ଖଣ୍ଡଗିରି ସବ-ରେଜିଷ୍ଟ୍ରାର ଅଫିସକୁ ଅଳିଆମୁକ୍ତ କରିବାକୁ ଅଣ୍ଟା ଭିଡ଼ିଥିଲେ ସରକାର। କିନ୍ତୁ ଆସୁ ଆସୁ ଅଳିଆ କରିଦେଲେ ଅର୍ଚ୍ଚନା ଗୌଡ଼। କେତେବେଳେ ପାର୍ଟ-ପ୍ଲଟ କେଳେଙ୍କାରୀକୁ ନେଇ ତ କେତେବେଳେ ଭିଜିଲାନ୍ସ ଚଢ଼ାଉକୁ ନେଇ କର୍ମଚାରୀଙ୍କଠୁ ନେଇ ଅଧିକାରୀଙ୍କ ଯାଏ ସମସ୍ତେ ଦୁର୍ନାମ ମୁଣ୍ଡାଇଥିଲେ। ସବୁଠୁ ଅଧିକ ପଞ୍ଜୀକରଣ ଓ ସବୁଠୁ ଅଧିକ ରାଜସ୍ୱ ଦେଉଥିବା ଏହି ଅଫିସକୁ କଳଙ୍କମୁକ୍ତ କରିବେ କଅଣ। କାମାକ୍ଷାନଗରରୁ ଆଣି ଖଣ୍ଡଗିରି ସବ-ରେଜିଷ୍ଟ୍ରାର ଅଫିସରେ ସରକାର ବସାଉ ବସାଉ କଳଙ୍କର ଛିଟା ଲଗାଇଦେଲେ ସବ-ରେଜିଷ୍ଟ୍ରାର ଅର୍ଚ୍ଚନା। କାଶୀପୁର ମୌଜାର ୬୪୫ ଡିସିମିଲ ମନ୍ଦିର ଜମିକୁ ସ୍ଥିତିବାନ ଦର୍ଶାଇ ରେଜିଷ୍ଟ୍ରେସନ ହୋଇଗଲା। କିନ୍ତୁ ନା ନେଟ୍ରୁ ଏହାର ସତ୍ତ୍ୱ ଯାଞ୍ଚ କଲେ ନା ଦଲିଲ ସହ ସଂଲଗ୍ନ ପଟ୍ଟାରେ ହୋଇଥିବା ଚଞ୍ଚକତା ଧରିପାରିଲେ। ଯଦିଓ ଯାଞ୍ଚ କରି ଚଞ୍ଚକତା ଧରିବା କାମ ଥିଲା ସବ-ରେଜିଷ୍ଟ୍ରାରଙ୍କର। ନକ୍ଷତ୍ର ନ୍ୟୁଜରେ ଏଭଳି କେଳେଙ୍କାରୀକୁ ନେଇ ଅନୁସନ୍ଧାନମୂଳକ ରିପୋର୍ଟ ପ୍ରକାଶିତ ପରେ ଛାନିଆ ସବ-ରେଜିଷ୍ଟ୍ରାର ନିଜ ଉପରୁ ଦୋଷ ଛଡ଼ାଇବାକୁ ତରବରିଆ ଭାବେ ବଡ଼ଗଡ଼ ଥାନାରେ ଏତଲା ଦେଇଦେଲେ। କିନ୍ତୁ କଥା ପଡ଼ିଛି, ସବ-ରେଜିଷ୍ଟ୍ରାର ନିଜ ଦାୟିତ୍ୱ ସଠିକ ଢଙ୍ଗରେ ନିର୍ବାହ କରିଥିଲେ କି। ଜୁଲାଇ ୧୬ରେ ଜଏନ କଲେ ଅର୍ଚ୍ଚନା। କିନ୍ତୁ ୧୫ଟା ଦିନ ଯାଇନି, ଖଣ୍ଡଗିରି ସବରେଜିଷ୍ଟ୍ରାର ଅଫିସରେ ଭ୍ରଷ୍ଟାଚାରର ଆଉ ଏକ ଫର୍ଦ୍ଦ ଯୋଡ଼ିଦେଲେ। ପୁଲିସକୁ ସିନା ଏତଲାରେ କହିଦେଲେ, ଅଭିଯୁକ୍ତଙ୍କ ପ୍ରତି ଆଇନଗତ ଆକ୍ସନ ନିଅ। ହେଲେ ସରକାରଙ୍କ ନଜରରେ ଓ ଆଇନଗତ ଦୃଷ୍ଟିରୁ ନିଜେ ସେ ବି ଜଣେ ଅଭିଯୁକ୍ତ, ଏକଥା କେମିତି ଭୁଲିଗଲେ। ଯିଏ ନିଜର ଦାୟିତ୍ୱ ତୁଲାଇପାରୁନାହାନ୍ତି। ଅର୍ଚ୍ଚନାଙ୍କ ଭଳି ଅଫିସରଙ୍କୁ ଖଣ୍ଡଗିରି ଭଳି ସବୁଠୁ ଅଧିକ କିଣାବିକା ଓ ରାଜସ୍ୱ ଦେଉଥିବା ସବ-ରେଜିଷ୍ଟ୍ରାର ଅଫିସରେ ପୋଷ୍ଟିଂ କରି ସରକାରଙ୍କୁ ବୁମେରାଂ ହେଲାନି ତ। ପ୍ରଶ୍ନ ଉଠୁଛି, ଭୂଲେଖରେ ବ୍ରହ୍ମୋତ୍ତର, କିନ୍ତୁ ଖତିଆନରେ ସ୍ଥିତିବାନ ହେଲା କେମିତି। ଖତିଆନ ବଦଳାଇବା ପଛରେ କେଉଁମାନେ ଅଛନ୍ତି। ସବ-ରେଜିଷ୍ଟ୍ରାର ନିଜକୁ ନିଜେ ନିର୍ଦୋଷ ବୋଲି କେମିତି କହୁଛନ୍ତି। କେବଳ ସବ-ରେଜିଷ୍ଟ୍ରାର ନୁହଁନ୍ତି, ବଡ଼ ବାବୁ ଭିକାରୀ ପୃଷ୍ଟି ବି ସମଦୋଷୀ ବୋଲି ଅଙ୍ଗୁଳି ଉଠିଛି। ଯିଏ କେଳେଙ୍କାରୀ କରି ବିକିଦେଲା, ସେ ଯେତିକି ଦୋଷୀ। ସବ-ରେଜିଷ୍ଟ୍ରାର ଓ ବଡ଼ ବାବୁ ବି ବି ସେତିକି ଦୋଷୀ। କାରଣ ଜମି ପଞ୍ଜୀକରଣ ବେଳେ ସତ୍ତ୍ୱ ଠିକ୍ ଅଛି କି ନାହିଁ, ତାକୁ ଯାଞ୍ଚ କରିବା ବଡ଼ ବାବୁ ଓ ସବରେଜିଷ୍ଟ୍ରାରଙ୍କ ଉଭୟ ଦାୟିତ୍ୱ ଥିଲା। କାହିଁକି ଭୂଲେଖ ଓ୍ୱେବସାଇଟରେ ମାରିକି କେହି ଦେଖିଲେନି। ଯେଉଁ ପଟ୍ଟାକୁ ଜାଲିଆତି କରି ସତ୍ତ୍ୱକୁ ସ୍ଥିତିବାନ କରାଯାଇଥିଲା, ତାହା କେତେଦୂର ଠିକ, କେହି କଅଣ ଅନୁଧ୍ୟାନ କରିବା ଜରୁରୀ ନଥିଲା କି।ଏଭଳି କେଳେଙ୍କାରୀକୁ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଏ ଖବର ତାଙ୍କ ଦୃଷ୍ଟିକୁ ଆସିବା ମାତ୍ରେ ସେ ରାଜସ୍ୱ ବିଭାଗର ଅତିରିକ୍ତ ଶାସନ ସଚିବ ଦେଓରଞ୍ଜ ସିଂଙ୍କୁ ଏହାର ତଦନ୍ତ ନିର୍ଦେଶ ଦେଇଛନ୍ତି। ଏ କେଳେଙ୍କାରୀରେ ଯିଏ ବି ସଂପୃକ୍ତ କେହି ନିସ୍ତାର ପାଇବେନି ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ଯାହା ଦଣ୍ଡ ମିଳିବ, ତାହା ସମସ୍ତଙ୍କ କଳ୍ପନା ବାହାରରେ ହେବ। ସବ-ରେଜିଷ୍ଟ୍ରାର ଅଫିସକୁ କେଳେଙ୍କାରୀମୁକ୍ତ କରିବାକୁ ସରକାର ପ୍ରତିବଦ୍ଧ ଦେଖାଇଲେ କଅଣ ହେବ। ଯାହାକୁ ତ ସୁନାମୁଣ୍ଡା ଓ ଦୁର୍ନୀତିମୁକ୍ତ ଭାବି ଚୌକି ଦେଇଥିଲେ, ସେ ନା ନିଜ ଚୌକିର ଗାରିମା ରଖିପାରିଲେ ନା ଅଫିସକୁ ବିଶ୍ୱାସଭାଜନ କରିପାରିଲେ। ଯାହାକି ବିଡ଼ମ୍ୱନା।
Naxatra News is now on Whatsapp
Join and get latest news update delivered to you via whatsapp
Join Now