ଭାରତ ଧର୍ମଶାଳା ନୁହେଁ। ସାରା ଦୁନିଆରୁ ଆସୁଥିବା ଶରଣାର୍ଥୀଙ୍କୁ ଅତିଥି ଭାବେ ଥଇଥାନ କରିପାରିବନି। ଏମିତିରେ ଭାରତ ୧୪୦ କୋଟି ଜନସଂଖ୍ୟାକୁ ନେଇ ଯୁଝୁଛି। ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଦୀପଙ୍କର ଦତ୍ତା ଏଭଳି କହିଛନ୍ତି। ଜଣେ ଶ୍ରୀଲଙ୍କାର ତାମିଲ ନାଗରିକଙ୍କ ମାମଲାରେ ହସ୍ତକ୍ଷେପ କରିବାକୁ ମନା କରିବା ସହ ଏଭଳି ଟିପ୍ପଣୀ ଦେଇଛନ୍ତି ଜଷ୍ଟିସ ଦତ୍ତା। ଦେଶଦ୍ରୋହ ମାମଲାରେ ୭ ବର୍ଷ ଦଣ୍ଡାଦେଶ ଭୋଗିବା ପରେ ତୁରନ୍ତ ଭାରତ ଛାଡ଼ିବାକୁ ରାୟ ଦେଇଥିଲେ ମାଡ୍ରାସ ହାଇକୋର୍ଟ। ଆଉ ହାଇକୋର୍ଟର ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଥିବା ଆବେଦନକାରୀକୁ ଏମିତି ଝଟକା ଲାଗିଛି। ଆବେଦନକାରୀ ଓକିଲ କହିଥିଲେ, ଭିସାରେ ଭାରତ ଆସିଥିବା ତାଙ୍କ ମହକିଲଙ୍କ ଜୀବନ ପ୍ରତି ନିଜ ଦେଶ ଶ୍ରୀଲଙ୍କାରେ ବିପଦ ରହିଛି। ବିନା ପ୍ରତ୍ୟର୍ପଣ ପ୍ରକ୍ରିୟାରେ ତାଙ୍କ ମହକିଲ ୩ ବର୍ଷ ହେଲା ଅଟକ ରହିଛନ୍ତି। କିନ୍ତୁ ଜଷ୍ଟିସ ଦତ୍ତା ପଚାରିଥିଲେ, ଭାରତରେ ରହିବାକୁ କଅଣ ଅଧିକାର ରହିଛି। ଯେହେତୁ ଆବେଦନକାରୀ ଜଣେ ଶରଣାର୍ଥୀ, ସେଥିଲାଗି ତାଙ୍କ ପତ୍ନୀ ଓ ପିଲା ଭାରତରେ ସେଟଲ ହୋଇସାରିଲେଣି ବୋଲି କହିଥିଲେ ଓକିଲ। ଭାରତରେ ରହିବାକୁ ସମ୍ୱିଧାନର ଧାରା ୧୯ ଅନୁସାରେ କେବଳ ଭାରତୀୟ ନାଗରିକଙ୍କ ମୌଳିକ ଅଧିକାର ଓ ଅନୁମତି ଅଛି ବୋଲି କହିଛନ୍ତି ଜଷ୍ଟିସ ଦତ୍ତା। ଯଦି ଶ୍ରୀଲଙ୍କାକୁ ଗଲେ ଜୀବନ ପ୍ରତି ବିପଦ ଅଛି, ତା ହେଲେ ଅନ୍ୟ କୌଣସି ରାଷ୍ଟ୍ରକୁ ପଳାଅ। ନିକଟରେ ବି ସୁପ୍ରିମକୋର୍ଟ ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ପ୍ରତ୍ୟର୍ପଣ ମାମଲାରେ ହସ୍ତକ୍ଷେପ କରିବାକୁ ମନା କରିଦେଇଥିଲେ। ୨୦୧୫ରେ ଏଲଟିଟିଇ କାର୍ଯ୍ୟକଳାପରେ ଅନ୍ୟ ଦୁଇ ଜଣଙ୍କ ସହ ଆବେଦନକାରୀ ଗିରଫ ହୋଇଥିଲେ। ୨୦୧୮ରେ ଦେଶଦ୍ରୋହ ମାମଲାରେ ଗିରଫ ହୋଇ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ ହୋଇଥିଲେ। ୨୦୨୨ରେ ମାଡ୍ରାସ ହାଇକୋର୍ଟ ଦଣ୍ଡକୁ ୭ ବର୍ଷ ହ୍ରାସ କରି ସଜ୍ଜା କାଟିବା ପରେ ତୁରନ୍ତ ଭାରତ ଛାଡ଼ିବାକୁ କହିଥିଲେ। ଭାରତ ଛାଡ଼ିବା ଯାଏ ଶରଣାର୍ଥୀ ଶିବିରରେ ରହିବେ ବୋଲି କହିଥିଲେ ମାଡ୍ରାସ ହାଇକୋର୍ଟ। ଆବେଦନକାରୀ କହିଥିଲେ, ଯେହେତୁ ସେ ୨୦୦୯ରେ ଶ୍ରୀଲଙ୍କା ଯୁଦ୍ଧ ଲଢ଼ିଥିଲେ, ଆଉ ଏଲଟିଟିଇର ପୂର୍ବତନ ସଦସ୍ୟ। ସେ ଶ୍ରୀଲଙ୍କାରେ ବ୍ଲାକଲିଷ୍ଟେଡ୍ ହୋଇସାରିଛନ୍ତି। ଯଦି ଶ୍ରୀଲଙ୍କାକୁ ଫେରିବେ, ସେ ଗିରଫ ସହ ନିର୍ଯ୍ୟାତନାର ଶୀକାର ହେବେ। ତାଙ୍କ ପତ୍ନୀ ଅନେକ ଗମ୍ଭୀର ବେମାରରେ ପୀଡ଼ିତ ଆଉ ପୁଅ ହୃଦରୋଗରେ ପୀଡ଼ିତ। ତେବେ ଏସବୁ ଯୁକ୍ତି ସୁପ୍ରିମକୋର୍ଟରେ କାଟୁ କରିନି।


Naxatra News is now on Whatsapp
Join and get latest news update delivered to you via whatsapp
Join Now