକଣାର ଫଟୋ ଓ ଭିଡ଼ିଓ ପାକିସ୍ତାନକୁ ପଠାଉଥିଲା। ଶକୁର ଖାନ ପାକିସ୍ତାନୀ ଅଧିକାରୀ ଦାନିସ୍ ସହ ସମ୍ପର୍କରେ ଥିଲା। ପହଲଗାଁଓ ଆତଙ୍କି ଆକ୍ରମଣ ପରେ ପାକିସ୍ତାନ ଦୂତାବାସର ଅଧିକାରୀ ଦାନିସଙ୍କ ସନ୍ଦେହଜନକ କାର୍ଯ୍ୟକଳାପ ଦେଖି ଭାରତ ସରକାର ତାଙ୍କୁ ପାକିସ୍ତାନ ପଠାଇଦେଇଛନ୍ତି। ଦାନିସ ଜରିଆରେ ପାକିସ୍ତାନ ଭିସା ବି ପାଇଥିଲା ଶକୁର। ଶକୁର ନିଯୁକ୍ତି ଅଫିସରେ ସହକାରୀ ପ୍ରଶାସନିକ ଅଧିକାରୀ ଭାବେ କାମ କରୁଥିଲେ। ଶକୁର ଖାନ ରାଜସ୍ଥାନର ପୂର୍ବତନ ଗେହଲଟ ସରକାରରେ ସଂଖ୍ୟାଲଘୁ ମନ୍ତ୍ରୀ ସାଲେ ମହମ୍ମଦଙ୍କ ପ୍ରାଇଭେଟ ସେକ୍ରେଟାରୀ ଥିଲେ। ଜୈସଲମେରର ମାଙ୍ଗାଣିୟାର ଗାଁରେ ମେ ୧୦ରେ ପାକିସ୍ତାନ ମିସାଇଲ୍ ପଡିଥିଲା। ଆଉ ଶକୁରର ଗାଁ ସେଇ ମାଙ୍ଗାଣିୟାର। ଜୈସଲମେରରୁ ପାକିସ୍ତାନ ପାଇଁ ଗୁପ୍ତଚରି କରିଥିବା ପଠାନ ଖାନଙ୍କୁ ଏହା ପୂର୍ବରୁ ପୁଲିସ ଗିରଫ କରିସାରିଛି। ହରିଆଣାର ୟୁଟ୍ୟୁବର ଜ୍ୟୋତି ମଲହୋତ୍ରାଙ୍କ ସମ୍ପର୍କରେ ଥିଲା ଶକୁର। ମେ ୨୮ରେ ଶକୁରକୁ ପୁଲିସ ଅଟକ ରଖିଥିଲା। ଶକୁରଙ୍କ ଗତିବିଧି ସନ୍ଦିଗ୍ଧ ଥିଲା। ସେଥିଲାଗି ସୁରକ୍ଷା ଏଜେନ୍ସି ଦୀର୍ଘ ଦିନ ହେଲା ତା ଉପରେ ନଜର ରଖିଥିଲା। ସେପଟେ ଆତଙ୍କି ଲିଂକରେ ୩ ଜଣ ସରକାରୀ କର୍ମଚାରୀଙ୍କୁ ଚାକିରୀରୁ ବହିଷ୍କାର କରିଛନ୍ତି ଜମ୍ମୁ କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା। ଏମାନଙ୍କ ଭିତରେ ପୁଲିସ କନଷ୍ଟେବଳ, ଶିକ୍ଷକ ଓ ସରକାରୀ ମେଡିକାଲ କଲେଜରେ ଜୁନିୟର ଆସିଷ୍ଟାଣ୍ଟ ଅଛନ୍ତି। କନଷ୍ଟେବଳ ମାଲିକ ଇସଫାକ୍ ନାସିର, ଶିକ୍ଷକ ଅଜାଜ ଅହମ୍ମଦ ଓ ଜୁନିୟର ଆସିଷ୍ଟାଣ୍ଟ ଓ୍ୱାସିମ ଅହମ୍ମଦ ଖାନଙ୍କୁ ଚାକିରୀରୁ ବିଦା କରାଯାଇଛି। ଏମାନଙ୍କ ଗତିବିଧି ଓ ଆଚରଣ ଦେଶବିରୋଧୀ ଥିଲା। ପର୍ଯ୍ୟାପ୍ତ ପ୍ରମାଣ ପାଇବା ପରେ ଏମାନଙ୍କୁ ଚାକିରୀରୁ ବିଦା କରାଯାଇଛି। ସୁରକ୍ଷା ବଳ ଓ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରିବାରେ ଏ ତିନି ଜଣ ଆତଙ୍କବାଦୀଙ୍କୁ ସାହାଯ୍ୟ କରୁଥିଲେ। ପହଲଗାଁଓ ଆତଙ୍କି ଆକ୍ରମଣ ପରେ ଦେଶ ଭିତରେ ଥିବା ଶତୃଙ୍କୁ ଚିହ୍ନଟ କରି ଆକ୍ସନ ଜାରହିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *