ଦିନ ଗଡିବା ସହ ବଢୁଛି ରାଜନୀତି

Spread the love

() ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ଦିନ ଗଡିବା ସହ ରାଜନୀତି ବଢୁଛି । ଝାରସୁଗୁଡାରେ ନବଙ୍କ ଶ୍ରାଦ୍ଧ ଦିବସ ପାଳନ ଚାଲିଥିବା ବେଳେ ଭୁବନେଶ୍ୱରରେ ଦେଖିବାକୁ ମିଳିଛି ପ୍ରତିବାଦ । ବିଜେପି ପକ୍ଷରୁ କମିଶନରେଟ ପୋଲିସ ଅଫିସ ସାମ୍ନାରେ ସତ୍ୟାଗ୍ରହ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଇଛି । କଂଗ୍ରେସ ମଧ୍ୟ ତଦନ୍ତ ବାଟବଣା ହେଉଥିବା ଅଭିଯୋଗ ଆଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି । ଭାରତୀୟ ବିକାଶ ପରିଷଦ ସିବିଆଇକୁ ତଦନ୍ତ ଭାର ଦେବା ନେଇ କରିଥିବା ଆବେଦନକୁ ଅଗ୍ରାହ୍ୟ କରିଦେଇନ୍ତି । ଏପଟେ ବିରୋଧିଙ୍କୁ କଡା ଜବାବ ଦେଇଛି ଶାସକ ଦଳ ।

ଝାରସୁଗୁଡାରେ ଶ୍ରଦ୍ଧାଞ୍ଜଳି । ରାଜଧାନୀରେ ସତ୍ୟାଗ୍ରହ ।  ଗୋଟିଏ ପଟେ ନବ ଦାସଙ୍କ ଶୋକ ସଭା ଅନ୍ୟପଟେ ନ୍ୟାୟ ପାଇଁ ପ୍ରତିବାଦ । ଦିନ ଗଡିବା ସହ ମନ୍ତ୍ରୀ ହତ୍ୟାକାଣ୍ଡକୁ ନେଇ ରାଜନୀତିର ପାରା ଉପରମୁହାଁ ହୋଇଛି । ବିଜେଡିର ହଜାର ହଜାର ନେତା, କର୍ମୀ ଓ ନବ ସମର୍ଥକଙ୍କ ମହଲରେ ଶ୍ରଦ୍ଧାଞ୍ଜଳି ସଭା ହୋଇଛି । ଅନ୍ୟପଟେ ବିଜେପି ଭୁବନେଶ୍ୱର କମିଶନରେଟ ପୋଲିସ ଅଫିସ ସାମ୍ନାରେ ସତ୍ୟାଗ୍ରହ ଆରମ୍ଭ କରିଛି । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡି ପଡିଥିବା ଅଭିଯୋଗ ଆଣି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ଦଳ । ଅନୁରୂପ ଭାବରେ କଂଗ୍ରେସ ମଧ୍ୟ ଖୁବ ଶିଘ୍ର ନବଙ୍କୁ ନ୍ୟାୟ ପାଇଁ ରାଜରାସ୍ତାକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଥିବା କହିଛି। ଏପଟେ ଭାରତୀୟ ବିକାଶ ପରିଷଦ ମଧ୍ୟ ନବ ଦାସଙ୍କ ହତ୍ୟା ପଛରେ ବଡ ଷଡଯନ୍ତ୍ର ଥିବା ଅଭିଯୋଗ ଆଣି ବର୍ଷିଛି। ଏମିତି କି ମୁଖ୍ୟମନ୍ତ୍ରୀ ଓ କିଛି ବରିଷ୍ଠ ଅଧିକାରୀଙ୍କ ନାର୍କୋ ଟେଷ୍ଟ କରିବାକୁ ଦାବୀ କରିଛି । ସେପଟେ ତଦନ୍ତ ଭାର ସିବିଆଇକୁ ଦେବା ପାଇଁ ବିକାଶ ପରିଷଦ କରିଥିବା ଜନସ୍ୱାର୍ଥ ମାମଲାକୁ ହାଇକୋର୍ଟ ଖାରଜ କରିବା ସହ ଏଥିରେ ଏତେ ଆଗୁଆ ହସ୍ତକ୍ଷେପ କରିବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ।

ଏପଟେ ବିରୋଧିଙ୍କ ସତ୍ୟାଗ୍ରହ ଓ ପ୍ରିତିବାଦକୁ ରାଜନୈତିକ ଭେଳିକି କହିଛି ଶାସକ ଦଳ । ସବୁ କଥାରେ ବିରୋଧ କରିବା ବିରୋଧିଙ୍କ ଅଭ୍ୟାସ ହୋଇଗଲାଣି । ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ଅନ୍ୟ ରାଜ୍ୟ ତୁଳନାରେ ବହୁତ ଭଲ ଅଛି । ଜନ ସାଧାରଣ ଶାନ୍ତିରେ ଥିବା କହିଛି ଦଳ ।

ତେବେ ନବ ଦାସଙ୍କ ହତ୍ୟାକାଣ୍ଡକୁ ୧୨ ଦିନ ବିତିଥିଲେ ମଧ୍ୟ ହତ୍ୟା ପଛର ଉଦ୍ଦେଶ୍ୟ ଅସ୍ପଷ୍ଟ । ଯାହାକୁ ନେଇ ଆରୋପ ପ୍ରତ୍ୟାରୋପ ବଢୁଥିବା ବେଳେ ନୀତି ନୂଆ ନୂଆ କାହାଣୀ ସାମ୍ନାକୁ ଆସୁଛି । ସେପଟେ ଶୋକ ସଭା ମଞ୍ଚରୁ ନବଙ୍କ ପୁଅଝିଅ ବାପାଙ୍କ ଅଧୁରା ସ୍ୱପ୍ନ ଓ ଝାରସୁଗୁଡ଼ାକୁ ଏକ ନମ୍ୱର ଜିଲ୍ଲା କରିବାର କଥା କହିବା ଉପ ନିର୍ବାଚନ କସରତ ପାଇଁ ପରିବାର ଓ ଦଳ ପ୍ରସ୍ତୁତ ବୋଲି ସଙ୍କେତ ଦେଇଛି ।

କଟକରୁ ଚିତ୍ତ ରଞ୍ଜନ ସାମନ୍ତରାୟ, ଭୁବନେଶ୍ୱରରୁ ସ୍ୱରୁପା ମହାପାତ୍ର ଓ ନବ କିଶୋର ସାହୁଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *