କର୍ଣ୍ଣାଟକର କୋପାଲରେ ଥିବା ହାମ୍ପି ହେରିଟେଜ୍ ସାଇଟରେ ବିଦେଶୀ ମହିଳାଙ୍କୁ ଦୁଷ୍କର୍ମ। ଆଉ ଜଣେ ପୁରୁଷ ପର୍ଯ୍ୟଟକଙ୍କୁ ମର୍ଡର। ପୁରୁଷ ପର୍ଯ୍ୟଟକ ଜଣକ ଓଡ଼ିଶାର। ତାଙ୍କ ନାଁ ବିବାସ। ବିବାସଙ୍କ ଶବ ଘଟଣାସ୍ଥଳରୁ ୨ କିଲୋମିଟର ଦୂର କେନାଲର ପାଓ୍ୱାରହାଉସ ପାଖରେ ମିଳିଛି। ଯେଉଁ ଗୋଷ୍ଠୀ ଏହି କାଣ୍ଡ ଭିଆଇଛନ୍ତି, ସେମାନେ ବିବାସଙ୍କ ଶବକୁ ତୁଙ୍ଗଭଦ୍ରା ନଦୀ ପାଖରେ ଫିଙ୍ଗିଦେଇଥିଲେ। ଗଙ୍ଗାବତୀ ଗ୍ରାମାଞ୍ଚଳ ପୁଲିସ ଡକାୟତି, ଦୁଷ୍କର୍ମ ଓ ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ହାମ୍ପି ପାଖ ସାନାପୁର ହ୍ରଦ ନିକଟରେ ବୁଲୁଥିଲା ବେଳେ ୨୭ ବର୍ଷୀୟା ଇସ୍ରାଏଲ ପର୍ଯ୍ୟଟକ ଗଣଦୁଷ୍କର୍ମର ଶୀକାର ହୋଇଛନ୍ତି। ଗୁରୁବାର ରାତି ୧୧ଟାର ଘଟଣା। ପୁରୁଷ ପର୍ଯ୍ୟଟକଙ୍କ ଭିତରୁ ଜଣେ ଆମେରିକାର ତ ଅନ୍ୟ ଦୁଇ ଜଣ ଓଡ଼ିଶା ଓ ମହାରାଷ୍ଟ୍ରର। ମୋଟର ସାଇକେଲରେ ୩ ଜଣ ଦୁର୍ବୃତ୍ତ ଆସି ଏମାନଙ୍କୁ କେଉଁଠି ପେଟ୍ରୋଲ ମିଳୁଛି କହି ପଚାରିଥିଲେ। ଯେତେବେଳେ ନିକଟରେ ପେଟ୍ରୋଲ ପମ୍ପ ନାହିଁ ବୋଲି ମହିଳା ଜଣକ କହିଥିଲେ, ସେତେବେଳେ ୩ ଦୁର୍ବୃତ୍ତ ତାଙ୍କଠୁ ଶହେ ଟଙ୍କା ମାଗିଥିଲେ। କିନ୍ତୁ ଟଙ୍କା ଦେବାକୁ ପର୍ଯ୍ୟଟକ ମନା କରିଦେବାରୁ ପର୍ଯ୍ୟଟକଙ୍କୁ ଅସଦାଚରଣ କରିଥିଲେ। ତା ପରେ ଇସ୍ରାଏଲି ପର୍ଯ୍ୟଟକଙ୍କ ସମେତ ଅନ୍ୟ ଜଣେ ମହିଳାଙ୍କୁ ଦୁଷ୍କର୍ମ କରିବା ସହ ତାଙ୍କ ସହ ଥିବା ୩ ଜଣ ପୁରୁଷ ପର୍ଯ୍ୟଟକଙ୍କୁ ପାଖ କେନାଲ ପାଖକୁ ଘୋଷାରି ନେଇ ମାଡ଼ ମାରି କେନାଲ ଭିତରକୁ ଠେଲି ଦେଇଥିଲେ। ତେବେ ୩ଜଣ ପର୍ଯ୍ୟଟକଙ୍କ ଭିତରୁ ଓଡ଼ିଶାର ବିଭାସଙ୍କ ପତ୍ତା ମିଳୁନଥିଲା। ପରେ ତାଙ୍କ ଶବ କେନାଲ ପାଖରୁ ଉଦ୍ଧାର କରିଛି ପୁଲିସ। ବିଭାସ ପାଣିରେ ବୁଡ଼ି ମୃତ୍ୟୁବରଣ କରିଥିବା ସନ୍ଦେହ କରୁଛି ପୁଲିସ। ଅନ୍ୟ ଦୁଇ ଆହତ ପର୍ଯ୍ୟଟକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅନ୍ୟ ଦୁଇ ପର୍ଯ୍ୟଟକ ହେଲେ ୨୩ ବର୍ଷୀୟ ଆମେରିକାର ଡାନିଏଲ ପିଟାସ୍ ଓ ନାସିକର ୪୨ ବର୍ଷୀୟ ପଙ୍କଜ ପାଟିଲ୍। ଏହି ଘଟଣାରେ ସ୍ଥାନୀୟ ଗ୍ୟାଙ୍ଗ ସାମିଲ ଥିବା ସୂଚନା ଦେଇଛି ପୁଲିସ। ତଦନ୍ତ ଜାରି ରହିଛି। ଖୁବ ଶୀଘ୍ର ସମସ୍ତ ଦୋଷୀଙ୍କୁ ଗରଫ କରାଯିବ ବୋଲି କୋପାଲ ଏସପି କହିଛନ୍ତି।

Naxatra News is now on Whatsapp
Join and get latest news update delivered to you via whatsapp
Join Now