ମନ୍ଦିରରେ ଗଙ୍ଗାଜଳ ଛିଞ୍ଚି ବିଜେପି ନେତା ଦଳରୁ ବିଦା

ଏବେ ବି ଜାତିଆଣ ଭେଦଭାବରେ ବୁଡ଼ି ରହିଛି ମଣିଷ। ଆଉ କାହା କଥା କଅଣ କହିବା। ଜଣେ ପୂର୍ବତନ ବିଧାୟକଙ୍କ କାରନାମା ଦେଖିଲେ ସମସ୍ତେ ତାଜୁବ୍। ରାଜସ୍ଥାନର ଅଲଓ୍ୱରର ବିଜେପିର ପୂର୍ବତନ ବିଧାୟକ ଜ୍ଞାନଦେବ ଆହୁଜା ରାମ ମନ୍ଦିରରେ ଗଙ୍ଗାଜଳ ଛିଞ୍ଚି ମନ୍ଦିରକୁ ପବିତ୍ର କରିଛନ୍ତି। ଆଉ ମନ୍ଦିର ଅପବିତ୍ର ହେବାର କାରଣ ଜାଣିଲେ ହୋସ୍ ଉଡ଼ିଯିବ। ରାମନବମୀରେ ରାଜସ୍ଥାନର ବିରୋଧୀ ଦଳ ନେତା ଟିକାରାମ ଜୁଲି ଯେହେତୁ ମନ୍ଦିର ପ୍ରବେଶ କରି ପୂଜାର୍ଚ୍ଚନା କରିଥିଲେ। ଟିକାରାମ ଦଳିତ ଜାତିର। ମନ୍ଦିରକୁ କଂଗ୍ରେସିଆ ଆସିବାରୁ ମନ୍ଦିର ଅପବିତ୍ର ହୋଇଗଲା ବୋଲି କହିଥିଲେ ଜ୍ଞାନଦେବ। ଟିକାରାମ ମନ୍ଦିରରେ ପ୍ରବେଶ କରିବାରୁ ଗଙ୍ଗାଜଳ ଛିଞ୍ଚି ମନ୍ଦିରକୁ ଶୁଦ୍ଧିକରଣ କରିବାକୁ ପଡ଼ିଲା ବୋଲି କହିଥିଲେ ଜ୍ଞାନଦେବ। ନିଜେ ଗଙ୍ଗାଜଳ ଛିଞ୍ଚିବା ସହ ଭିଡ଼ିଓରେ ବି ଏ କଥାକୁ ସ୍ୱୀକାର କରିଥିଲେ। ଶେଷରେ ଏଭଳି କାର୍ଯ୍ୟକଳାପ ଲାଗି ବିଜେପି ତାଙ୍କୁ ଦଳର ପ୍ରାଥମିକ ସଭ୍ୟ ପଦରୁ ନିଲମ୍ୱନ କରିଛି। ଏହା ସହ କାରଣଦର୍ଶାଅ ନୋଟିସ୍ ଜାରି କରିଛି। ୩ ଦିନ ଭିତରେ ଜବାବ ମାଗିଛି ଦଳ। ଜ୍ଞାନଦେବଙ୍କ ଏଭଳି କାମରୁ ଦଳର ଛବି ମଳିନ ହୋଇଛି ଓ ଏହା ଅନୁଶାସନହୀନତା। ନାଁ ସିନା ଜ୍ଞାନଦେବ। କିନ୍ତୁ ଅଜ୍ଞାନୀଙ୍କ ଭଳି ଆଚରଣ କଲେ। ଯଦିଓ ଆହୁଜା ସଫେଇ ଦେଇଥିଲେ ଯେ, ତାଙ୍କ ମନରେ ଦଳିତଙ୍କ ପ୍ରତି ଏଭଳି କୌଣସି ମନୋଭାବ ନାହିଁ। ସେ କେବଳ କଂଗ୍ରେସକୁ ଟାର୍ଗେଟ କରିଥିଲେ। ଯେହେତୁ ଏଭଳି ସମାରୋହରେ ସାମିଲ୍ ହେବାକୁ କଂଗ୍ରେସର ନୈତିକ ଅଧିକାର ନାହିଁ। କାରଣ ତାଙ୍କ ଦଳର ହାଇକମାଣ୍ଡ ରାମଙ୍କ ଅସ୍ତିତ୍ୱକୁ ନେଇ ଅଙ୍ଗୁଳି ଉଠାଇଥିଲେ। ଗଲାବର୍ଷ ଅଯୋଧ୍ୟାରେ ପ୍ରାଣପ୍ରତିଷ୍ଠା ସମାରୋହକୁ ବହିଷ୍କାର କରିଥିଲା କଂଗ୍ରେସ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *