ହରିଆଣା କଫ ସିରପକୁ ନେଇ ଅଡୁଆରେ ସରକାର

ଚଣ୍ଡିଗଡ: ହରିଆଣାରେ ପ୍ରସ୍ତୁତ କଫ୍ ସିରପରେ ବିଷ। ଜାମ୍ୱିଆରେ ଶିଶୁ ମଡ଼କ ପଛରେ ଭାରତରେ ମୈଡେନ କମ୍ପାନୀ ଦ୍ବାରା ପ୍ରସ୍ତୁତ ନିମ୍ନମାନର କଫ ସିରଫ ହିଁ ଦାୟୀ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚେତାଇ ଦେବାପରେ ଏବେ ଭାରତ ସରକାର ଆକ୍ସନ ମୋଡରେ। ହରିଆଣାରେ ଏହି କମ୍ପାନୀର ପ୍ରଡକ୍ସନରେ ପ୍ରତିବନ୍ଧକ ଲଗାଇଛନ୍ତି ସରକାର। ସେପଟେ ୨୦୧୯ରୁ ଏ ଯାଏ ହରିଆଣାରେ ପ୍ରସ୍ତୁତ ୩୮ଟି ଡ୍ରଗ୍ସ ନିଜର ଗୁଣବତ୍ତାରେ ଫେଲ୍ ମାରିଛି।

ଜାମ୍ୱିଆ ଶିଶୁ ମଡ଼କ ପଛରେ ଭାରତ ପ୍ରସ୍ତୁତ କଫ୍ ସିରପ ଦାୟୀ! ହରିଆଣାରେ ମୈଡେନ ଫାର୍ମା କମ୍ପାନୀ ଦ୍ୱାରା ତିଆରି କଫ୍ ସିରପ ବିଷାକ୍ତ ଓ ଏହାର ଗୁଣବତ୍ତା ଅତି ନିମ୍ନମାନର ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚେତାଇଦେଲା ପରେ ଏହାକୁ ନେଇ ସବୁଠି ଛନକା ପଶିଥିଲା। ଯଦିଓ ଏହି କମ୍ପାନୀ ଦ୍ୱାରା ପ୍ରସ୍ତୁତ କଫ ସିରଫ ଭାରତରେ ବିକ୍ରି ହେଉନି ବୋଲି ଗୋଟିଏ ପଟେ ଖବର ଆଶ୍ୱସ୍ତ କରିଥିଲା, ହେଲେ ହରିଆଣାରୁ ପ୍ରସ୍ତୁତ ଔଷଧ ଖାଇ ବିଦେଶରେ ପିଲାଙ୍କ ମୃତ୍ୟୁ ଖବରକୁ ନେଇ ସରକାର ବି ସେତିକି ଚିନ୍ତିତ। ସେଥିଲାଗି ମୈଡେନ୍ ଫାର୍ମା କମ୍ପାନୀର ପ୍ରଡକ୍ସନକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ହରିଆଣା ସରକାର। କେନ୍ଦ୍ର ଓ ହରିଆଣା ଡ୍ରଗ୍ସ ବିଭାଗ ମିଳିତ ତଦନ୍ତ ପରେ ପ୍ରାୟ ୧୨ଟି ଦୋଷତୃଟି ଧରାପଡିବାକୁ ଆକ୍ସନ ନିଆଯାଇଛି।

