ସନ୍ତୋଷ ଖଟୁଆଙ୍କୁ ବାନ୍ଧ। ମହିଳାଙ୍କ ପ୍ରତି କୁତ୍ସିତ ମନ୍ତବ୍ୟ ଦେଇଥିବା ବିଜେପି ବିଧାୟକ ସନ୍ତୋଷଙ୍କ ସୁରକ୍ଷାକବଚ ସାଜିଛନ୍ତି ସରକାର। ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ବିରୁଦ୍ଧରେ ବିଧାୟକ ଆପତ୍ତିଜନକ ଟିପ୍ପଣୀ ଦେଇଥିବା ସତ୍ତ୍ୱେ ସରକାର ନୀରବଦ୍ରଷ୍ଟା ସାଜିଛନ୍ତି। ଏହାର ପ୍ରତିବାଦରେ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ପକ୍ଷରୁ ରାଜମହଲରୁ ମାଷ୍ଟରକ୍ୟାଣ୍ଟିନ୍ ଛକ ଯାଏ ରାଲି କରାଯାଇଥିଲା। ସନ୍ତୋଷ ଖଟୁଆଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା। ଯେ ପର୍ଯ୍ୟନ୍ତ ସନ୍ତୋଷଙ୍କୁ ଗିରଫ କରାଯାଇନି, ସେ ପର୍ଯ୍ୟନ୍ତ ଲଢ଼େଇ ଜାରି ରହିବ ବୋଲି ଚେତାଇ ଦେଇଛି ବିଜୁ ମହିଳା ଜନତା ଦଳ। ରାଜ୍ୟରେ ମହିଳା ନିର୍ଯାତନା ବଢ଼ିଚାଲିଛି। ହେଲେ ସରକାର ଉଦାସୀନ। ଆଉ ନିଜ ଦଳର ବିଧାୟକଙ୍କ ଅଶୋଭନୀୟ ଆଚରଣକୁ ଘଣ୍ଟ ଘୋଡ଼ାଇବାରେ ଲାଗିଛନ୍ତି ବୋଲି ଆରୋପ ଲଦିଛି ବିଜୁ ମହିଳା ଜନତା ଦଳ। ମହିଳା ସୁରକ୍ଷା ନାଁରେ ମହିଳାଙ୍କ ଇଜ୍ଜତ ନେଲେ ଚଳିବନି ବୋଲି କହିଛନ୍ତି ପ୍ରମିଳା ମଲ୍ଲିକ, ଲେଖାଶ୍ରୀ ପ୍ରମୁଖ। ମୋହନ ମାଝୀ ସରକାର ବିରୁଦ୍ଧରେ ଗର୍ଜନ କରିଛି ଦଳ। ନୀତି ଓ ନୈତିକତାର କଥା କହୁଥିବା ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ପୁରା ଚୁପ୍। ଅରୁଚିକର ମନ୍ତବ୍ୟ ସମସ୍ତ ମହିଳାଙ୍କୁ ଅପମାନିତ କରିଛି। ନିର୍ବାଚିତ ପ୍ରତିନିଧିଙ୍କ ଅରୁଚିକର ମନ୍ତବ୍ୟକୁ ବ୍ୟକ୍ତିଗତ ମତ କହି କେମିତି ଏଡ଼ାଇଯାଉଛି ବିଜେପି। ରାଜ୍ୟ ମହିଳା କମିଶନଙ୍କ ପାଖରୁ ବି ନ୍ୟାୟ ମିଳିଲାନି। ମହିଳା ଆଖିର ଲୁହ ମୋହନ ସରକାରଙ୍କୁ ହଟାଇବ। ପ୍ରତି ଜିଲ୍ଲାକୁ ଏହି ଆନ୍ଦୋଳନ ଡେଇଁବ। ଖଟୁଆଙ୍କ ଅଶାଳୀନ ମନ୍ତବ୍ୟକୁ ଗଣ୍ଠି କରି ବାଲେଶ୍ୱର ଜିଲ୍ଲାର ବିଭିନ୍ନ ଥାନା ଆଗରେ ବି ବିଜୁ ମହିଳା ଜନତା ଦଳ ବିକ୍ଷୋଭ କରିଛି। ଶୁକ୍ରବାର ନୀଳଗିରି ଉପଜିଲ୍ଲାପାଳଙ୍କ କାର୍ଯାଳୟ ଘେରାଓ କରାଯିବ ବୋଲି କହିଛନ୍ତି ପ୍ରତାପ ଜେନା। ସେପଟେ ବିଜେପି ଏହାର ଜବାବ ଦେଇଛି। ବିଜେପି ବିଧାୟିକା ସୀମାରାଣୀ ନାୟକ କହିଛନ୍ତି, ସନ୍ତୋଷ ନିଜ ଆଡ଼ୁ ସ୍ପଷ୍ଟିକରଣ ରଖିଛନ୍ତି। ମୋହନ ସରକାର ସବୁବେଳେ ମହିଳାଙ୍କୁ ସମ୍ମାନ ଦେଇଆସିଛନ୍ତି। ମହିଳା ଭାବେ ଏଭଳି ମନ୍ତବ୍ୟକୁ ସେ ବି ନିନ୍ଦା କରୁଛନ୍ତି ବୋଲି କହିଛନ୍ତି ବିଧାୟିକା ସୀମାରଣୀ ନାୟକ। ଏହାକୁ ରାଜନୈତିକ ମୁଦ୍ଦା କରିବା ଉଚିତ ନୁହେଁ। ନିଜ ଅସ୍ତିତ୍ୱ ରକ୍ଷା କରିବାକୁ ଏଭଳି ଆନ୍ଦୋଳନ କରୁଛି ବିଜେଡି। ବିରୋଧୀଙ୍କ କଥାରେ କେହି ଗିରଫ ହୁଅନ୍ତିନି। ଆଇନ ଅନୁସାରେ ଯାହା ପଦକ୍ଷେପ ନେବା କଥା ସରକାର ନେବେ। ହାତୀଦାନ୍ତ ତସ୍କରୀରେ ଅଭିଯୁକ୍ତଙ୍କୁ ନୀଳଗିରି ବିଧାୟକଙ୍କ ଫାର୍ମହାଉସରୁ ଗିରଫ କରାଯାଇଥିଲା କହି ଫାର୍ମ ହାଉସରେ ଆଶ୍ରୟ ଦେଇଥିବା ସନ୍ତୋଷ ଖଟୁଆଙ୍କୁ କାହିଁକି ବାନ୍ଧିନି ପୁଲିସ ବୋଲି ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ମିଳିତ ପ୍ରେସମିଟରେ ଗଲା ୨ ତାରିଖରେ ପ୍ରଶ୍ନ କରିଥିଲେ। ଏହା ସହ ସନ୍ତୋଷ ୨ଶହ ଏକର ଜଙ୍ଗଲ ଜମିକୁ ଜବରଦଖଲ କରି ବାଲି ଓ ମୋରମ ବେଆଇନ ଖନନରେ ଲାଗିଛନ୍ତି। ବିଧାୟକଙ୍କ ଛତ୍ରଛାୟାରେ ଅପରାଧର ଚରାଭୂଇଁ ପାଲଟିଛି ନୀଳଗିରି ବୋଲି ଆକ୍ଷେପ ଲଦିବାରୁ ଟିକଟ ପାଇଁ କେଉଁସ୍ତରକୁ ଲେଖାଶ୍ରୀ ଯାଆନ୍ତି ବୋଲି କହିବା ସହ ଦେହ ବ୍ୟବସାୟୀର କିଙ୍ଗପିନ ବୋଲି ଲେଖାଶ୍ରୀଙ୍କୁ ଆକ୍ଷେପ କରିଥିଲେ ଖଟୁଆ।

Naxatra News is now on Whatsapp
Join and get latest news update delivered to you via whatsapp
Join Now