ଡେରାଡୁନ: ଅଙ୍କିତା ଭଣ୍ଡାରୀ ହତ୍ୟାକାଣ୍ଡକୁ ନେଇ ଉତ୍ତରାଖଣ୍ଡରେ ହଇଚଇ। ୧୯ ବର୍ଷୀୟା ରିସିପନ୍ସିଷ୍ଟ ଅଙ୍କିତାଙ୍କ ହତ୍ୟା ପଛରେ ବିଜେପି ନେତାଙ୍କ ପୁଅ ତାଙ୍କ ବନ୍ଧୁଙ୍କ ସଂପୃକ୍ତି ଧରା ପଡ଼ିବା ପରେ ଆକ୍ସନ ମୋଡକୁ ଆସିଛନ୍ତି ଧାମି ସରକାର। ନିଜ କୁକର୍ମ ଲୁଚାଇବାକୁ ସାଙ୍ଘାତିକ ଷଡ଼ଯନ୍ତ୍ର କରିଥିଲେ ଅଭିଯୁକ୍ତ। ହେଲେ ପୁଲିସ ଆଖିରୁ ବର୍ତ୍ତିପାରିଲେନି। ଫେସବୁକରୁ ବନ୍ଧୁଙ୍କ କାରଣରୁ ଅଙ୍କିତା ହତ୍ୟା ମାମଲାର ଗୁମର ଖୋଲିଛି।
ସେପ୍ଟେମ୍ୱର ୧୮ରୁ ନିଖୋଜ ହୋଇଯାଇଥିଲେ ଉତ୍ତରାଖଣ୍ଡର ଏକ ରିସୋର୍ଟରେ ରିସପନ୍ସିଷ୍ଟ ଭାବେ କାମ କରୁଥିବା ଅଙ୍କିତା ଭଣ୍ଡାରୀ। ହେଲେ ତାଙ୍କ ମୃତଦେହ ୨୨ ତାରିଖରେ ପୁଲିସ ନାଳ କଡ଼ରୁ ଉଦ୍ଧାର କରିଥିଲା। ଆଉ ଛାନଭିନରୁ ସ୍ପଷ୍ଟ ହୋଇଥିଲା କି, ଅଙ୍କିତାଙ୍କୁ ହତ୍ୟା କରାଯାଇଛି। ୨୪ ଘଣ୍ଟା ଭିତରେ ହତ୍ୟାକାଣ୍ଡରେ ଅଭିଯୁକ୍ତ ତିନି ଜଣଙ୍କୁ ପୁଲିସ ଗିରଫ କରିବାରେ ସକ୍ଷମ ହୋଇଛି। ଅଭିଯୁକ୍ତଙ୍କୁ କୋର୍ଟରେ ହାଜର ବେଳେ ଉତ୍ୟକ୍ତ ଜନତା ପୁଲିସ ଗାଡ଼ିକୁ ଘେରିଯାଇଥିଲେ। ଜିପ୍ କାଚ ଭାଙ୍ଗି ଅଭିଯୁକ୍ତଙ୍କୁ ଟାଣି ନେଇଥିଲେ।
ଏପରିକି ଅଭିଯୁକ୍ତଙ୍କୁ ଧୁମ୍ ଛେଚିବା ସହ ସେମାନଙ୍କର ପୋଷାକକୁ ବି ଚିରି ଦେଇଥିଲେ। ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ଼ ଓ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଲାଗି ଲୋକେ ଦାବି କରିଥିଲେ। ଅଭିଯୁକ୍ତଙ୍କୁ ପୁଲିସ କବଳରୁ ଛଡ଼ାଇବାକୁ ପୁଲିସ ଲାଠି ମାଡ଼ କରିଥିଲା। ପୁଲିସ ଉପରକୁ ଉତ୍ୟକ୍ତ ଜନତା ଢେଲା ମାଡ଼ କରିଥିଲେ। ଆଉ ସେପଟେ ଧାମି ସରକାର ବି ଆକ୍ସନ ମୋଡକୁ ଆସିଛନ୍ତି। ଅଭିଯୁକ୍ତ ପୁଲକିତ ଆର୍ଯ୍ୟର ଋଷିକେଶରେ ଥିବା ବନତାରା ରିସୋର୍ଟକୁ ଶୁକ୍ରବାର ବିଳମ୍ୱିତ ରାତିରେ ବୁଲଡୋଜର ଲଗାଇ ଭାଙ୍ଗିଦିଆଯାଇଛି।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ ଏହି ଆକ୍ସନ ନିଆଯାଇଛି। ପୁଲକିତ ଆର୍ଯ୍ୟ ବିଜେପି ନେତାଙ୍କ ପୁଅ ହୋଇଥିବାରୁ ସରକାରଙ୍କ ଆଡ଼କୁ ଅଙ୍ଗୁଳି ଉଠିବା ଆଗରୁ ବୁଲଡୋଜର ଆକ୍ସନ ନେଇଛନ୍ତି ଧାମି ସରକାର। ଯିଏ ବି ଦୋଷୀ, ତାକୁ ଛଡ଼ାଯିବନି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
