ପତ୍ନୀ ସହ ଝଗଡ଼ା। ଶାଳୀକୁ ଛୁରୀ ଭୁଷିଲା। ଆଉ ଶେଷରେ ୧୬ ମହଲାରୁ ଡେଇଁ ଆତ୍ମହତ୍ୟା। ଗ୍ରେଟର ନୋଏଡାରେ ଏଭଳି ଅଭାବନୀୟ ଘଟଣା ଘଟିଛି। ବିଶ୍ରାଖ ଏରିଆରେ ପାରାମାଉଣ୍ଟ ଇମୋସନ ସୋସାଇଟିରେ ଏହା ଘଟିଛି। ମୃତକ ନାଁ ଶତୃଘ୍ନ ସିହ୍ନା। ବୟସ ୩୮। ସେ ବିହାରର ମୂଳବାସିନ୍ଦା ଥିଲେ। ପୁଲିସର କହିବା କଥା, ପତ୍ନୀଙ୍କ ସହ ଭୀଷଣ ଝଗଡ଼ା ହୋଇଥିଲା। ପତ୍ନୀଙ୍କୁ ଆକ୍ରମଣ କରିବାରୁ ହସ୍ତକ୍ଷେପ କରିଥିଲେ ଶାଳୀ। ଆଉ ଏଥିରେ ରାଗିଯାଇ ଶାଳୀକୁ ପରିବା ଛୁରୀରେ ଭୁଷିଦେଇ ତାଙ୍କ ହାତକୁ କ୍ଷତାକ୍ତ କରିଦେଇଥିଲେ। ପାଟିତୁଣ୍ଡ ଶୁଣି ସୋସାଇଟି ଲୋକ ଜମା ହୋଇଗଲେ। ଏଭଳି ଆକ୍ରମଣ ପରେ ପତ୍ନୀ ତୁରନ୍ତ ପୁଲିସକୁ ଜଣାଇଥିଲେ। ଆଉ ଗିରଫ ଭୟ ତଥା ଲୋକଙ୍କ ଛିଛାକର ଭୟରେ ଫ୍ଲାଟକୁ ଭିତରୁ ଲକ୍ କରିଦେଲେ ଶତୃଘ୍ନ। ଆଉ ବାଲକୋନୀକୁ ଯାଇ ୧୬ ମହଲାରୁ ଡେଇଁଥିଲେ। ତଳେ ପଡ଼ିବା ପରେ ଗୁରୁତର ଅବସ୍ଥାରେ ତାଙ୍କୁ ୟାତାର୍ଥ ହସ୍ପିଟାଲକୁ ନିଆଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଗଲା। ସେପଟେ ଆହତ ଶାଳୀ ଏବେ ବିପଦମୁକ୍ତ ଅଛନ୍ତି। ବିଶ୍ରାଖା ପୁଲିସ ଶବ ବ୍ୟବଛେଦ ପାଇଁ ପଠାଇଛି। ଘଟଣାସ୍ଥଳରୁ କୌଣସି ସୁଇସାଇଡ୍ ନୋଟ୍ ଜବତ ହୋଇନି। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଗଲା ୬ ମାସ ହେଲା ବେକାରୀ ଥିଲା ଶତୃଘ୍ନ। ଏଥିଲାଗି ଗଭୀର ମାନସିକ ଯନ୍ତ୍ରଣାରେ ଥିଲେ। ସେ ଘଟଣା ଘଟାଇବା ଆଗରୁ ମଦ ପିଇଥିଲା। ଯାହାକୁ ନେଇ ଘରେ ସବୁବେଳେ ପାଟିତୁଣ୍ଡ ହେଉଥିଲା। ଦମ୍ପତ୍ତି କଳହକୁ ନେଇ ସୋସାଇଟି ଲୋକେ ବି ଅତିଷ୍ଠ ଥିଲେ। ୧୧ ବର୍ଷ ତଳେ ବିବାହ କରିଥିଲେ ଶତୃଘ୍ନ। ତାଙ୍କର ୮ ବର୍ଷର ପୁଅ ବି ଅଛି। ତାଙ୍କ ପତ୍ନୀ ଏକ ଆଇଟି କମ୍ପାନୀରେ ସଫ୍ଟୱେର ଇଞ୍ଜିନିୟର ଭାବେ କାମ କରନ୍ତି। ପୁଲିସ ଏହାର ତଦନ୍ତ ଜାରି ରଖିଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now