ମହାରାଷ୍ଟ୍ରର ଅମରାବତୀ କେମିଷ୍ଟ ହତ୍ୟା ପାଇଁ ନୂପୁର ଦାୟୀ!

Spread the love

ଭୁବନେଶ୍ୱର: ମହମ୍ମଦଙ୍କ ଉପରେ ନୂପୁର ଶର୍ମାଙ୍କ ବିବାଦିତ ବୟାନକୁ ନେଇ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ପରେ ମଧ୍ୟ ଯେମିତି ଥମୁନି ନୂପୁରଙ୍କ ସମସ୍ୟା। ଉଦୟପୁର ହତ୍ୟା ଘଟଣା ପାଇଁ କୋର୍ଟ ନୂପୁରଙ୍କୁ ସମ୍ପୂର୍ଣ୍ଣ  ଦାୟୀ କରିବା ପରେ ଏବେ ମହାରାଷ୍ଟ୍ରର ଅମରାବତୀ କେମିଷ୍ଟ ହତ୍ୟା ପାଇଁ ନୂପୁରଙ୍କୁ ଟଣାଯାଉଛି। ହତ୍ୟାର ଶିକାର ହୋଇଥିବା କେମିଷ୍ଟ ମଧ୍ୟ ନୂପୁରଙ୍କ ସମର୍ଥନରେ ବାହାରିଥିଲେ।

ଜିହାଦିଙ୍କ ଟାର୍ଗେଟରେ ନୂପୁରଙ୍କ ସମର୍ଥକ। ନୂପୁରଙ୍କୁ ସମର୍ଥନ କଲେ ଚାଲିଯାଉଛି ଜୀବନ। ଖାଲି ଉଦୟପୁରର କହ୍ନେୟା ଲାଲଙ୍କୁ ନୂପୁରଙ୍କ ସମର୍ଥନରେ ହତ୍ୟା କରାଯାଇ ନାହିଁ। ଏହା ପୂର୍ବରୁ ମଧ୍ୟ ମହାରାଷ୍ଟ୍ରରେ ଏକ ହତ୍ୟାକାଣ୍ଡ ହୋଇଛି। ମହାରାଷ୍ଟ୍ରର ଅମରାବତୀରେ ଘଟିଛି ଚାଞ୍ଚଲ୍ୟକର ହତ୍ୟାକାଣ୍ଡ। ଘଟଣାଟି ଉଦୟପୁର ପୂର୍ବରୁ ଘଟିଥିଲେ ମଧ୍ୟ ସମାନ ପ୍ରକାର ଷଡଯନ୍ତ୍ର ଥିବା ଚର୍ଚ୍ଚା ହେଉଛି। ଏହି ଘଟଣାରେ ଆଜି କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ ଏନଆଇଏ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ବିଜେପିର ପୂର୍ବତନ ଜାତୀୟ ମୁଖପାତ୍ର ନୂପୁର ଶର୍ମାଙ୍କୁ ସମର୍ଥନ କରିବାରୁ ମହାରାଷ୍ଟ୍ରର ଜଣେ ଔେଷଧ ଦୋକାନୀକୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି।ମହାରାଷ୍ଟ୍ରର ଅମରାବତୀରେ ଜୁନ ୨୧ରେ ହୋଇଥିବା ଏକ ହତ୍ୟାକାଣ୍ଡକୁ ନୂପୁର ବିବାଦୀୟ ବୟାନ ସହ ଯୋଡା ଯାଉଛି।