ଅଙ୍କିତା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ପୁଲକିତ ବିଜେପି ନେତା ତଥା ପୂର୍ବତନ ରାଷ୍ଟ୍ରମନ୍ତ୍ରୀ ବିନୋଦ ଆର୍ଯ୍ୟଙ୍କ ପୁଅ ଅଟନ୍ତି । ଏହି ଘଟଣାର ତଦନ୍ତ ଲାଗି ଏସଆଇଟି ଗଠନ ହୋଇଛି। ପୁଲିସ ଡିଆଇଜି ରେଣୁକା ଦେବୀଙ୍କ ନେତୃତ୍ୱରେ ଗଠିତ ଏସଆଇଟି ଏଭଳି ଗମ୍ଭୀର ମାମଲାର ମୂଳକୁ ଯାଇ ଛାନଭିନ୍ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। ମୁଖ୍ୟ ଅଭିଯୁକ୍ତ ପୁଲକିତ ଆର୍ଯ୍ୟ ସମେତ ରିସୋର୍ଟର ମ୍ୟାନେଜର ପୁଲକିତ ଗୁପ୍ତା ଓ ଅନ୍ୟତମ ମ୍ୟାନେଜର୍ ସୌରଭ ଭାସ୍କରକୁ ଗିରଫ କରିସାରିଛି ପୁଲିସ।
ଏହି ତିନି ଅଭିଯୁକ୍ତ ଅଙ୍କିତାଙ୍କୁ ବ୍ୟାରେଜ୍ ଯାଏ ନେଇଥିଲେ। ଏଠାରେ ଫାଷ୍ଟଫୁଡ୍ ଖାଇବା ସହ ମଦ ପିଇଥିଲେ। ଅଙ୍କିତାଙ୍କୁ ରିସୋର୍ଟ ଆସୁଥିବା ଗ୍ରାହକଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ପୁଲକିତ। ଆଉ ଏ କଥାକୁ ସମସ୍ତଙ୍କୁ କହିଦେବେ ବୋଲି ଅଙ୍କିତା କହିଥିଲେ। ଏହା ସହ ଉତକ୍ଷିପ୍ତ ହୋଇ ପୁଲକିତର ମୋବାଇଲକୁ ନାଳରେ ଫିଙ୍ଗିଦେଇଥିଲେ। ଦୁହିଁଙ୍କ ଭିତରେ ଧସ୍ତାଧସ୍ତି ହେବା ପରେ ସମସ୍ତ ଅଭିଯୁକ୍ତ ମିଶି ଅଙ୍କିତାଙ୍କୁ ନଦୀକୁ ଠେଲି ଦେଇଥିଲେ।
ପୁଲିସ ତଦନ୍ତ ପରେ ଅଭିଯୁକ୍ତଙ୍କ ବିରୁଦ୍ଧରେ ହତ୍ୟା ଓ ସତ ଲୁଚାଇବାକୁ କରିଥିବା ଷଡ଼ଯନ୍ତ୍ର ସମେତ ବିଭିନ୍ନ ଧାରାରେ ମାମଲା ରୁଜୁ ହୋଇଛି। କାରଣ ବନତାରା ରିସୋର୍ଟ ମାଲିକ ପୁଲକିତ ଓ ଅନ୍ୟ ଦୁଇ ମ୍ୟାନେଜର ପୁଲିସକୁ କହିଥିଲେ କି, ଅଙ୍କିତା ନିଜ ଘରୁ କୁଆଡ଼େ ନିଖୋଜ ହୋଇଯାଇଛି। କିନ୍ତୁ ପୁଲିସ ଯେତେବେଳେ ରିସୋର୍ଟ କର୍ମଚାରୀଙ୍କୁ ପଚରାଉଚୁରା କଲା, ଜାଣିବାକୁ ପାଇଥିଲା କି, ନିଖୋଜ ହେବା ରାତିରେ ହିଁ ଅଙ୍କିତା ରିସୋର୍ଟ ସଞ୍ଚାଳକ ଓ ଦୁଇ ମ୍ୟାନେଜରଙ୍କ ସହ ଯାଇକି ଆଉ ଫେରିନାହାନ୍ତି।
ଅଙ୍କିତା ହତ୍ୟାକାଣ୍ଡକୁ ନେଇ ଥରହର ଉତ୍ତରାଖଣ୍ଡ। ଏମିତି କେତେ ବେଆଇନ ରିସୋର୍ଟ ମୁଣ୍ଡ ଟେକିଛି, ସେ ସବୁ ଉପରେ ଆକ୍ସନ ନେବାକୁ ନିର୍ଦେଶ ଦେଇଛନ୍ତି ସରକାର।
ପ୍ରଦୀପ ନାୟକଙ୍କ ରିପୋର୍ଟ
Naxatra News is now on Whatsapp
Join and get latest news update delivered to you via whatsapp
Join Now