ଜବରଦଖଲ ଉଚ୍ଛେଦ ବେଳେ ମା’, ଝିଅ ଜୀବନ୍ତ ଦଗ୍ଧ

Spread the love

କାନପୁର: କାନପୁରର ଦେହାତରେ ଜବରଦଖଲ ହଟାଇବା ବେଳେ ମା ଓ ଝିଅ ଜୀବନ୍ତ ଦଗ୍ଧ। ପୁଲିସ ପ୍ରଶାସନ ସମ୍ମୁଖରେ ଉଭୟ ନିଆଁରେ ପୋଡି ମୃତ୍ୟୁବରଣ କରିଛନ୍ତି। ନିଆଁରେ ପୋଡିଯାଉଥିବା ବେଳେ ଉଭୟ ଚିତ୍କାର କରୁଥିଲେ କି, ନିଆଁ ଲଗାଇ ଦେଲେ।  ଉଭୟଙ୍କୁ ରକ୍ଷା କରିବାକୁ ଯାଇ ମହିଳାଙ୍କ ସ୍ବାମୀ କୃଷ୍ଣ ଗୋପାଳ ବୁରୀ ଗୁରୁତର ଜଳିଯାଇଛନ୍ତି। ଘଟଣାଟି ସୋମବାର ସଂଧ୍ୟା ସମୟର ହୋଇଥିବା ବେଳେ ଏହାର ବହୁ ଭିଡିଓ ସାମ୍ନାକୁ ଆସୁଛି।

ସୋମବାର ଦେହାତ ଅଞ୍ଚଳରେ ସରକାରୀ ଜାଗା ଉପରେ ଥିବା ଜବରଦଖଲ ଉଚ୍ଛେଦ କାମ ଚାଲିଥିଲା। ଏକ ମନ୍ଦିରକୁ ଭାଙ୍ଗିବା ବେଳେ ମୃତକ ପରିବାର ଏହାକୁ ବିରୋଧ କରିଥିଲେ। ଏହା ପରେ ମନ୍ଦିର ନିକଟରେ ଥିବା ସେମାନଙ୍କ କୁଡିଆ ଜଳିଯାଇଥିଲା। ଘରେ ଥିବା ମା ଓ ଝିଅଙ୍କ ମୃତ୍ୟୁ ହୋଇଥିଲା। ଏନେଇ ଥାନାରେ ଅଭିଯୋଗ ହୋଇଛି। ମୃତା ମହିଳାଙ୍କ ପୁଅ ଓ ସ୍ବାମୀ ଅଭିଯୋଗ କରିଛନ୍ତି କି, କିଛି ଦିନ ପୂର୍ବରୁ ମଧ୍ୟ ଏସଡିଏମଙ୍କ ନିର୍ଦ୍ଦେଶରେ ସେମାନଙ୍କ କୁଡିଆ ଭଙ୍ଗା ଯାଇଥିଲା। ଏନେଇ ଡିଏମଙ୍କ ନିକଟରେ ଅଭିଯୋଗ ହୋଇଥିଲା।

ସୋମବାର ଦିନ ମନ୍ଦିର ଉଚ୍ଛେଦ ବେଳେ ଏସଡିଏମ ତାଙ୍କ ସହ ଥିବା ୧୫ରୁ ଅଧିକ ଲୋକଙ୍କୁ କୁଡିଆରେ ନିଆଁ ଲଗାଇ ସମସ୍ତଙ୍କୁ ମାରିଦେବାକୁ ନିର୍ଦ୍ଦେଶ ଦେଇଥିବା ଅଭିଯୋଗ ହୋଇଛି। ତେବେ କୌଣସି ପ୍ରକାରେ ବାପା ଓ ପୁଅ ନିଆଁରୁ ବର୍ତ୍ତି ଯାଇଥିବା ବେଳେ ମା ଓ ଝିଅ ପୋଡି ଯାଇଥିଲେ।

ମାମଲାରେ ଏସଡିଏମ, ଲେଖପାଳ, ଷ୍ଟେସନ ଅଫିସର, ଜେସିବି ଡ୍ରାଇଭର ସମେତ ୧୩ ଜଣଙ୍କ ବିରୋଧରେ ଅଭିଯୋଗ ହୋଇଛି। ପୁଲିସ ଏମାନଙ୍କ ବିରୋଧରେ ହତ୍ୟା ଓ ହତ୍ୟା ଷଡଯନ୍ତ୍ର ପରି ଧାରା ଲଗାଇଛି। ଘଟଣାର ଯାଞ୍ଚ ଚାଲିଥିବା କହିଛନ୍ତି କାନପୁର ଜୋନ କମିଶନର।

Leave a Reply

Your email address will not be published. Required fields are marked *