ଔଷଧ ମାନ ନିୟନ୍ତ୍ରଣ ସଂଗଠନ ବା ସିଡିଏସସିଓର ରିପୋର୍ଟ ଅନୁସାରେ ୨୦୧୯ରୁ ଏ ଯାଏ ହରିଆଣାରେ ନିର୍ମିତ ୩୮ ଟି ଔଷଧ ଗୁଣବତ୍ତା ପରୀକ୍ଷଣରେ ଫେଲ୍ ମାରିଛି। ୨୦୧୯ ପରଠୁ ହରିଆଣାରେ ପ୍ରସ୍ତୁତ ୩୮ଟି ଔଷଧ ନିମ୍ନମାନର ବୋଲି ଧରାପଡ଼ିଛି। ଯେଉଁ ଔଷଧର ଗୁଣବତ୍ତା ଠିକ୍ ନାହିଁ, ସେସବୁ ଫାର୍ମା କମ୍ପାନୀ ଫରିଦାବାଦ, ସୋନିପାଟ୍, କର୍ଣ୍ଣାଲ, ହିସାର, ଅମ୍ୱାଲା ଓ ଯମୁନାନଗରରେ ଅଛି। ଏପରିକି ଏମିତି ବି ଉଦାହରଣ ଅଛି କି, ଗୋଟିଏ ଫାର୍ମା କମ୍ପାନୀର ପ୍ରସ୍ତୁତ ଔଷଧ ବାରମ୍ୱାର ଗୁଣବତ୍ତା ପରୀକ୍ଷଣରେ ଫେଲ୍ ମାରିଛି। ସିଡିଏସସିଓ ନିଜର ଓ୍ୱେବସାଇଟରେ ଦର୍ଶାଇଥିବା ରିପୋର୍ଟ ଅନୁସାରେ ୨୦୧୯ରେ ମାନ ପରୀକ୍ଷଣରେ ୬ଟି ଔଷଧ, ୨୦୨୦ରେ ୧୦ଟି ଓ ୨୦୨୧ରେ ୯ଟି ଔଷଧ ଫେଲ୍ ମାରିଛି। ଜାନୁଆରୀରୁ ଅଗଷ୍ଟ ୨୦୨୨ ଭିତରେ ରାଜ୍ୟରେ ଉତ୍ପାଦିତ ୧୩ଟି ଔଷଧ ମାନ ପରୀକ୍ଷଣରେ ଫେଲ୍ ମାରିଥିଲା। ଫେବୃଆରୀ ୨୦୨୨ରେ ଫରିଦାବାଦର ନେଷ୍ଟର ଫାର୍ମାସିଟ୍ୟୁକାଲର ଟୋଲମିସର୍ଟନ ଟାବଲେଟ୍ ଝାଡ଼ଖଣ୍ଡରେ ମାନ ପରୀକ୍ଷଣଣରେ ଫେଲ୍ ମାରିଥିଲା। ଫରିଦାବାଦସ୍ଥିତ ହିନ୍ଦୁସ୍ତାନ ଆଣ୍ଟିବାୟୋଟିକ୍ସର ରାନିଟିଡିନ୍ ଟାବଲେଟ୍ ଗୌହାଟିର ଏକ କେନ୍ଦ୍ରୀୟ ପ୍ରୟୋଗଶାଳାରେ ହୋଇଥିବା ମାନ ପରୀକ୍ଷଣରେ ବିଫଳ ହୋଇଥିଲା। ସେହିଭଳି ସୋନିପାଟରେ ଲାର୍ସ ମେଡିକେୟାର୍ ପ୍ରାଇଭେଟ ଲିମିଟେଡର ଅନ୍ତଶିରା ଜଳସେକ୍ ସେଟ୍ କେରଳରେ ମାନ ପରୀକ୍ଷଣରେ ବିଫଳ ହୋଇଛି।

ମାର୍ଚ୍ଚ ୨୦୨୨ରେ ହିନ୍ଦୁସ୍ତାନ ଆଣ୍ଟିବାୟୋଟିକ୍ସର କ୍ୟାଲସିୟମ ଓ ଭିଟାମିନ୍ ଡି ଟ୍ୟାବଲେଟ୍ ଏବଂ ଡକ୍ସିସାଇକ୍ଲିନ୍ କ୍ୟାପସୁଲ କୋଲକାତାର କେନ୍ଦ୍ରୀୟ ଗବେଷଣଗାରରେ ଫେଲ୍ ମାରିଛି। ଔଷଧ ନିର୍ମାଣର ହବ୍ ହରିଆଣାରେ ନିର୍ମିତ ଔଷଧର ମାନକୁ ନେଇ ଏବେ ସରକାରଙ୍କ ଟେନସନ ବଢିଛି। ଏଠାକାର ପ୍ରସ୍ତୁତ ଔଷଧ ଅନ୍ୟ ରାଜ୍ୟରେ ଗୁଣାବତ୍ତାରେ ବିଫଳ ହେବାରେ ଲାଗିଛି। ତେବେ ଔଷଧର ମାନ ଯାଞ୍ଚ କର୍ମଚାରୀ ଅଭାବ ଲାଗି ସମ୍ଭବ ହୋଇପାରୁନି ହରିଆଣାରେ। ୫୬ ଫିଲ୍ଡ ଅଫିସର ବଦଳରେ ହରିଆଣାରେ ମାତ୍ର ଅଛନ୍ତି ୧୯ ଫିଲ୍ଡ ଅଫିସର୍। ଦୁଇ ତୃତୀୟାଂଶ ପଦବୀ ଖାଲି ପଡ଼ିଛି। ସେଥିଲାଗି ଅନ୍ୟ ରାଜ୍ୟରେ ହରିଆଣା ଫାର୍ମା କମ୍ପାନୀ ପ୍ରସ୍ତୁତ ଔଷଧ ଗୁଣବତ୍ତାରେ ଫେଲ୍ ମାରିଲେ, ଏହାକୁ ନେଇ ସତର୍କ କରାଇଦେଇଥାଏ ମାନ ନିୟନ୍ତ୍ରଣ ନିୟାମକ। ଏଭଳି ଔଷଧର ପ୍ରଡକ୍ସନ ବନ୍ଦ ସହ ଏହା ଉପରେ ନିର୍ଦ୍ଦିଷ୍ଟ ପଦକ୍ଷେପ ନେବାକୁ ଚେତାଇ ଦେଇଥାଏ। ହେଲେ ଏହା ବି ସମ୍ଭବ ହେଉନି।

ପ୍ରଦୀପ ନାୟକଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *