ଆରଜି କର ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣୀ ହୋଇଛି। ଡାକ୍ତରଙ୍କ ଆନ୍ଦୋଳନରୁ ୨୩ ରୋଗୀଙ୍କ ମୃତ୍ୟୁ ନେଇ ପଶ୍ଚିମବଙ୍ଗ ସରକାର ସୁପ୍ରିମକୋର୍ଟକୁ ଅବଗତ କରାଇଛନ୍ତି। ଆରଜି କର ହସ୍ପିଟାଲରେ ବ୍ୟାପକ ଭଙ୍ଗାରୁଜା ନେଇ ବି ନିଜର ଷ୍ଟାଟସ ରିପୋର୍ଟ ଦାଖଲ କରିଛନ୍ତି ସରକାର। ସିବିଆଇ ବି ଏଯାଏ ହୋଇଥିବା ତଦନ୍ତର ଅଗ୍ରଗତି ସମ୍ପର୍କିତ ରିପୋର୍ଟ ଦାଖଲ କରିଛି। କିନ୍ତୁ ସିବିଆଇକୁ ଆଉ ଏକ ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ସପ୍ତାହକର ମହଲତ ଦେଇଛନ୍ତି କୋର୍ଟ।
ବହୁ ଚର୍ଚ୍ଚିତ କୋଲକାତା କାଣ୍ଡ ଉପରେ ସୁପ୍ରିମକୋର୍ଟରେ ଶୁଣାଣୀ ଜାରି ରହିଛି। ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ପରେ ପୀଡ଼ିତାଙ୍କୁ ନ୍ୟାୟ, ସ୍ୱାସ୍ଥ୍ୟକର୍ମୀ ଓ ଡାକ୍ତରଙ୍କ ସୁରକ୍ଷା ଦାବି କରି ଜାରି ରହିଛି ଆନ୍ଦୋଳନ। ଡାକ୍ତରଙ୍କ ଆନ୍ଦୋଳନ ଲାଗି ସେବାରୁ ବଞ୍ଚିତ ୨୩ ରୋଗୀଙ୍କ ମୃତ୍ୟୁ ହୋଇଛି ବୋଲି ସୁପ୍ରିମକୋର୍ଟକୁ ଅବଗତ କରାଇଛନ୍ତି ପଶ୍ଚିମବଙ୍ଗ ସରକାର। ଯେବେ ଡାକ୍ତର ଆନ୍ଦୋଳନ କରୁଥିଲେ, ହସ୍ପିଟାଲରେ କାର୍ଯ୍ୟରତ ନଥିଲେ। ଚିକିତ୍ସା ଅଭାବରୁ ୨୩ ଜଣଙ୍କ ମୃତ୍ୟୁ ହେଲା। ଗଲା ଶୁଣାଣୀରେ ସର୍ବୋଚ୍ଚ ଅଦାଲତ ଆନ୍ଦୋଳନରତ ଡାକ୍ତରଙ୍କୁ ତୁରନ୍ତ କାମରେ ଯୋଗ ଦେବାକୁ କହିଥିଲେ। ଜଷ୍ଟିସ୍ ଓ ମେଡିସିନ୍ କୌଣସି ଆଳରେ ବି ବନ୍ଦ ହୋଇପାରିବନି। ସେପଟେ ପଶ୍ଚିମବଙ୍ଗ ସରକାର ସହଯୋଗ କରୁନଥିବାର ଆଉ ଏକ ଆରୋପ ଲଗାଇଛି କେନ୍ଦ୍ର। ଆରଜି କର ହସ୍ପିଟାଲରେ ମୁତୟନ ହୋଇଥିବା ସିଆଇଏସଏଫ ଜବାନଙ୍କୁ ରାଜ୍ୟ ସରକାର ସହଯୋଗ କରୁନାହାନ୍ତି। ମୁତୟନ ଥିବା ସିଆଇଏସଏଫର ମହିଳା ବାଟାଲିଅନକୁ ରହିବା ବ୍ୟବସ୍ଥା କରୁନାହାନ୍ତି ସରକାର। ଏଭଳି ଅସହଯୋଗକୁ ବ୍ୟବସ୍ଥାଗତ ତୃଟି ବୋଲି ଦର୍ଶାଇଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ। ଏହା ଏକ ଗମ୍ଭୀର ପ୍ରସଙ୍ଗ। ଅକ୍ଷମଣୀୟ। ଏହାକୁ ଅଦାଲତ ନିଜ ଆଡ଼ୁ ସଂଜ୍ଞାନ ନେଇ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦିଅନ୍ତୁ ବୋଲି କହିଥିଲେ ସିଲିସିଟର ଜେନେରାଲ ତୁଷାର ମେହେଟ୍ଟା। ପ୍ରଧାନ ବିଚାରପତି ଜଷ୍ଟିସ ଡି.ଓ୍ୱାଇ.ଚନ୍ଦ୍ରଚୂଡ଼ଙ୍କ ଆଗରେ କପିଲ ଶିବଲ ଓ ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କ ଭିତରେ ଜୋରଦାର ତର୍କ ଦେଖିବାକୁ ମିଳିଥିଲା। ସିବିଆଇକୁ ତଦନ୍ତର ଷ୍ଟାଟସ ରିପୋର୍ଟ ପୁଣି ମାଗିଛନ୍ତି ସର୍ବୋଚ୍ଚ ଅଦାଲତ। ଆଗରୁ ପଶ୍ଚିମବଙ୍ଗ ସରକାର ଆରଜି କର ହସ୍ପିଟାଲରେ ବ୍ୟାପକ ଭଙ୍ଗାରୁଜା ସମ୍ପର୍କିତ ଷ୍ଟାଟସ ରିପୋର୍ଟ ଦାଖଲ କରିଥିଲା ବେଳେ ସିବିଆଇ ବି ତଦନ୍ତର ଅଗ୍ରଗତି ନେଇ ରିପୋର୍ଟ ଦେଇଥିଲା। ସିବିଆଇର ଯାଞ୍ଚ ନେଇ କୌଣସି ଟିପ୍ପଣୀ କରିବାକୁ ଚାହୁଁନୁ ବୋଲି କହିବା ସହ ସପ୍ତାହକ ଭିତରେ ଆଉ ଏକ ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ସିବିଆଇକୁ ନିର୍ଦେଶ ଦେଇଛନ୍ତି ସିଜେଆଇ।
ସେହିଭଳି ସିବିଆଇକୁ ସିସିଟିଭି ଫୁଟେଜ ସମେତ ସମସ୍ତ ଦସ୍ତାବିଜ୍ ହସ୍ତାନ୍ତର ହୋଇଛି କି ନାହିଁ ବୋଲି ଜାଣିବାକୁ ଚାହିଁଥିଲେ ସିଜେଆଇ। ଅଭିଯୁକ୍ତ ସେମିନାର ହଲକୁ କେତେବେଳେ ଗଲା ଓ ବାହାରିଥିଲା। ୮.୩୦ରୁ ୧୦ଟା ୪୫ ଭିତରେ ସିସିଟିଭି ଫୁଟେଜର ୪ଟି କ୍ଲିପିଙ୍ଗ ଓ ୨୭ ମିନିଟର ଭିଡ଼ିଓ ପାଇଛୁ ବୋଲି କହିଛି ସିବିଆଇ। ସିବିଆଇ ନିଜର ତଦନ୍ତ ଜାରି ରଖୁ ବୋଲି କହିଛନ୍ତି ଅଦାଲତ। ଏତଲା ରୁଜୁ କରିବାକୁ କାହିଁକି ୧୪ ଘଣ୍ଟା ଡେରି ହେଲା ବୋଲି ଜାଣିବାକୁ ଚାହିଁଥିଲେ ବିଚାରପତି।
ମାମଲାର ପରବର୍ତ୍ତୀ ଶୁଣାଣୀ ସେପ୍ଟେମ୍ୱର ୧୭ରେ ହେବ।
Naxatra News is now on Whatsapp
Join and get latest news update delivered to you via whatsapp
Join Now