ଇନ୍ଦୋରରୁ ମେଘାଳୟକୁ ହନିମୁନ ପାଇଁ ଯାଇଥିବା ନବଦମ୍ପତ୍ତି ରାଜା ରଘୁବଂଶୀ ଓ ତାଙ୍କ ପତ୍ନୀ ସୋନମ ଅଚାନକ ଗାଏବ ହୋଇଯାଇଥିଲେ। ରହସ୍ୟମୟ ଗାଏବର ୧୧ ଦିନ ପରେ ରାଜା ରଘୁବଂଶୀଙ୍କ ମୃତ ଦେହ ଠାବ ହୋଇଛି। ରାଜାଙ୍କ ଶବ ଏକ ଗଛରେ ଝୁଲୁଥିବା ଅବସ୍ଥାରେ ମିଳିଛି। ଶବ ବ୍ୟବଛେଦ ରିପୋର୍ଟରେ ତାଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଛି। କିନ୍ତୁ ତାଙ୍କ ପତ୍ନୀଙ୍କ ପତ୍ତା ଏଯାଏଁ ମିଳିନି। ରାଜାଙ୍କୁ ଅତି ନିର୍ମମ ହତ୍ୟା କରାଯାଇଛି ବୋଲି ପୁଲିସ କହିଛି। ଜୁନ୍ ୨ ତାରିଖରେ ଶବକୁ ସୋହରା ଚେରାପୁଞ୍ଜିର ଏକ ଝରଣା ପାଖରେ ଥିବା ଗଭୀର ଗାତରୁ ଜବତ କରାଯାଇଥିଲା। ପତ୍ନୀ ସୋନମର କୌଣସି ପତ୍ତା ମିଳିନି। ପରିବାର ଏ ମାମଲାର ତଦନ୍ତ ସିବିଆଇକୁ ଦେବାକୁ ଦାବି କରିଛନ୍ତି। ମେଘାଳୟ ପୁଲିସର ଏସଆଇଟି ଟିମ୍ ଏହାକୁ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ କରିସାରିଛି। ପୀଡ଼ିତଙ୍କ ମୋବାଇଲ ଫୋନ୍ ଓ ହତ୍ୟାରେ ବ୍ୟବହୃତ ହତିଆର ଦାଆକୁ ଜବତ କରିଛି ପୁଲିସ। ଦାଆ ପୁରା ନୂଆ ଥିଲା। ଆଉ କେବଳ ରାଜାଙ୍କୁ ମାରିବା ପାଇଁ ଏହାର ବ୍ୟବହାର ହୋଇଥିଲା। ମେ ୧୧ରେ ରାଜା ଓ ସୋନମଙ୍କ ବିବାହ ହୋଇଥିଲା। ମେ ୨୦ରେ ଏହି ନବଦମ୍ପତ୍ତି ହନିମୁନ୍ ପାଇଁ ମେଘାଳୟ ଯାଇଥିଲେ। ମେ ୨୨ରେ ଭଡ଼ାରେ ଆଣିଥିବା ସ୍କୁଟରରେ ଦମ୍ପତ୍ତି ନୋଙ୍ଗ୍ରିୟାଟ୍ ଗାଁର ପ୍ରସିଦ୍ଧ ଲିଭିଂ ରୁଟ୍ ବ୍ରିଜ୍ ଦେଖିବାକୁ ୩ହଜାର ସିଡ଼ି ଚଢିକି ଯାଇଥିଲେ। ରାତି ଯାକ ହୋମଷ୍ଟେରେ ରହିଥିଲେ। ଆଉ ମେ ୨୩ ସକାଳୁ ସେଠାରୁ ବାହାରିଥିଲେ। ଏହାର କିଛି ଘଣ୍ଟା ପରେ ଅଚାନକ ଗାଏବ ହୋଇଯାଇଥିଲେ ଦମ୍ପତ୍ତି। ମେ ୨୪ରେ ଭଡ଼ା ସ୍କୁଟର ସିଲଂ ସୋହରା ମାର୍ଗରେ ଏକ କାଫେ ପାଖରେ ପଡ଼ିଥିଲା। ୧୧ଦିନ ପରେ ଡ୍ରୋନ ସହଯୋଗରେ ରାଜାଙ୍କ ଶବ ନୋଙ୍ଗ୍ରିୟାଟ୍ ଗାଁ ପାଖ ୨୦ କିଲୋମିଟର ଦୂର ଶହେ ଫୁଟ ଗଭୀର ଗାତରେ ମିଳିଥିଲା।

Naxatra News is now on Whatsapp
Join and get latest news update delivered to you via whatsapp
Join Now