କାରଣ ହତ୍ୟାର ଶୀକାର ହୋଇଥିବା ୫୪ ବର୍ଷୀୟ କେମିଷ୍ଟ ଉମେଶ ପ୍ରହଲାଦରାବ କୋହ୍ଲେ ହତ୍ୟା ପୂର୍ବରୁ ନୂପୁରଙ୍କ ସମର୍ଥନରେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଲେ। ତେଣୁ ଏହି ହତ୍ୟା ସହ  ଉଦୟପୁର ହତ୍ୟାକୁ ଲିଙ୍କ କରୁଛି ତଦନ୍ତକାରୀ ଦଳ। କୁହାଯାଉଛି, ଉମେଶଙ୍କ ମୃତ୍ୟୁ ପୂର୍ବରୁ ଉମେଶ ନୂପୁରଙ୍କ ସମର୍ଥନରେ ଏକ ଫୋଷ୍ଟ ହ୍ୱାଟ୍ସଅପ ଗ୍ରୁପଗୁଡିକରେ କରିଥିଲେ। ସେହିସବୁ ଗ୍ରୁପ ମଧ୍ୟରୁ ଗୋଟିଏ ଥିଲା ତାଙ୍କ ଗ୍ରହକ ଥିବା ଏକ ମୁସଲମାନ ଗ୍ରୁପ। ଏହି ପୋଷ୍ଟକୁ ନେଇ ଗ୍ରୁପର ଲୋକଙ୍କ ମଧ୍ୟରେ ଆକ୍ରୋଶ ଦେଖାଦେଇଥିଲା ଓ ତାଙ୍କୁ ଶିକ୍ଷା ଦେବାକୁ ଯୋଜନା ପ୍ରସ୍ତୁତ ହୋଇଥିଲା। ପ୍ରଥମେ ତାଙ୍କୁ ଧମକ ଚମକ ଦିଆଯାଇଥିଲା ମଧ୍ୟ। ହେଲେ ଜୁନ୨୧ ରାତିରେ ଔଷଧ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ତାଙ୍କୁ ଅଧା ରାସ୍ତାରେ ଅଟକାଇ ତାଙ୍କ ବେକକୁ ଛୁରାରେ ମାଡ କରାଯାଇଥିଲା।  ଉମେଶଙ୍କ ସହ ତାଙ୍କ ପୁଅ ବୋହୂ ଅନ୍ୟ ଏକ ମୋଟର ସାଇକେଲରେ ଯାଉଥିବାରୁ ସେମାନେ ଭୟରେ ଚିତ୍କାର କରିଥିଲେ । ଆକ୍ରମଣକାରୀ ସେଠାରୁ ଫେରାର ହୋଇଯାଇଥିଲେ। ଏନେଇ ଉମେଶଙ୍କ ପୁଅଙ୍କ ଅଭିଯୋଗରେ ପୁଲିସ ୫ ଜଣଙ୍କୁ ଗିରଫ କରି ପଚରା ଉଚରାରୁ ସୋସିଆଲ ମିଡିଆ ପୋଷ୍ଟରୁ ତାଙ୍କ ହତ୍ୟା ହୋଇଥିବା କହିଛି।

କିନ୍ତୁ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଏହାକୁ ଖଣ୍ଡନ କରିଛନ୍ତି ଉମେଶଙ୍କ ପୁଅ ସଂକେତ। ସଂକେତ କହିଛନ୍ତି, ନୂପୁରଙ୍କ ସମର୍ଥନ ପୋଷ୍ଟ ସମ୍ପର୍କରେ ଜାଣିବା ପରେ ସେ ତାଙ୍କ ପିତାଙ୍କ ପୋଷ୍ଟ ସବୁ ଚେକ କରିଛନ୍ତି, କୌଣସିଠାରେ ଏପରି ପୋଷ୍ଟ ସେ ପାଇ ନାହାନ୍ତି। ବର୍ତ୍ତମାନ ପ୍ରଶ୍ନ ଉଠୁଛି, ବାସ୍ତବରେ ନୂପୁର ଶର୍ମାଙ୍କ ସମର୍ଥନରୁ ହତ୍ୟା ହୋଇଛି ନା ସୁପ୍ରିମ କୋର୍ଟଙ୍କ ଦ୍ୱାରା ନୂପୁରଙ୍କୁ କଡା ସମାଲୋଚନା କରାଯିବା ପରେ ଏହି ହତ୍ୟାକୁ ନୂଆ ମୋଡ ଦିଆଯାଉଛି? ତେବେ ଏପରି ଏକ ସମ୍ବେଦନଶୀଳ ଓ ସ୍ପର୍ଶକାତର ପ୍ରସଙ୍ଗକୁ  ନେଇ ରାଜନୀତିକରଣ ଦେଶର ସୁରକ୍ଷା ପାଇଁ ଘାତକ ହେବ କହିଲେ ଅତ୍ୟୁକ୍ତି ହେବ ନାହିଁ।

Leave a Reply

Your email address will not be published. Required fields are marked *