ପାକିସ୍ତାନ ଡନ୍ ସହଜାଦ ଭଟ୍ଟିର ଧମକ। ଭାରତର ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇକୁ ଭଟ୍ଟି ଦେଇଛି ଧମକ। ପଞ୍ଜାବୀ ଗାୟକ ସିଦ୍ଧୁ ମୁସାଓ୍ୱାଲା ଓ ଏନସିପି ନେତା ବାବା ସିଦ୍ଦିକି ହତ୍ୟାକାଣ୍ଡର ଗୁମର ଖୋଲିଦେବାକୁ ଭଟ୍ଟି ଦେଇଛି ଧମକ। ସୋସିଆଲ ମିଡିଆରେ ବିଷ୍ଣୋଇ ଗ୍ୟାଙ୍ଗକୁ ଏଭଳି ଢଙ୍ଗରେ ଧମକ ଦେଇଛି ଭଟ୍ଟି। ତେବେ ଏ ଧମକ ପଛରେ ରହିଛି ପହଲଗାମ ଆତଙ୍କି ଆକ୍ରମଣକୁ ନେଇ କିଛି ଦିନ ତଳେ ଲରେନ୍ସ ଗ୍ୟାଙ୍ଗ୍ କରିଥିବା ଏକ ପୋଷ୍ଟ। ବିଷ୍ଣୋଇ ଗ୍ୟାଙ୍ଗ କହିଥିଲା, ପହଲଗାମରେ ନିରୀହ ପର୍ଯ୍ୟଟକଙ୍କୁ ହତ୍ୟା ଘଟଣାରେ ସେମାନେ ପ୍ରତିଶୋଧ ନେବେ। ଏହି ପୋଷ୍ଟରେ ଆତଙ୍କି ହାଫିଜ୍ ସଇଦ୍ ଫଟୋରେ ଲାଲ ରଙ୍ଗରେ କ୍ରସ୍ ଚିହ୍ନ କରାଯାଇଥିଲା। ଲରେନ୍ସ ଗ୍ୟାଙ୍ଗ ଲେଖିଥିଲା ଯେ, ସେମାନେ ପାକିସ୍ତାନରେ ଏଭଳି ଏକ ବ୍ୟକ୍ତିକୁ ମାରିକି ପହଲଗାମର ପ୍ରତିଶୋଧ ନେବେ। ଯାହାକୁ ମାରିଲେ ଲକ୍ଷେ ଲୋକଙ୍କୁ ମାରିବା ସମାନ ହେବ। ଆଉ ଏହାକୁ ନେଇ ଚିହିଁକି ଉଠି ପାକିସ୍ତାନ ଡନ୍ ଭଟ୍ଟି ଏଭଳି ଧମକ ଦେଇଛି ଲରେନ୍ସକୁ। ପାକିସ୍ତାନରେ ପଶି ଲକ୍ଷେ ଲୋକଙ୍କୁ ମାରିବା ତ ଦୂରର କଥା। ଲରେନ୍ସ କୌଣସି ଦେଶରେ ବି ଏକ ପକ୍ଷୀକୁ ମାରିପାରିବନି। ଏଭଳି ଭିଡିଓ ସାମ୍ନାକୁ ଆସିବା ପରେ ପଞ୍ଜାବ ପୁଲିସର ଆଣ୍ଟି ଗ୍ୟାଙ୍ଗଷ୍ଟର ଟାସ୍କ ଫୋର୍ସ ଏହାର ଯାଞ୍ଚ ଆରମ୍ଭ କରିଛି। କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନ୍ସ ଓ ପାକିସ୍ତାନୀ ଡନ୍ ସେହଜାଦ ଭଟ୍ଟି କ୍ରାଇମ ପାର୍ଟନର ଥିଲେ। କିନ୍ତୁ ଏବେ ପରସ୍ପରର ଶତୃ ହୋଇଗଲେ। ଆଗରୁ ଲରେନ୍ସ ଗ୍ୟାଙ୍ଗ ପଞ୍ଜାବ ଜଳନ୍ଧରର ୟୁଟ୍ୟୁବର ଘରେ ଗ୍ରେନେଡ୍ ଆକ୍ରମଣ ଘଟଣାରେ ଭଟ୍ଟିକୁ ମାରିବାକୁ ଧମକ ଦେଇଥିଲା। କିନ୍ତୁ ସେତେବେଳେ ଭଟ୍ଟି ଚୁପ୍ ଥିଲା। ଭଟ୍ଟି ଜରିଆରେ ପାକିସ୍ତାନରୁ ଅବୈଧ ଅସ୍ତ୍ରଶସ୍ତ୍ର ମଗାଉଥିଲା ଲରେନ୍ସ ଗ୍ୟାଙ୍ଗ। ଗଲା ବର୍ଷ ଇଦରେ ଉଭୟ ପରସ୍ପରକୁ ଇଦ୍ ଶୁଭେଛା ଦେବାର ଭିଡିଓ ଭାଇରାଲ ପରେ ଏମାନଙ୍କ ଭିତରେ ଥିବା ବନ୍ଧୁତା ସାମ୍ନାକୁ ଆସିଥିଲା। ଜେଲରେ ଥିବା ଲରେନ୍ସ ସମର୍ଥନରେ ଭଟ୍ଟି ସବୁବେଳେ ସୋସିଆଲ ମିଡିଆରେ ପୋଷ୍ଟ କରିଥାଏ। ଲରେନ୍ସ ପାଇଁ ସେ ନିଜ ଜୀବନ ଦେବାକୁ ପ୍ରସ୍ତୁତ ଥିବା ଭଟ୍ଟିର ଭିଡ଼ିଓ ବି ଭାଇରାଲ ହୋଇଥିଲା।

Naxatra News is now on Whatsapp
Join and get latest news update delivered to you via whatsapp
Join Now