ନିଟ୍ ପେପର ଲିକ୍ ନେଇ ବଡ଼ ଆକ୍ସନ। ୧୪ ଛାତ୍ରଙ୍କ ଆଡମିଶନକୁ ବାତିଲ୍ କରିଦିଆଯାଇଛି। ୨୬ ଏମବିବିଏସ ଛାତ୍ରଙ୍କୁ ତତ୍କାଳ ନିଲମ୍ୱିତ କରାଯାଇଛି। ଏହା ବ୍ୟତୀତ ୪୨ ଛାତ୍ରଛାତ୍ରୀଙ୍କୁ ୩ ବର୍ଷ ପାଇଁ ନିଟ୍ ପରୀକ୍ଷା ଦେବାରୁ ବଞ୍ଚିତ କରାଯାଇଛି। ଆଉ ୯ ଛାତ୍ରଛାତ୍ରୀଙ୍କୁ ୨ ବର୍ଷ ପର୍ଯ୍ୟନ୍ତ ନିଟ୍ ପରୀକ୍ଷା ଦେବାରୁ ବ୍ୟାନ୍ ଲଗାଇ ଦିଆଯାଇଛି। ସିବିଆଇ ମେଡିକାଲ ପରୀକ୍ଷା ନିଟ୍ ୨୦୨୪ର ତଦନ୍ତ କରୁଛି। ଯାଞ୍ଚରୁ ଜଣାପଡ଼ିଥିଲା ଯେ, କିଛି ଏମବିବିଏସ ଛାତ୍ର ଗମ୍ଭୀର ଗଡ଼ବଡ଼ିରେ ସାମିଲ୍ ଥିଲେ। ଏମାନଙ୍କ ଭିତରୁ ଅନେକ ଅନ୍ୟ ଆଶାୟୀଙ୍କ ବଦଳରେ ପରୀକ୍ଷା ଦେଇଥିଲେ। ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି, ମାମଲାର ଗମ୍ଭୀରତା ଦୃଷ୍ଟିରୁ ନାସନାଲ ମେଡିକାଲ କମିଶନ ନା ଏନଏମସି ସମସ୍ତ ମେଡିକାଲ କଲେଜ ଓ ସଂସ୍ଥାକୁ ନିର୍ଦେଶ ଦେଇଛି ଯେ, ଦୋଷୀ ୨୬ ଏମବିବିଏସ ଛାତ୍ରଙ୍କୁ ତୁରନ୍ତ ସସପେଣ୍ଡ କରିବାକୁ। ଏହା ବ୍ୟତୀତ ୨୦୨୪-୨୫ ବର୍ଷ ପାଇଁ ୧୪ ଛାତ୍ରଙ୍କ ଆଡମିଶନକୁ ରଦ୍ଦ କରିଦିଆଯାଇଛି। ଯେଉଁମାନେ ନିଟ୍ ୟୁଜି ୨୦୨୪ ପରୀକ୍ଷାରେ ଅନିୟମିତତା କରିଥିଲେ। ଏହା ସହ ନାସନାଲ ଟେଷ୍ଟିଂ ଏଜେନ୍ସି ବା ଏନଟିଏର ଏକ କମିଟି ବି ପ୍ରତିଟି ମାମଲାର ଯାଞ୍ଚ ଜାରି ରଖିଛି। ଏହା ସହ ନିଟ୍ ପରୀକ୍ଷାର ଦିନକ ଆଗରୁ ଭୁଲ୍ ତଥ୍ୟ ପ୍ରସାର କରିବା ଓ ଛାତ୍ରଛାତ୍ରୀଙ୍କ ଭିତରେ ଗୁଜବ ପ୍ରଚାରିତ କରୁଥିବା ୧୦୬ ଟେଲିଗ୍ରାମ ଓ ୧୬ଟି ଇନଷ୍ଟାଗ୍ରାମ ଚ୍ୟାନେଲକୁ ବନ୍ଦ କରିବାକୁ କହିଛି ଏନଟିଏ। ଯେଉଁମାନେ ଟଙ୍କା ନେଇ ମେଡିକାଲ ସିଟ୍ କରାଇଦେବେ ବୋଲି ପ୍ରଲୋଭନ ଦେଖାଉଛନ୍ତି, ସେମାନଙ୍କ ପାଲରେ ନ ପଡ଼ିବାକୁ ପରାମର୍ଶ ଦିଆଯାଇଛି। ନିଟ୍ ପେପର ଲିକର ମାଷ୍ଟରମାଇଣ୍ଡ୍ ସଞ୍ଜୀବ ମୁଖିଆଙ୍କୁ ବିହାରର ଇଓଡବ୍ଲୁ ଏପ୍ରିଲ ୨୫ରେ ଗିରଫ କରିଥିଲା। ତାକୁ ୩୬ ଘଣ୍ଟା ରିମାଣ୍ଡରେ ନେଇଥିଲା ପୁଲିସ। ସିବିଆଇ ବି ୪ଦିନ ରିମାଣ୍ଡରେ ନେଇଛି। ନିଟ୍ ପେପର ଲିକ୍ ପାଇଁ ପରୀକ୍ଷାର୍ଥୀ ପିଛା ୪୦ ଲକ୍ଷ ଟଙ୍କା ଅସୁଲି କରିଥିଲା। ନିଜ ପତ୍ନୀ ମମତା ଦେବୀଙ୍କୁ ରାଜନୀତିରେ ସାମିଲ କରିବାକୁ ସଞ୍ଜୀବ ଏହି ରାକେଟ ଚଲାଉଥିଲା। ସିବିଆଇକୁ ଏହି ମାମଲା ଜୁନ୍ ୨୦୨୪ରେ ହସ୍ତାନ୍ତର କରିଥିଲା ଇଓଡବ୍ଲୁ। ସିବିଆଇ ଆଜି ପର୍ଯ୍ୟନ୍ତ ୪୫ ଜଣଙ୍କୁ ଗିରଫ କରିଛି। ଆଉ ୫ ଜଣଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଦାଖଲ କରିଛି। ବିହାର, ୟୁପି, ହରିଆଣା ଓ ରାଜସ୍ଥାନକୁ ଲମ୍ୱିଥିବା ଏହି ରାକେଟର ପର୍ଦ୍ଦାଫାସ କରିବାକୁ ସଞ୍ଜୀବଙ୍କୁ ଜେରା କରୁଛି ସିବିଆଇ। ସଞ୍ଜୀବଙ୍କ ଗିରଫଦାରି ପାଇଁ ୩ଲକ୍ଷ ଟଙ୍କା ଘୋଷଣା କରିଥିଲା ବିହାର ପୁଲିସ। ଏହି ପୁରଷ୍କାର ଏପ୍ରିଲ ୧୦, ୨୦୨୫ରେ ଘୋଷଣା ହୋଇଥିଲା। ଶେଷରେ ୧୧ ମାସ ଧରି ଫେରାର୍ ଥିବା ସଞ୍ଜୀବକୁ ଏକ ଆପାର୍ଟମେଣ୍ଟରୁ ଗିରଫ କରିଥିଲା ପୁଲିସ।


Naxatra News is now on Whatsapp
Join and get latest news update delivered to you via whatsapp
Join Now