ଶିଶୁ କନ୍ୟାକୁ ମୁଣ୍ଡଜାମିନ ରଖି ଗଣଦୁଷ୍କର୍ମ କଲେ ଦୁର୍ବୃତ୍ତ

ଘରେ ପଶି ଲୁଟିଲେ। ଶିଶୁ କନ୍ୟାକୁ ମୁଣ୍ଡଜାମିନ ରଖି ଗଣଦୁଷ୍କର୍ମ କଲେ। ଏଭଳି ଏକ ଛାତିଥରା ଘଟଣା ଘଟିଛି ଭୁବନେଶ୍ୱରର ଏକ ଆପାର୍ଟମେଣ୍ଟରେ। ରବିବାର ବିଳମ୍ୱିତ ରାତିର ଏହି ଘଟଣାକୁ ନେଇ ସମସ୍ତେ ସ୍ତବ୍ଧ। ଘଟଣାକୁ ୩ଦିନ ବିତିଗଲାଣି। ଆଉ ଦୁର୍ବୃତ୍ତଙ୍କୁ ଗିରଫ କରିବାକୁ ପୁଲିସ ତନାଘନା ଜାରି ରଖିଛି।

ରାଜଧାନୀରେ ଚାଞ୍ଚଲ୍ୟ। ଆପାର୍ଟମେଣ୍ଟରେ ଲୁଟେରା ଘଟାଇଲେ ବର୍ବରକାଣ୍ଡ। ଶିଶୁକନ୍ୟାକୁ ମୁଣ୍ଡଜାମିନ୍ ରଖିଲେ। ଗହଣା ବି ଲୁଟିଲେ। ଆଉ ମହିଳାଙ୍କୁ ଗଣଦୁଷ୍କର୍ମ କଲେ। ଯେତେ କାକୁତିମିନତି ହେଲେ ବି ଶୁଣିନଥିଲେ ଲୁଟେରା। ରବିବାର ବିଳମ୍ୱିତ ରାତିରେ ମୈତ୍ରୀବିହାର ଅଞ୍ଚଳର ଏକ ଆପାର୍ଟମେଣ୍ଟରେ ଘଟିଛି ଏଭଳି ଭୟଙ୍କର ଓ ଛାତିଥରା ବର୍ବରକାଣ୍ଡ। ପୀଡ଼ିତା ଏକ ଘରୋଇ ସଂସ୍ଥାରେ କାମ କରନ୍ତି। ସ୍ୱାମୀ ବାହାରେ ରୁହନ୍ତି। ଅସାବଧାନତାବଶତଃ ବାଲକୋନୀ କବାଟ ବନ୍ଦ କରିବାକୁ ଭୁଲିଯାଇଥିଲେ ପୀଡ଼ିତା। ଏହାର ସୁଯୋଗ ନେଇ ପୀଡ଼ିତାଙ୍କ ଫ୍ଲାଟ ଭିତରକୁ ପଶିଯାଇଥିଲେ ୨ ଲୁଟେରା। ଆଉ ଘଟାଇଲେ ବର୍ବରକାଣ୍ଡ। ପାଶବିକ ଅତ୍ୟାଚାର, ଲୁଟ୍ ପରେ ମହିଳାଙ୍କ ମୋବାଇଲ ନେଇ ଘର ବାହାରୁ କବାଟ ବନ୍ଦ କରି ପଳାଇଥିଲେ। ଭୟରେ ରାତିସାରା ବନ୍ଦୀ ପୀଡ଼ିତା ସକାଳେ ପଡୋଶୀଙ୍କ ସହାୟତାରେ ମୁକୁଳିଥିଲେ। ମୈତ୍ରୀବିହାର ଥାନାରେ ପହଞ୍ଚି ଅଭିଯୋଗ କରିଛନ୍ତି ପୀଡ଼ିତା।

ଆପାର୍ଟମେଣ୍ଟରେ ସିକ୍ୟୁରିଟି ଗାର୍ଡ ମୁତୟନ ଥିଲେ। ଲୁଟେରାମାନେ ମହିଳାଙ୍କ ଘରକୁ ହିଁ ଟାର୍ଗେଟ କରିଥିଲେ। ତା ନହେଲେ ବାଲକୋନୀ ପଟୁ ପଶିନଥାଆନ୍ତେ। ପୁଲିସ କହିଛି, ବିଭିନ୍ନ ଦିଗକୁ ନେଇ ଖୋଳତାଡ଼ ଚାଲିଛି। ଲୁଟେରାଙ୍କୁ ଠାବ କରିବାକୁ ତନାଘନା ଚାଲିଛି। ସାମାଜିକ କର୍ମୀ କହିଛନ୍ତି, ରାଜଧାନୀ ଅସୁରକ୍ଷିତ ବୋଲି ବାରମ୍ୱାର ପ୍ରଶ୍ନ ଉଠୁଛି। ଆଉ ଏଭଳି ଛାତିଥରା ଘଟଣା ଏହାକୁ ପୁଣି ମୋହର ମାରିଛି। ଆପାର୍ଟମେଣ୍ଟ ଅସୁରକ୍ଷିତ, ମହିଳା ଅସୁରକ୍ଷିତ। ନୂଆ ସିପିଙ୍କ ଲାଗି ଏହି ଜଘନ୍ୟକାଣ୍ଡର ଖୁଲାସା କରିବା ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି।

ରବିବାର ଶୂନଶାନ ରାତିର ଏଭଳି ଲୋମହର୍ଷଣକାରୀ ଘଟଣାକୁ ନେଇ ଚାରିଆଡ଼େ ହଇଚଇ। ବାଲକୋନୀ କବାଟ ମୁକୁଳାର ମଉକାରେ ଘରେ ପଶି ଶିଶୁ କନ୍ୟା ଆଗରେ ମାଆଙ୍କୁ ପାଶବିକ ଅତ୍ୟାଚାର କରି ଲୁଟିଲେ। ଅପରାଧୀଙ୍କ ଏଭଳି ନାରକୀୟକାଣ୍ଡ ସହରବାସୀଙ୍କୁ ସ୍ତବ୍ଧ କରିଦେଇଛି। ଲୋକେ ଏକାକୀ ରହିବା କେତେ ସୁରକ୍ଷିତ। ଦିନରେ ବି ତାଲା ପକାଇ ଗଲେ କଳାକନା ବୁଲାଇନେଉଛନ୍ତି ଅପରାଧୀ। ଆଉ ଏବେକାର ଘଟଣା ତ ସବୁକୁ ବଳିଗଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *