ଗୁଟଖା କାରଖାନା ଉପରେ ଚଢାଉ, ୨ ଗିରଫ

Spread the love

ବ୍ରହ୍ମପୁର: ବ୍ରହ୍ମପୁର ପୋଲିସକୁ ବଡ଼ ସଫଳତା । ଗୋଳନ୍ଥରା ଥାନା ଅନ୍ତର୍ଗତ ହଳଦିଆପଦର ଓ ଅଟୋନଗରରେ ବେଆଇନ ଗୁଟଖା ପ୍ରସ୍ତୁତ କାରଖାନାରେ ଚଢାଉ କରି  ଦୁଇ ଜଣଙ୍କୁ ଗିରଫ କରିଛି। ପୋଲିସ ପକ୍ଷରୁ  ୬ଟି ସ୍ଥାନରେ ହୋଇଥିବା ଚଢାଉରେ  ବିପୁଳ ପରିମାଣର ବିଭିନ୍ନ ବ୍ରାଣ୍ଡର ଗୁଟଖା ପ୍ରସ୍ତୁତି ସାମଗ୍ରୀ ସହ ମେସିନ‌ ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୧୦ କୋଟିରୁ ଉର୍ଦ୍ଧ୍ବ ହେବ ବୋଲି ଅନୁମାନ କରାଯାଉଛି।।

ବ୍ରହ୍ମପୁର ସହର ଉପକଣ୍ଠରେ ବର୍ଷ ବର୍ଷ ଧରି ଚାଲିଥିଲା ବେଆଇନ ଗୁଟ୍‌ଖା କାରଖାନା । ଏଠାରୁ ଗୁଟ୍‌ଖା ପ୍ରସ୍ତୁତ ହୋଇ ଜିଲ୍ଲା ଓ ରାଜ୍ୟ ବାହାରକୁ ହେଉଥିଲା ଚାଲାଣ । କିନ୍ତୁ ସହରକୁ ନୂଆ ଏସପି ଆସିବା ପରେ ବେଆଇନ ଗୁଟଖାର ଏକ ବଡ଼ କାରଖାନାରେ ରେଡ୍ କରିଛନ୍ତି। ଗୋଳନ୍ଥରା ଥାନା ପୋଲିସ ଓ ସଦର ଏସଡ଼ିପିଓ ହଳଦିଆପଦର ଓ ଅଟୋନଗରରେ ରହିଥିବା ଏକ ବଡ଼ କୋଠା ଉପରେ ଚଢ଼ାଉ କରିଥିଲେ । ଆଉ ତାପରେ ନିକଟରେ ଥିବା ଅନ୍ୟ ୫ଟି କୋଠାରେ ମଧ୍ୟ ଚଢ଼ାଉ କରିଥିଲା ପୋଲିସ । ଏହି ୬ଟି କୋଠାରୁ ୫୦ ଟନ ଗୁଆ, ୫ ଟନ ପାନ ମଧୁରୀ, ୨ ଟନ ଧନିଆ, ୭ ଟନ ଧୂଆଁ ପତ୍ର, ୩ ଟନ ଗୁଣ୍ଡ ଧୂଆଁ ପତ୍ର, ୫୦ ବସ୍ତା ରେଡ଼ିମେଡ଼ ଗୁଟ୍‌ଖା ଭଳି ବହୁ ପରିମାଣର ପ୍ରସ୍ତୁତି ସାମଗ୍ରୀ ଓ ଅନ୍ୟାନ୍ୟ ମେସନ ଜବତ ହୋଇଛି। ଜବତ ବେଆଇନ ଗୁଟଖା ପ୍ରସ୍ତୁତି ସାମଗ୍ରୀର ମୂଲ୍ୟ ୧୦ କୋଟି ଟଙ୍କା । ବେଆଇନ ଗୁଟଖା ପ୍ରସ୍ତୁତି ଅଭିଯୋଗରେ ପୋଲିସ ବଡ଼ବଜାର ଥାନା ଅଞ୍ଚଳର ଏମ.ବ୍ରହ୍ମା ଓ ଗୋଷାଣୀନୂଆଗାଁ ଥାନା ଅଞ୍ଚଳର ସୁବ୍ରତ କୁମାର ବେହେରାଙ୍କୁ ଗିରଫ କରିଛି । ବେଆଇନ ଗୁଟଖା ପ୍ରସ୍ତୁତିର ମୁଖ୍ୟ ଅଭିଯୁକ୍ତ ପି.ଗୋପାଳ କୃଷ୍ଣା କେଉଁଆଡ଼େ ଫେରାର ହୋଇଥିବା ବେଳେ ତାକୁ ଗିରଫ କରିବା ନିମନ୍ତେ ସ୍ବତନ୍ତ୍ର ଟିମ ଗଠନ କରାଯାଇଥିବା ବେଳେ ଖୁବଶୀଘ୍ର ଗିରଫ କରାଯିବ ବୋଲି ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି ।

ଗତ ୨୦୧୬ ମସିହାରେ ସମ୍ପୃକ୍ତ ସ୍ଥାନରେ ପୋଲିସ ଚଢ଼ାଉ କରି ପି.ଗୋପାଳ କ୍ରିଷ୍ଣା ରାଓଙ୍କୁ ଗିରଫ କରିଥିଲା । ବର୍ତ୍ତମାନ ଏହି ମାମଲା ବିଚାରଧିନ ରହିଥିବା ବେଳେ ପୁଣି ବେଆଇନ ଗୁଟଖା ପ୍ରସ୍ତୁତ କରୁଥିଲା ଗୋପାଳକ୍ରିଷ୍ଣା ।

ଏହି ବେଆଇନ କାରବାରରେ ରୋକ୍ ଲଗାଇବାକୁ  ହେଲେ, ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ସେମାନଙ୍କର ଗତିବିଧି ଉପରେ ନଜର ରଖିବା ଆବଶ୍ୟକ ବୋଲି ମତ ରଖିଛନ୍ତି ଆଇନଜୀବୀ ।

ଇତିଶ୍ରୀ ସମାପିକା ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *