ଘରୁ ବିସ୍କୁଟ କିଣିବାକୁ ବାହାରିଥିଲେ ଭାଇ ଭଉଣୀ। ହେଲେ ଘର ବାହାରୁ ଏମାନଙ୍କୁ ଅପହରଣ କରିନିଆଗଲା। ଆଉ ଦୀର୍ଘ ୧୨ ଦିନ ପରେ ରାମଗଡ଼ର ଚିତରପୁରରୁ ଉଦ୍ଧାର କରିବା ସହ ଏହି ଅପହରଣ ମାମଲାରେ ଦମ୍ପତ୍ତିକୁ ଗିରଫ କରିଛି ପୁଲିସ। ରାଞ୍ଚିରୁ ନିଖୋଜ ଥିବା ଦୁଇ ଭାଇ ଭଉଣୀ ସକୁଶଳ ଘରକୁ ଫେରାଇ ଆଣିବାକୁ ପୁଲିସ ବେଶ୍ କସରତ କରିଥିଲା। ଏଥିଲାଗି ପୁଲିସ ଆରମ୍ଭ କରିଥିଲା ଅପରେସନ ମାସୁମ୍। ଭାଇ ଅଂଶୁ ଓ ଭଉଣୀ ଅଂଶିକାକୁ ସୁରକ୍ଷିତ ଭାବେ ପୁଲିସ ଉଦ୍ଧାର କରିଛି। ରାଞ୍ଚିର ଧୁର୍ବା କ୍ଷେତ୍ରରେ ଜାନୁଆରୀ ୨ରୁ ୫ ବର୍ଷର ଭାଇ ଅଂଶ ଓ ୪ ବର୍ଷର ଭଉଣୀ ଅଂଶିକା ନିଖୋଜ ହୋଇଯାଇଥିଲେ। ପିଲାଙ୍କୁ ପାଇବା ପରେ ପରିବାର ଭାବବିହ୍ୱଳ ହୋଇଯାଇଥିଲା। ଅପହରଣକାରୀ ଦମ୍ପତ୍ତି ଧରା ନପଡ଼ିବା ଲାଗି ବେଶ୍ ଚାଲାକି କରିଥିଲେ। ରାମଗଡ଼ରେ ରୋସନ ଆରା ନାମକ ବୟସ୍କା ମହିଳାଙ୍କ ଘରେ ହଜାରେ ଟଙ୍କା ଭଡ଼ାରେ ଘର ନେଇଥିଲେ। ନିଜକୁ ବିହାରର ନିରାଶ୍ରୟ ଓ ଗରିବ କହି ମାନବିକତାର ଆଳରେ ଶରଣ ନେଇଥିଲେ। ନିଜକୁ ଫେରିବାଲା ବୋଲି ପରିଚୟ ଦେଇଥିଲେ। ଦିନ ଯାକ ଦୁଇ ପିଲାଙ୍କୁ ଘରେ ଛାଡ଼ି ବାହାରକୁ ବାହାରୁଥିଲେ। ଏମିତି ବ୍ୟବହାର କରୁଥିଲେ, ଯେମିତିକୁ କାହାକୁ ବି ଟିକେ ସୁରାଗ କି ସନ୍ଦେହ ହେବନି ଯେ, ପିଲା ତାଙ୍କର ନୁହଁନ୍ତି। କାରଣ ୫ ବର୍ଷର ଅଂଶ ଏ ବାବଦରେ କାହାକୁ କିଛି କହୁନଥିଲା। ଘର ଭଡ଼ା ଦେବା ଆଗରୁ ଦୁହିଁଙ୍କ ଆଧାର ବି ଚେକ୍ କରିଥିଲେ ରୋସନ ଆରା। ତେବେ ଏହି ରେସକ୍ୟୁ ଅପରେସନରେ ସାମାଜିକ କର୍ମୀ ଡବ୍ଲୁ ଓ ସଚିନ ସମେତ ଅନକେ ଲୋକଙ୍କ ପ୍ରମୁଖ ଭୂମିକା ଥିଲା। ଏରିଆରେ କେହି ସନ୍ଦିଗ୍ଧ ଯୋଡ଼ି ଓ ପିଲାଙ୍କ ବାବଦରେ ସୂଚନା ମିଳିଥିଲା। ଡବ୍ଲୁ ପ୍ରଥମେ ଘରକୁ ଯାଇ ଏହାକୁ ପୁଷ୍ଟି କରିଥିଲା। ପିଲାଙ୍କ ଫଟୋ ଉଠାଇ ତାଙ୍କ ବାପାଙ୍କୁ ପଠାଇଥିଲା। ବାପା ଚିହ୍ନଟ କରିବା ପରେ ପୁଲିସ ସହ ସମ୍ପର୍କ କରାଯାଇଥିଲା। ଯେତେବେଳେ ପିଲାଙ୍କ ପାଖରେ ସେମାନେ ପହଞ୍ଚିଥିଲେ, ସେମାନେ ଥଣ୍ଡାରେ କମ୍ପୁଥିଲେ। ମୁଣ୍ଡରୁ ଟୋପି କାଢ଼ି ସେମାନଙ୍କୁ ପିନ୍ଧାଇ ଦିଆଯାଇଥିଲା। ଦୁଇ ପିଲା ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ଆଇନଗତ ପ୍ରକ୍ରିୟା ସମ୍ପନ୍ନ କରି ପରିବାରକୁ ହସ୍ତାନ୍ତର କରାଯାଇଛି। ଗିରଫ ଦମ୍ପତ୍ତିଙ୍କ ଅପହରଣ ପଛର କାରଣକୁ ଠାବ କରିବାକୁ ଛାନଭିନ୍ ଚାଲିଛି। ଏମାନେ କୌଣସି ଅପରାଧୀ ଗ୍ୟାଙ୍ଗର ନା ନୁହେଁ। ନା ନିଃସନ୍ତାନ ହେତୁ ଦୁଇ ପିଲାଙ୍କୁ ଉଠାଇ ନେଇଥିଲେ। ଏହାର ତଦନ୍ତ ଜାରି ରହିଛି। ଏମାନଙ୍କୁ ଠାବ କରିବା ସକାଶେ ପୁଲିସ ପୁରଷ୍କାର ବି ଘୋଷଣା କରିଥିଲା।

Naxatra News is now on Whatsapp
Join and get latest news update delivered to you via whatsapp
Join Now