ଗଣଦୁଷ୍କର୍ମ ଅଭିଯୁକ୍ତର ବିବାହ ପାଇଁ ମିଳିଥିଲା ବେଲ୍- ଖାରଜ କରି ସରେଣ୍ଡର କରିବାକୁ କହିଲେ ବମ୍ୱେ ହାଇକୋର୍ଟ

ଗଣଦୁଷ୍କର୍ମ ଅଭିଯୁକ୍ତର ଆଗକୁ ବିବାହ ଅଛି। ସେଥିଲାଗି ତାକୁ ଜାମିନ୍ ଦେଇଥିଲେ ଟ୍ରାଏଲ କୋର୍ଟ। ଯାହାକୁ ଖାରଜ କରିଦେଇଛନ୍ତି ବମ୍ୱେ ହାଇକୋର୍ଟ। ହାଇକୋର୍ଟ କହିଛନ୍ତି, ଅପରାଧର ଗମ୍ଭୀରତାକୁ ବୁଝିବାରେ ଅସମର୍ଥ ଟ୍ରାଏଲ କୋର୍ଟ। ସେଥିଲାଗି ଜାମିନ୍ ଦେଇଥିଲେ। ଅଭିଯୁକ୍ତକୁ ତୁରନ୍ତ ସରେଣ୍ଡର କରିବାକୁ ନିର୍ଦେଶ ଦେଇଛନ୍ତି ହାଇକୋର୍ଟ। ଜଷ୍ଟିସ ନିଲା ଗୋଖଲେ ହୃଦବୋଧ କରିଛନ୍ତି ଯେ, ଜାମିନ୍ ଦେବା ଲାଗି ଏହା ଏକ ମାପଦଣ୍ଡ ବୋଲି ବିଚାର କରି ତଳକୋର୍ଟ ବେଲ୍ ଦେଇଥିଲେ। କିନ୍ତୁ ଅପରାଧର ଗମ୍ଭୀରତାକୁ ବି ମାପିବା ଜରୁରୀ ଥିଲା। ଅଭିଯୁକ୍ତ ଜଣକ ଅଢ଼େଇ ମାସ ହେଲା କଷ୍ଟଡିରେ ଥିଲେ। ବିବାହ ପାଇଁ ଫେବୃଆରୀ ୨୪ରେ ତାଙ୍କୁ ଜାମିନରେ ରିଲିଜ୍ କରାଯାଇଥିଲା। ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ମେଘା ଏସ ବାଜୋରିଆ ରାଜ୍ୟ ସରକାରଙ୍କ ପକ୍ଷରୁ ଯୁକ୍ତି ଦର୍ଶାଇଥିଲେ ଯେ, ଏଯାଏଁ ଅଭିଯୁକ୍ତର କୌଣସି ବିବାହ ହୋଇନି। ଆଉ ସେସନ୍ସ କୋର୍ଟକୁ ଦିଆଯାଇଥିବା କାରଣ ବି ଯଥାର୍ଥ ନଥିଲା। ମୁମ୍ୱାଇର ଡିଏନ ନଗର ଥାନାରେ ୨୦୨୪ରେ କେସ୍ ହୋଇଥିଲା। ପାନୀୟରେ ନିଶା ଦେଇ ୩ ଜଣ ଜଣେ ମହିଳାଙ୍କୁ ଗଣଦୁଷ୍କର୍ମ କରିଥିଲେ। ପୀଡ଼ିତା ମାଜିଷ୍ଟ୍ରେଟଙ୍କ ଆଗରେ ବୟାନ ରଖିଥିଲେ ଯେ, ଅଭିଯୁକ୍ତମାନେ ତାଙ୍କୁ ପିଟିଥିଲେ। ଆଉ ହାତ ବାନ୍ଧି ଜଣକ ପରେ ଜଣେ ଦୁଷ୍କର୍ମ କରିଥିଲେ। ମେଡିକାଲ ରିପୋର୍ଟ ବି ପୁଷ୍ଟି କରିଥିଲା ଯେ, ପୀଡ଼ିତାଙ୍କ ମୁଣ୍ଡରେ ଆଘାତ ଲାଗିବା ସହ ଶରୀର ତମାମ କ୍ଷତର ଚିହ୍ନ ଥିଲା। ପୀଡ଼ିତାର ଗୁପ୍ତାଙ୍ଗକୁ ଅଭିଯୁକ୍ତ କ୍ଷତି ପହଞ୍ଚାଇଥିଲା। କିନ୍ତୁ ଏହି ଦିଗକୁ ନ ଦେଖି ଅଭିଯୁକ୍ତର ଆଗକୁ ହେବାକୁ ଥିବା ବିବାହକୁ ଅଧିକ ଗୁରୁତ୍ୱ ଦେଲେ ତଳକୋର୍ଟ ବୋଲି ଜଷ୍ଟିସ ଗୋଖଲେ କହିଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *