ଆଇଆରଏସ କଳି: ଏଆରଟିଓ ପତ୍ନୀଙ୍କ ଭିକ୍ଟିମ କାର୍ଡ VS ଆଇପିଏସ ପତ୍ନୀଙ୍କ ପାଓ୍ୱାର ସୋ!

ୟୁପିରେ ଦୁଇ ଆଇଆରଏସ ଅଧିକାରୀଙ୍କ ଗଣ୍ଡଗୋଳ ଭିତରେ ଜଣେ ମହିଳା ଆଇପିଏସଙ୍କ ହସ୍ତକ୍ଷେପ ଏବେ ଚର୍ଚ୍ଚାର ବିଷୟ ସାଜିଛି। ଆଇଆରଏସ ଗୌରଭ ଗର୍ଗ ଓ ଯୋଗେନ୍ଦ୍ର ମିଶ୍ରାଙ୍କ ଭିତରେ ମାଡ଼ପିଟ ମେ ୨୯ରୁ ବେଶ୍ ଚର୍ଚ୍ଚାର ବିଷୟ ସାଜିଛି। ଲକ୍ଷ୍ନୌରେ ଡେପୁଟି କମିଶନର ଗୌରବ ଗର୍ଗ ନିଜ ସିନିୟର ଜଏଣ୍ଟ କମିଶନର ଯୋଗେନ୍ଦ୍ର ମିଶ୍ରାଙ୍କ ଉପରେ ମାଡ଼ପିଟର ଆରୋପ ଲଦିଥିଲେ। ଯୋଗେନ୍ଦ୍ର ୨୦୧୪ ବ୍ୟାଚ ଓ ଗୌରବ ୨୦୧୬ ବ୍ୟାଚର ଆଇଆରଏସ ଅଟନ୍ତି। ଯୋଗେନ୍ଦ୍ର ପେପରଓ୍ୱେଟରେ ମାରି ଆହତ କରିଥିଲେ ଗୌରବଙ୍କୁ। ସେପଟେ ଯୋଗେନ୍ଦ୍ର ଭିକ୍ଟିମ କାର୍ଡ ଖେଳିଛନ୍ତି। ଯୋଗେନ୍ଦ୍ରଙ୍କ ପତ୍ନୀ କମିଶନରଙ୍କ ଅଫିସରେ ପହଞ୍ଚି ଗୌରବ ଓ ତାଙ୍କ ପତ୍ନୀ ରବୀନା ତ୍ୟାଗୀଙ୍କ ଉପରେ ମିଛ ମାମଲାର ଆରୋପ ଲଦିଛନ୍ତି। ଗୌରବଙ୍କ ପତ୍ନୀ ରବୀନା ତ୍ୟାଗୀ ହେଉଛନ୍ତି ବରିଷ୍ଠ ଆଇପିଏସ ଅଫିସର। ଲକ୍ଷ୍ନୌରେ ଡିସିପି ସେଣ୍ଟ୍ରାଲ ଥିଲେ ୨୦୧୪ ବ୍ୟାଚର ଆଇପିଏସ ରବୀନା। ଏବେ ଇଣ୍ଟେଲିଜେନ୍ସ ଓ ସିକ୍ୟୁରିଟି ପଦରେ ଡିସିପି ଭାବେ କାର୍ଯ୍ୟରତ ରବୀନା। ମାଡ଼ପିଟ ମାମଲାରେ ଯୋଗେନ୍ଦ୍ରଙ୍କ ବିରୁଦ୍ଧରେ ଏତଲା ହୋଇଛି। ଯୋଗେନ୍ଦ୍ରଙ୍କ ପତ୍ନୀ ନେହା ଅଭିଯୋଗ କରିଛନ୍ତି ଯେ, ରବୀନା ନିଜ ପଦର ଦୁରୁପଯୋଗ କରି ଯୋଗେନ୍ଦ୍ରଙ୍କ ବିରୁଦ୍ଧରେ ମିଛ ମାମଲା ରୁଜୁ କରିଛନ୍ତି। ଯୋଗେନ୍ଦ୍ର ବି ଆରୋପ ଲଦିଥିଲେ ଯେ, ନିଜ ଆଇପିଏସ ପତ୍ନୀଙ୍କ ସହ ମିଶି ଗୌରବ ତାଙ୍କର ଉତ୍ପୀଡ଼ନ ଓ ଚରିତ୍ରସଂହାର କରିଛନ୍ତି। ଯେତେବେଳେ ତାଙ୍କର ନିଯୁକ୍ତି କାନପୁରରେ ତଦନ୍ତ ଅଫିସର ରୂପରେ ହୋଇଥିଲା, ସେଠାରେ ପୂର୍ବରୁ ହିଁ ଗୌରବ ନିୟୋଜିତ ଥିଲେ। ଗୌରବ ବ୍ୟାପକ ଟିକସ ହେରଫେର୍ କରିଥିଲେ। ଏହାର ରିପୋର୍ଟ ଉପରିସ୍ଥ ଅଧିକାରୀଙ୍କୁ ପଠାଇବାରୁ ତାଙ୍କୁ ଟାର୍ଗେଟ କରିଥିଲେ ଗୌରବ। ଗଲା ଫେବୃଆରୀ ୨୦୨୫ରେ ଏକ କ୍ରିକେଟ ଟୁର୍ଣ୍ଣାମେଣ୍ଟରୁ ଏହି ବିବାଦ ଆରମ୍ଭ ହୋଇଥିଲା। ଟିମର କ୍ୟାପଟେନସିପକୁ ନେଇ ଗୌରବ ଓ ଯୋଗେନ୍ଦ୍ରଙ୍କ ଭିତରେ ବଚସା ହୋଇଥିଲା। ଆଉ କଥା ଏତେ ଦୂର ବଢ଼ିଯାଇଥିଲା ଯେ, ମେ ୨୯ରେ ଲକ୍ଷ୍ନୌର ହଜରତଗଞ୍ଜ ଆୟକର ଅଫିସରେ ଏକ ବନ୍ଦ କୋଠରୀରେ ମିଟିଂ ବେଳେ ଯୋଗେନ୍ଦ୍ର ଗୌରବଙ୍କୁ ପେପରଓ୍ୱେଟ୍, କାଚଗ୍ଲାସରେ ଆକ୍ରମଣ କରିଥିବାର ଆରୋପ ରହିଛି।  ଯୋଗେନ୍ଦ୍ରଙ୍କ ବିରୁଦ୍ଧରେ ବିଭାଗୀୟ ଯାଞ୍ଚ କରୁଥିଲା ବେଳେ ଏଭଳି ଅଘଟଣ ଘଟିଥିଲା। ଯୋଗେନ୍ଦ୍ରଙ୍କ ବିରୁଦ୍ଧରେ ଏତଲା ପରେ ମେ ୩୦ରେ ଯୋଗେନ୍ଦ୍ରଙ୍କ ପତ୍ନୀ ପାଲଟା ଗୌରବ ଓ ତାଙ୍କ ଆଇପିଏସ ପତ୍ନୀଙ୍କ ବିରୁଦ୍ଧରେ ଗମ୍ଭୀର ଆରୋପ ଲଦିଥିଲେ। ଆୟକର ଅଫିସରେ ସିସିଟିଭି ଫୁଟେଜର ଯାଞ୍ଚ ହେଲେ ପ୍ରକୃତ ସତ ପଦାକୁ ଆସିବ ବୋଲି ଦାବି କରିଛନ୍ତି ଯୋଗେନ୍ଦ୍ର ଓ ତାଙ୍କ ପତ୍ନୀ। ଆଇପିଏସ ରବୀନା ତାଙ୍କ ପରିବାର ଉପରେ ନଜର ରଖିଛନ୍ତି। ଆଉ ସୁରକ୍ଷା ସହ ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପାଖରେ ଫେରାଦ୍ ହୋଇଛନ୍ତି ଯୋଗେନ୍ଦ୍ର ଓ ତାଙ୍କ ପତ୍ନୀ ନେହା। ଯୋଗେନ୍ଦ୍ରଙ୍କ ପତ୍ନୀ ଏଆରଟିଓ ଅଛନ୍ତି। ଆଇଆରଏସ ଅଫିସରଙ୍କ ଆଇପିଏସ ପତ୍ନୀ ନିଜ ପାଓ୍ୱାରରେ ଭୟଭୀତ କରାଉଥିବାର ଆରୋପ ଆସିଛି। ଆଇଆରଏସ ଅଫିସର କଳି ଭିତରେ ଆଇପିଏସ ପତ୍ନୀଙ୍କ ପାଓ୍ୱାର ସୋ ଚାଲିଥିଲା ବେଳେ ସେପଟେ ଯୋଗେନ୍ଦ୍ର ମିଶ୍ରା ଜଣେ ବିବାଦୀୟ ଅଫିସର ଭାବେ ବେଶ୍ ଜଣାଶୁଣା। ଜୁନିଅର ଅଫିସରଙ୍କୁ ଧମକାଇବା, ଜାଲି ଚାଟ ଜରିଆରେ ବ୍ଲାକମେଲିଂ କରିବା, ସିନିୟରଙ୍କୁ ଅଭଦ୍ରୋଚିତ ବ୍ୟବହାରର ଅନେକ ଆରୋପରେ ବି ଫସିଛନ୍ତି ଯୋଗେନ୍ଦ୍ର। ଆଗକୁ ଏ ଘଟଣା କାହାକୁ ଭାରି ପଡ଼ୁଛି, ଦେଖିବାର କଥା। ସବୁଠି ଚର୍ଚ୍ଚା। ଜଣେ ଆଇଆରଏସଙ୍କ ଆଇପିଏସ ପତ୍ନୀ ପାଓ୍ୱାର ସୋ ଦେଖାଉଥିଲା ବେଳେ ଆଉ ଜଣେ ଆଇଆରଏସଙ୍କ ଏଆରଟିଓ ପତ୍ନୀ ଖେଳିଲେଣି ଭିକ୍ଟିମ କାର୍ଡ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *