ଖାନ୍ ସାରଙ୍କୁ ଆରେଷ୍ଟ ନେଇ ସୋସିଆଲ ମିଡ଼ିଆରେ ପୋଷ୍ଟ ଭାଇରାଲ

ଖାନ୍ ସାର୍ ଆରେଷ୍ଟ! ସୋସିଆଲ ମିଡ଼ିଆରେ ଖାନ୍ ସାରଙ୍କୁ ପୁଲିସ ଗିରଫ କରିଥିବାର ପୋଷ୍ଟ ଜୋରଦାର ଭାଇରାଲ ହେବାରେ ଲାଗିଛି। କିନ୍ତୁ ପୁଲିସ ସ୍ପଷ୍ଟ କରିଛି ଖାନ୍ ସାରଙ୍କୁ ଗିରଫ କରାଯାଇନି। କିଛି ଦିନ ହେଲା ବିହାର ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ସିଭିଲ ସର୍ଭିସ ପରୀକ୍ଷାରେ ନର୍ମାଲାଇଜେସନ ପ୍ରକ୍ରିୟା ନେଇ ଛାତ୍ର ବିରୋଧ ପ୍ରଦର୍ଶନ କରି ଆସୁଛନ୍ତି। ଆନ୍ଦୋଳନକାରୀଙ୍କୁ ଖାନ୍ ସାର ବି ସମର୍ଥନ କରିଆସୁଛନ୍ତି। ବିପିଏସସି କାର୍ଯ୍ୟାଳୟ ଆଗରେ ଛାତ୍ରମାନେ ବିରୋଧ କରୁଥିଲା ବେଳେ ପୁଲିସ ଖାନ୍ ସାରଙ୍କୁ ନିଜ ହେପାଜତକୁ ନେଇଯାଇଛି ବୋଲି ଚର୍ଚ୍ଚା ଜୋର ଧରିଥିଲା। ତେବେ ସୋସିଆଲ ମିଡିଆରେ ଏହି ଖବରକୁ ନେଇ ଜୋରଦାର ଭାଇରାଲ ପରେ ପୁଲିସ ସ୍ପଷ୍ଟ କରିଛି, ଏହା ମିଛ କଥା। ଏଭଳି ଗୁଜବ ଖେଳାଇଥିବା ବ୍ୟକ୍ତିଙ୍କୁ ଗିରଫ କରିବାକୁ ପୁଲିସ ଖୋଜୁଛି। ପୁଲିସ କହିଛି, କୋଚିଂ ସଞ୍ଚାଳକ ଖାନ୍ ସାର୍ ନିଜେ ଗର୍ଦ୍ଦନିବାଗ ଥାନାରେ ହାଜର ହୋଇଥିଲେ। ଯେହେତୁ ଆନ୍ଦୋଳନସ୍ଥଳ ସଂପୃକ୍ତ ଥାନା ଅନ୍ତର୍ଗତ। ମାଜିଷ୍ଟ୍ରେଟଙ୍କୁ ଭେଟିଥିଲେ। ଆଉ ଆନ୍ଦୋଳନରତ ଛାତ୍ରଙ୍କୁ ବୁଝାଇବେ ବୋଲି ଆଶ୍ୱାସନା ଦେଇଥିଲେ। ଏହା ପରେ ନିଜ ଗାଡ଼ି ଯାଏ ତାଙ୍କୁ ଛାଡ଼ିଦେବାକୁ ପୁଲିସକୁ ଅପିଲ କରିଥିଲେ। ଆଉ ପୁଲିସ ତାଙ୍କୁ ସୁରକ୍ଷିତ ଭାବେ ପୁଲିସ ଭ୍ୟାନରେ ବସାଇ ଅଟଳ ପଥ ପାଖରେ ପାର୍କିଂରେ ଥିବା ତାଙ୍କ ଗାଡ଼ି ପାଖରେ ଛାଡ଼ିଦେଇଥିଲେ। ଖାନ୍ ଗ୍ଲୋବାଲ୍ ଷ୍ଟଡିଜ୍ ଏକ୍ସ ହ୍ୟାଣ୍ଡେଲରେ ଶନିବାର ସକାଳୁ ତଥ୍ୟହୀନ, ଭ୍ରମିତ ଓ ଉତ୍ତେଜନା ଉଦ୍ଦେଶ୍ୟରେ ଅନେକ ପୋଷ୍ଟ କରାଯାଇଥିବା ଦେଖିବାକୁ ପାଇଥିଲା ପୁଲିସ। ଏଥିରେ ଖାନ୍ ସାରଙ୍କୁ ମୁକ୍ତି ଦିଅ କହି ଦାବି ଟ୍ରେଣ୍ଡ୍ କରିଥିଲା। ପାଟନା ପୁଲିସ ଗିରଫ କରିନି ବୋଲି ସ୍ପଷ୍ଟ କରିଛି। ନା ଖାନ୍ ସାରଙ୍କୁ ପୁଲିସ ଅଟକ ରଖିଥିଲା ନା ଗିରଫ କରିଛି।

ପୁଲିସ ଆନ୍ଦୋଳନକାରୀଙ୍କୁ ଘଉଡ଼ାଇବାକୁ ଲାଠିଚାର୍ଜ କରିଥିଲା। ଏହାରି ଭିତରେ ଭିଡ଼ରେ ପହଞ୍ଚିଥିବା ଖାନ୍ ସାର ଆନ୍ଦୋଳନକାରୀଙ୍କୁ ଉସୁକାଉଥିବା କୁଆଡ଼େ ଅନୁଭବ କରିଥିଲା ପୁଲିସ। ଆନ୍ଦୋଳନରତ ଛାତ୍ରଙ୍କ ଚାପରେ ପୁଲିସ ଖାନ୍ ସାରଙ୍କୁ ବାଧ୍ୟ ହୋଇ ଛାଡ଼ି ଦେଇଥିଲା ବୋଲି ଅନେକ ଛାତ୍ର ଦାବି କରୁଛନ୍ତି। ଖାନ୍ ସାର୍ ବି ସ୍ପଷ୍ଟ କରିଦେଇଛନ୍ତି, ନର୍ମାଲାଇଜେସନ ପ୍ରକ୍ରିୟା ରଦ୍ଦ ପରେ ହିଁ ସେ ଆନ୍ଦୋଳନସ୍ଥଳରୁ ଫେରିବେ। ସେପଟେ ବିପିଏସସି ବି ବୟାନ ଜାରି କରିଛି ଯେ, ନର୍ମାଲାଇଜେସନ ଲାଗୁ ହେବନି। ପୁରୁଣା ପଦ୍ଧତିରେ ହିଁ ପରୀକ୍ଷା ହେବ। ପରୀକ୍ଷାରେ ଯଦି ଗୋଟିଏ ସେଟ୍ ପ୍ରଶ୍ନପତ୍ର ହେବ, ତାହେଲେ ନିଜ ମେଧା ଦେଖାଇବାକୁ ସମସ୍ତ ପରୀକ୍ଷାର୍ଥୀଙ୍କୁ ସମାନ ସୁଯୋଗ ମିଳିବ।  କିନ୍ତୁ ଭିନ୍ନ ସେଟ୍ ହେଲେ ଏହା ପ୍ରତିଯୋଗିତାର ମୂଳ ଆଧାରକୁ ଉଲ୍ଲଂଘନ କରିବ ବୋଲି ଯୁକ୍ତି ବାଢ଼ିଛନ୍ତି ଛାତ୍ରଛାତ୍ରୀ। ଖାନ୍ ସାର ମିଡିଆକୁ କହିଛନ୍ତି ଯେ, ପରୀକ୍ଷାର୍ଥୀ ଗୁଜବ ଖେଳାଉନାହାନ୍ତି। ଫର୍ମ ପୂରଣ ସମୟରେ ସେମାନଙ୍କୁ କଷ୍ଟ ହେଉଛି। ଫର୍ମ ପୂରଣର ଶେଷ ତାରିଖର ଦୁଇରୁ ତିନି ଦିନ ଆଗରୁ ସର୍ଭର ଡାଉନ ହୋଇଯାଇଥିଲା। ଏଥିଲାଗି ପ୍ରାୟ ୮୦ ହଜାର ଆଶାୟୀ ଫର୍ମ ଦାଖଲ କରିପାରିଲେନି। ସେମାନଙ୍କ ଲାଗି ଅଲଗା ବ୍ୟବସ୍ଥା ହେବା ଦରକାର।

ନର୍ମାଲାଇଜେସନ ପ୍ରକ୍ରିୟା ହେଉଛି ଯେ, ଯଦି ପରୀକ୍ଷାର୍ଥୀଙ୍କ ସଂଖ୍ୟା ଅତ୍ୟଧିକ ହୁଏ। ତା ହେଲେ ଏହି ପ୍ରକ୍ରିୟାରେ ଦୁଇ କିମ୍ୱା ତାଠୁ ଅଧିକ ସିଫ୍ଟରେ ପରୀକ୍ଷା କରାଯାଏ। ସେଥିଲାଗି ଭିନ୍ନ ପ୍ରଶ୍ନପତ୍ର ସେଟ୍ କରାଯାଏ। କିନ୍ତୁ ଏ ପ୍ରକ୍ରିୟା ଦ୍ୱାରା ବେଳେ କମ୍ ମାର୍କ ପାଇଥିବା ପରୀକ୍ଷାର୍ଥୀଙ୍କ ମାର୍କ ଅତ୍ୟଧିକ ବଢ଼ିଯାଏ ତ କେବେ କେବେ ଭଲ ନମ୍ୱର ଆଣିଥିବା ପରୀକ୍ଷାର୍ଥୀଙ୍କ ନମ୍ୱର କମ୍ ହୋଇଯାଏ।  ଡିସେମ୍ୱର ୧୩ରେ ପ୍ରିଲିମିନାରୀ ପରୀକ୍ଷା ହେବାକୁ ଯାଉଛି। ଏହାକୁ ନେଇ ହିଁ ବିହାରରେ ବୋବାଲ ପରିସ୍ଥିତି ସୃଷ୍ଟି ହୋଇଛି। ଓ୍ୱାନ ସିଫ୍ଟ-ଓ୍ୱାନ ପେପର ଦାବିରେ ଅଡ଼ି ବସିଛନ୍ତି ଆଶାୟୀ। ଗ୍ରୁପ-ଏ ଓ ଗ୍ରୁପ୍ -ବି ପୋଷ୍ଟ ପାଇଁ ବିପିଏସସି ଯୁଗ୍ମ ପ୍ରିଲିମିନାରୀ କମ୍ପିଟିଟିଭ ପରୀକ୍ଷା ହେବାକୁ ଯାଉଛି। ରାଜ୍ୟର ୯୨୫ କେନ୍ଦ୍ରରେ ପ୍ରାୟ ୫ଲକ୍ଷ ପରୀକ୍ଷାର୍ଥୀ ଭାଗ ନେବେ ବୋଲି ଆକଳନ କରାଯାଇଛି। ଆଉ ଏତିକିବେଳେ  ଆନ୍ଦୋଳନକାରୀଙ୍କ ସହ ଛିଡ଼ା ହୋଇଥିବା ଖାନ ସାରଙ୍କ ଗିରଫଦାରି ଖବର ପରିବେଶକୁ ସରଗରମ କରିଥିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *