ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ସଂଘବଦ୍ଧ ଆକ୍ରମଣ ପଛରେ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ କିଙ୍ଗପିନ୍ ବୋଲି କହୁଛି ଓଏଏସ ସଂଘ। ମୁଖ୍ୟ ଷଡ଼ଯନ୍ତ୍ରକାରୀ ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କରିବାକୁ ପ୍ରଥମ ଦାବି ରଖିଥିଲା ମୁଖ୍ୟମନ୍ତ୍ରୀଙ୍କ ପାଖରେ ସଂଘ। ଜଗନ୍ନାଥଙ୍କୁ ଗିରଫ ନ କଲା ଯାଏ ସମୂହ ଛୁଟିରେ ରହିବେ ବୋଲି ସଫା ସଫା ଶୁଣାଇଦେଇଥିଲେ ବି ମୁଖ୍ୟ ଶାସନ ସଚିବଙ୍କୁ। ହେଲେ ସରକାରୀ ଦଳ କି ସରକାର ଜଗନ୍ନାଥ ପ୍ରଧାନଙ୍କୁ ଷଡ଼ଯନ୍ତ୍ରକାରୀ ମାନିବାକୁ ନାରାଜ। ସେଥିଲାଗି ତ ମାଡ଼ ପ୍ରତିବାଦରେ ଓଏଏସ ସଂଘର କାମବନ୍ଦ ଆନ୍ଦୋଳନରୁ ସରକାରୀ କାମ ଠପ୍ ହୋଇପଡ଼ିଲାଣି। ତା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ବି ଚୁପ୍ ବସିଛନ୍ତି। ବଡ଼ କଥା ହେଲା, ଆକ୍ରମଣକାରୀ ୫ଜଣଙ୍କୁ ଦଳରୁ ନିଲମ୍ୱିତ କରାଯାଇଛି। କିନ୍ତୁ ରାଜ୍ୟ ସଭାପତି ମନମୋହନ ସାମଲ ଯେଭଳି ଭାବେ ଜଗାଙ୍କୁ ପାର୍ଟି ଅଫିସ ଡାକି ଦରଦ ଢାଳିଲେ, ତାହା ବି ସମସ୍ତଙ୍କୁ ତାଜୁବ୍ କରିଛି। ପ୍ରାୟ ଦୁଇ ଘଣ୍ଟାର ରୁଦ୍ଧଦ୍ୱାର ଆଲୋଚନା ପରେ ପାର୍ଟି ଅଫିସରୁ ବୀର ଦର୍ପରେ ଯେଭଳି ମିଡିଆକୁ କହି ସମର୍ଥକଙ୍କ ମେଳିରେ ଘରକୁ ଫେରିଲେ ଜଗା। ଆଉ ଜଗାଙ୍କ ଠାଣିରୁ ଅନୁମାନ କରିହେଉଥିଲା ନା ଦଳ ନା ସରକାର କେହି ହାତ ମାରିବେନି ତାଙ୍କ ଦେହରେ। ସଭାପତି କେବଳ ଗୋଟିଏ କଥାକୁ ଘୋଷିଲାଗିଥିଲେ। ସରକାର ଆଇନ ଅନୁସାରେ ଆକ୍ସନ ନେବେ। କିନ୍ତୁ ଦଳ ଆକ୍ସନ ନେବ କି ନାହିଁ, ସେ ବାବଦରେ ମୁହଁ ଖୋଲିଲେନି। ସେପଟେ ରାଜସ୍ୱ ମନ୍ତ୍ରୀ କହିଲେଣି, ସବୁ ସମସ୍ୟାର ସମାଧାନ ଲାଗି ସରକାରଙ୍କ ପାଖରେ ପ୍ଲାନ ଅଛି। ସରକାରଙ୍କ ଉପରେ ଭରସା ରଖନ୍ତୁ ଅଫିସର ଆସୋସିଏସନ। ଅଫିସରଙ୍କ ଧର୍ମଘଟ ପଛରେ ଥିବା କଷ୍ଟ ଓ ଭାବନା ସହ ସରକାର ବି ଅଛନ୍ତି। ବିନା ପ୍ରମାଣରେ ପ୍ରଛଦପଟ୍ଟରେ କିଏ ନ ଜାଣି ଗିରଫ କରାଗଲେ, କୋର୍ଟରେ ତାହା ଗ୍ରହଣୀୟ ହେବନି। ପ୍ରଛଦପଟ୍ଟରେ କିଏ ଅଛନ୍ତି, ଖୋଜିବାକୁ ସମୟ ଲାଗିବ। ଆଇନ ତା ବାଟରେ ଯିବ। ଏହା ସହ ରଥଯାତ୍ରା ଓ ବନ୍ୟା ଡ୍ୟୁଟି ବେଳେ କାମବନ୍ଦ ଆନ୍ଦୋଳନ ଠିକ୍ ନୁହେଁ ବୋଲି କହିଛନ୍ତି ମନ୍ତ୍ରୀ। ପାଲଟା ଧର୍ମଘଟକୁ ସୁପ୍ରିମକୋର୍ଟଙ୍କ କଅଣ ନିର୍ଦେଶ ରହିଛି, ତାକୁ ବି ଓକିଲ ଭାଷାରେ ସଂଘକୁ ବୁଝାଇ ଦେଇଛନ୍ତି ମନ୍ତ୍ରୀ ପୂଜାରୀ। ଓଏଏସ ସଂଘ ବି ମନ୍ତ୍ରୀଙ୍କ ଏଭଳି ପରୋକ୍ଷ ତାଗିଦରେ ଡରିଯାଇନି। ମାସ ମାସ ଧରି ତଦନ୍ତ ଚାଲିଲେ ହେବନି। ୩ ଦିନ ଭିତରେ ତଦନ୍ତ କରି ଆକ୍ସନ ନିଅନ୍ତୁ ସରକାର ବୋଲି ମହଲତ ଦେଇଛି ସଂଘ। ରଥଯାତ୍ରା ଓ ବନ୍ୟା ଡ୍ୟୁଟି ଜାରି ରହିବ। ଆଉ ତା ସହ କାମବନ୍ଦ ଆନ୍ଦୋଳନ ବି ଜାରି ରହିବ ବୋଲି କହିଛନ୍ତି ଓଏଏସ ସଂଘ ସଭାପତି ଜ୍ୟୋତିରଞ୍ଜନ ମିଶ୍ର। ଏହାକୁ ନେଇ ରାଜନୀତିର ରଙ୍ଗ ବି ଥମୁନି। ଅତିରିକ୍ତ କମିଶନରଙ୍କୁ ମାଡ଼ ଘଟଣାକୁ ସମସ୍ତେ ନିନ୍ଦା କରୁଛନ୍ତି। ବିରୋଧୀ ଦଳର କହିବା କଥା, ମୁଖ୍ୟ ଷଡ଼ଯନ୍ତ୍ରକାରୀ ଜଗନ୍ନାଥ ପ୍ରଧାନଙ୍କୁ ବାନ୍ଧିବାକୁ ମୁଖ୍ୟମନ୍ତ୍ରୀଙ୍କ ସତସାହସ ନାହିଁ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଖାସ୍ ଅନୁଗତ କାରଣରୁ ଜଗାଙ୍କ ଦେହରେ ହାତ ମାରିବାକୁ ଦଳ କି ସରକାର ପଛଘୁଞ୍ଚା ଦେଉଛନ୍ତି। ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ଜେନା କହିଛନ୍ତି, ସଂଘ ସମସ୍ୟାରେ ବିଜେଡି ହସ୍ତକ୍ଷେପ କରେନା। ଅଫିସରଙ୍କୁ ତାଙ୍କ ଚାମ୍ୱର ଭିତରେ ଆକ୍ରମଣର ଫୁଟେଜ୍ କୁଆଡ଼େ ଗଲା। ମୂଳ ଭିଡ଼ିଓ ସାମ୍ନାକୁ ଆସୁ। ଆଉ ଶାସକ ଦଳ କହିଛି, ଏ ପ୍ରସଙ୍ଗରେ ବିଜେପି ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସରକାରଙ୍କୁ ବଦନାମ କରାଯାଉଛି। ଓଏଏସ ସଂଘ ରାଜନୀତି କରୁନି। ବରଂ ବିରୋଧୀ ଦଳ ଏଭଳି ଘଟଣାକୁ ରାଜନୀତିକ ମୋଡ଼ ଦେଇ ମଉକା ଗୋଟାଇବାରେ ବ୍ୟସ୍ତ। ଆନ୍ଦୋଳନକୁ ସ୍ଥଗିତ ରଖିଥିବା ଓଏଏସ ସଂଘ ଅଚାନକ ଆନ୍ଦୋଳନକୁ କେମିତି ଚାଲିଗଲେ। ଏଥିରେ ଗୋଲକ ଧନ୍ଦା ରହିଛି। ଓଏଏସ ସଂଘ ରାଜନୈତିକ ଦଳ ଦ୍ୱାରା ପରିଚାଳିତ ହେଉନି ତ ବୋଲି ପଚାରିଛନ୍ତି ବିଜେପି ବିଧାୟକ ସରୋଜ ପାଢ଼ୀ। ବିଜେପି ସାଂସଦ ପ୍ରଦୀପ ପୁରୋହିତ ତ ସିଧାସଳଖ ବିଜେଡି କଥାରେ ଓଏଏସ ସଂଘ ଡେଉଁଛି ବୋଲି ସାଙ୍ଘାତିକ ଆରୋପ ଲଦିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଆଇନରୁ ଉର୍ଦ୍ଧ୍ୱରେ କେହି ନୁହଁନ୍ତି। ରାଜ୍ୟ ସରକାର ଉଚିତ ପଦକ୍ଷେପ ନେବେ। କେହି ଆଇନକୁ ହାତକୁ ନିଅନ୍ତୁନି। ସେ ଦଳୀୟ କର୍ମକର୍ତ୍ତା ହୁଅନ୍ତୁ ବା ଆଉ କେହି। ସେପଟେ ରତ୍ନାକର ସାହୁ ଏବେ ଅସୁସ୍ଥ। କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ଅଛନ୍ତି। ତାଙ୍କ ପ୍ରତି ଯେଭଳି ଅମାନୁଷିକ ଆକ୍ରମଣ କରାଗଲା, ତାହା ସମସ୍ତଙ୍କୁ ବିଚଳିତ କରୁଛି। ଏଭଳି ସମୟରେ ସହଯୋଗ ଓ ସମର୍ଥନର ହାତ ବଢ଼ାଇଥିବା ଅଫିସର ସଂଘକୁ ରାଜନୀତିକ ପେଞ୍ଚରେ ପୁରାଇ ଘଟଣାକୁ ଦୁର୍ବଳ କରିବାକୁ ହେଉନି ତ ଷଡ଼ଯନ୍ତ୍ର ବୋଲି ଚର୍ଚ୍ଚା ହେଉଛି।


Naxatra News is now on Whatsapp
Join and get latest news update delivered to you via whatsapp
Join Now