ପାଟଣାଗଡ଼ ପାର୍ସଲ ବୋମା ମାମଲା- ପୁଞ୍ଜିଲାଲକୁ ଆଜୀବନ କାରାଦଣ୍ଡ ସହ ୫୦ହଜାର ଜରିମାନା

ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମାର ରାୟ ଆସିଲା। ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଲେ କୋର୍ଟ। ଆଜୀବନ କାରାଦଣ୍ଡ ସହ ୫୦ହଜାର ଟଙ୍କା ଜରିମାନା ବି କରିଛନ୍ତି ଅଦାଲତ। ପାଟଣାଗଡ଼ ଏଡିଜେ କୋର୍ଟ ଏହି ରାୟ ଶୁଣାଇଛନ୍ତି। ୨୦୧୮ରେ ହୋଇଥିବା ପାଟଣାଗଡ଼ ପାର୍ସଲ ବୋମା ହତ୍ୟାକାଣ୍ଡରେ ପୁଞ୍ଜିଲାଲଙ୍କୁ ଦୋଷୀ ସାବ୍ୟସ୍ତ କରି ଏହି ରାୟ ଦେଇଛନ୍ତି ଏଡିଜେ କୋର୍ଟ। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ଦୀର୍ଘ ୭ ବର୍ଷର ନ୍ୟାୟିକ ତଦନ୍ତ ପରେ ଆସିଛି ରାୟ। ୨ହଜାର ପୃଷ୍ଠାର ଚାର୍ଜସିଟ୍ ଓ ୬୦ରୁ ଅଧିକ ସାକ୍ଷୀଙ୍କ ବୟାନ ଆଧାରରେ ଶେଷରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ପୁଞ୍ଜିଲାଲ। ପାଟଣାଗଡ଼ରେ ସୌମ୍ୟଶେଖର ଓ ରିମାଙ୍କ ବିବାହ ଭୋଜିରେ ଉପହାର ଖୋଲିବା ବେଳେ ହୋଇଥିବା ବିସ୍ଫୋରଣରେ ସୌମ୍ୟ ଓ ତାଙ୍କ ଜେଜେ ମାଆ ଜେମାମଣୀଙ୍କ ମୃତ୍ୟୁ ହୋଇଥିଲା। ରିମା ଗୁରୁତର ଆହତ ହୋଇଥିଲେ। ଫେବୃଆରୀ ୨୦୧୮ର ଘଟଣା ଥିଲା। ଘଟଣାର ତଦନ୍ତ କରି କ୍ରାଇମବ୍ରାଞ୍ଚ ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କୁ ଗିରଫ କରିଥିଲା। ଭଇଁସା କଲେଜ ଅଧ୍ୟକ୍ଷ ତଥା ସୌମ୍ୟଶେଖରଙ୍କ ମାଆ ସଂଯୁକ୍ତା ସାହୁଙ୍କ ସହ ବୃତ୍ତିଗତ ଶତୃତାର ପ୍ରତିଶୋଧ ନେବାକୁ ଏଭଳି ଜଘନ୍ୟ କାଣ୍ଡ ଘଟାଇଥିଲା ପୁଞ୍ଜିଲାଲ। ନିଜେ ବୋମା ତିଆରି କରି କୋରିଅର ସଂସ୍ଥା ଜରିଆରେ ସଂଯୁକ୍ତାଙ୍କ ଘରକୁ ଉପହାର ସାମଗ୍ରୀ ଭାବେ ପଠାଇଥିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *