IRCTC SCAM- ଅଡୁଆରେ ଲାଲୁ ପରିବାର

ବିହାର ନିର୍ବାଚନ ପୂର୍ବରୁ ଲାଲୁଙ୍କୁ ବଡ଼ ଝଟକା। ଆଇଆରସିଟିସି ଘୋଟାଲାରେ ଲାଲୁ, ରାବ୍ରୀ, ତେଜସ୍ୱୀଙ୍କ ସମେତ ୧୪ ଅଭିଯୁକ୍ତଙ୍କ ଉପରେ ଚାର୍ଜଫ୍ରେମ୍ କରିଛନ୍ତି ଦିଲ୍ଲୀର ରାଉଜ୍ ଆଭିନ୍ୟୁ କୋର୍ଟ। ସ୍ୱତନ୍ତ୍ର ବିଚାରପତି ଜଷ୍ଟିସ ବିଶାଳ ଗୋଗନେ ଏହି ଭ୍ରଷ୍ଟାଚାର ମାମଲାରେ କହିଛନ୍ତି ଯେ, ଲାଲୁଙ୍କ ପରିବାର ଟେଣ୍ଡରରୁ ଅନୈତିକ ଫାଏଦା ପାଇଛନ୍ତି। ଆଇଆରସିଟିସିର ଦୁଇଟି ହୋଟେଲର ରକ୍ଷଣାବେକ୍ଷଣ ଲାଗି ଗୋଟିଏ ଫାର୍ମକୁ କଣ୍ଟ୍ରାକ୍ଟ ଦେବା ବେଳେ ତଥାକଥିତ ଗଡ଼ବଡ଼ି ସାମ୍ନାକୁ ଆସିଥିଲା। ଅଭିଯୋଗ ଥିଲା ଯେ, ଏହାର ଠିକା ପାଇବା ବଦଳରେ ଲାଲୁଙ୍କ ପରିବାରକୁ ପାଟନାରେ ୩ ଏକର ଜମି ମିଳିଥିଲା। ଏହି କେଳେଙ୍କାରୀ ୨୦୦୪ରୁ ୨୦୦୯ ଭିତରେ ହୋଇଥିଲା ଯେବେ ଲାଲୁ ରେଳମନ୍ତ୍ରୀ ଥିଲେ। ସିବିଆଇ ଲାଲୁଙ୍କ ପରିବାର ସମେତ ୧୪ ଜଣଙ୍କୁ ଅଭିଯୁକ୍ତ ଦର୍ଶାଇଥିଲା। କୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ଜାଲିଆତିର ଅଭିଯୁକ୍ତ ଭାବେ ଦୋଷୀ ମାନିଛନ୍ତି। ଲାଲୁଙ୍କ ଜାଣତରେ ସବୁ ଦୁର୍ନୀତି ହୋଇଥିଲା। ପଦର ଦୁରୁପଯୋଗ କରି ଲାଲୁ ଷଡ଼ଯନ୍ତ୍ର ରଚିଥିଲେ। ରେଲଓ୍ୱେକୁ ବିପୁଳ ରାଜସ୍ୱ କ୍ଷତି ହୋଇଥିଲା। ଧାର୍ଯ୍ୟ ଦରରୁ ବହୁ କମ୍‌ରେ ଟେଣ୍ଡର ଦିଆଯାଇଥିଲା। ଲାଲୁଙ୍କ ସମେତ ୧୪ ଜଣଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଫାଇଲ୍ ହୋଇଛି। ଏ ସଂକ୍ରାନ୍ତରେ ତେଜସ୍ୱୀ ଯାଦବ କହିଛନ୍ତି, ଏହା ସ୍ୱାଭାବିକ କୋର୍ଟ ପ୍ରକ୍ରିୟା। କୋର୍ଟ ଆମକୁ ସମନ କରିଥିଲେ। ଏ ଲଢ଼େଇ ଲଢ଼ିବୁ। ଯେହେତୁ ନିର୍ବାଚନ ମୁଣ୍ଡ ଉପରେ। ଏମିତି ସବୁ ଘଟିବା ଥୟ। ସଂଘର୍ଷର ବାଟ ବାଛିଛୁ। ବିହାରର ଜନତା ସବୁ ଜାଣନ୍ତି। ଜମି ବଦଳରେ ଚାକିରୀ, ଠିକା ବଦଳରେ ଜମି। ଲାଲୁଙ୍କ ପରିବାର ଯେମିତି ଭ୍ରଷ୍ଟାଚାରରେ ବୁଡ଼ି ରହିଛନ୍ତି। କେବଳ ବିହାର ନୁହେଁ, ପୁରା ଦେଶ ଲାଲୁଙ୍କ ପରିବାରର ନୀତିକୁ ଜାଣେ ବୋଲି କହିଛି ବିଜେପି। ଦୁର୍ନୀତିର ପ୍ରତୀକ ଅଟନ୍ତି ଲାଲୁ ଓ ତାଙ୍କ ପରିବାର। ଏଭଳି ଭ୍ରଷ୍ଟାଚାର ଲାଗି ବିହାର ଅପଖ୍ୟାତି ଅର୍ଜିଛି ଓ ବିହାରର ବିକାଶ ବହୁ ପଛରେ ପଡ଼ିଯାଇଛି। ମହାଗଠବନ୍ଧନର ରାଜା ଓ ରାଣୀଙ୍କ ଅସଲ ଚରିତ୍ର ପଦାରେ ପଡ଼ିସାରିଛି ବୋଲି କହିଛନ୍ତି ରବିଶଙ୍କର ପ୍ରସାଦ ଓ ମୁଖତାର ଆବାସ ନକଭୀ। କଂଗ୍ରେସ ନେତା ସକିଲ ଅହମ୍ମଦ କହିଛନ୍ତି, ଦଳିତ ଓ ବଞ୍ଚିତ ବର୍ଗଙ୍କ ଲାଗି ଲଢ଼େଇ କରୁଥିବା ଲାଲୁ ଓ ତାଙ୍କ ପରିବାରକୁ ଫସାଇବାକୁ ଜାଣିଶୁଣି ଏଭଳି ଚକ୍ରାନ୍ତ କରାଯାଉଛି। ନିର୍ବାଚନ ଉପରେ କୌଣସି ପ୍ରଭାବ ପକାଇବନି। କଂଗ୍ରେସ ତେଜସ୍ୱୀଙ୍କ ସହ ସବୁବେଳେ ରହିବ। କୋର୍ଟ ନିଷ୍ପତ୍ତିକୁ ଉପରକୋର୍ଟରେ ଚ୍ୟାଲେଞ୍ଜ କରାଯିବ। ବିହାର ନିର୍ବାଚନ ମୁଣ୍ଡ ଉପରେ। ଆଉ ଏତିକି ବେଳେ ପୁରୁଣା ଆଇଆରସିଟିସି ଘୋଟାଲାରେ ଲାଲୁ ଓ ତାଙ୍କ ପରିବାରକୁ ଅଦାଲତି ଝଟକା। ଏହାର ପ୍ରଭାବ ନିର୍ବାଚନ ଉପରେ କେମିତି ପଡ଼ିବ, ସମୟ କହିବ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *