ମହିମୁଣ୍ଡାରୁ ଉଦ୍ଧାର ହେଲେ ଅବହେଳିତ ଶିଶୁ କନ୍ୟା

Spread the love

ବଲାଙ୍ଗୀର : ଆଜି ପୁଇଁନ୍ତଲା ବ୍ଲକ ଅଧିନସ୍ଥ ମହିମୁଣ୍ଡା ଗାଁର ଜଣେ ପିତୃହୀନ ଶିଶୁ କନ୍ୟାଙ୍କୁ ଉଦ୍ଧାର କରାଯାଇ ପଥରଚେପା ସ୍ଥିତ ପାର୍ବତିଗିରି ବାଳ ନିକେତନ ଶିଶୁ ଗୃହରେ ଯତ୍ନ ଓ ସୁରକ୍ଷା ପାଇଁ ଅବସ୍ଥାପିତ କରାଯାଇଛି । ସରକାରୀ ସ୍ତରରୁ ଖବର ଜାଣି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଲକ୍ଷ୍ମୀ ସିଂହ, ଡିସିପିୟୁର ସାମାଜିକ କର୍ମୀ ଅରୁଣ ଖୁଆସ, ମହିମୁଣ୍ଡା ସରପଂଚ ରଂଜିତା ଭୋଇ, ପଂଚାୟତ ଅଧିକାରୀ ମହିମୁଣ୍ଡା ପ୍ରମୁଖ ଶିଶୁ କନ୍ୟାଙ୍କର ମହିମୁଣ୍ଡା ସ୍ଥିତ ଘରକୁ ଶିଶୁ କନ୍ୟା ଓ ପରିବାରର ପରିସ୍ଥିତି ଜାଣିବାକୁ ପହଂଚିଥିଲେ । ଏଠାରେ ପ୍ରକାଶଯୋଗ୍ୟ ଯେ ଉଦ୍ଧାର ହୋଇଥିବା ନାବାଳିକା ରୋଜି ବାରିକ(୧୧ ବର୍ଷ)ଙ୍କ ପିତା ଗତ ୨୦୧୯ରେ ମୃତ୍ୟୁବରଣ ହୋଇଯିବା ପରେ ସ୍ୱାମୀହରା ହୋଇ ରୋଜି ବାରିକଙ୍କ ମାତା ସସ୍ମିତା ମାନସିକ ସ୍ତରରେ ଭାଙ୍ଗି ପଡିଥିଲେ ଓ ମାନସିକ ବିକାରଗ୍ରସ୍ତ ହୋଇଯାଇଥିଲେ । ସେ ଏଣେ ତେଣେ ବୁଲାବୁଲି କରି, ମଗାମଗି କରି ଖିଆପିଆ କରି ନିଜ ଜୀବନ ବଂଚାଇଥିଲେ ଓ ନିଜ ଝିଅମାନଙ୍କ ସୁବିଧା ଅସୁବିଧା ବୁଝିବାକୁ ଅସମର୍ଥ ଥିଲେ । ଶିଶୁ କନ୍ୟା ରୋଜି ବାରିକ ଡାହିମାଲରେ ରହୁଥିବା ନିଜ ଗରିବ କକା ଘରେ ଆଶ୍ରୟ ନେଇ ବର୍ତମାନ ସପ୍ତମ ଶ୍ରେଣୀ ରେ ପଢୁଥିବା ବେଳେ ବଡ ଭଉଣୀ ଅଞ୍ଜଳି ନିଜ ଦୂରସମ୍ପର୍କିୟ ମାଉସି ଘରେ ଆଶ୍ରୟ ନେବାକୁ ବାଧ୍ୟ ହେଉଛନ୍ତି । ଉପରୋକ୍ତ ପରିବାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସରକାରୀ ଚାଉଳ, ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ହିତାଧିକାରୀ ଥିବାବେଳେ ତାଙ୍କର ମା’ଙ୍କର ଚିକିତ୍ସା ପାଇଁ ସରକାରଙ୍କର ସହାୟତା ଲୋଡିଛନ୍ତି ଏବଂ ପ୍ରତ୍ୟୁତରରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ତାହାର ଉପଯୁକ୍ତ ବ୍ୟବସ୍ଥା କରିବା ପାଇଁ ନିର୍ଭର ପ୍ରତିଶୃତି ଦେଇଥିଲେ ।

Leave a Reply

Your email address will not be published. Required fields are marked *