ରୁଷ ପର୍ଯ୍ୟଟକ ମୃତ୍ୟୁ: ତନାଘନା କରୁଛି କ୍ରାଇମବ୍ରାଞ୍ଚ

Spread the love

ରାୟଗଡା:  ବହୁ ଚର୍ଚ୍ଚିତ ରୁଷ ପର୍ଯ୍ୟଟକଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ରାୟଗଡାରେ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରହିଛି । କ୍ରାଇମବ୍ରାଞ୍ଚର ୬ ଜଣିଆ ଟିମ ହୋଟେଲ ସାଇ ଇଣ୍ଟରନାସନାଲର କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କ ସମେତ ହୋଟେଲ ମାଲିକଙ୍କୁ ତୃତୀୟ ଦିନରେ ଜେରା କରିଛନ୍ତି।  ସେପଟେ ପୁଲିସ ଡିଜି କହିଛନ୍ତି କ୍ରାଇମବ୍ରାଞ୍ଚର ଦକ୍ଷ ଅଫିସର ମାନେ ଘଟଣାର ତଦନ୍ତ କରୁଛନ୍ତି ।

ରୁଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣାରେ ରାୟଗଡାର ସାଇ ଇଣ୍ଟରନ୍ୟାସନ୍ୟାଲ ହୋଟେଲରେ କ୍ରାଇମବ୍ରାଞ୍ଚର ଟିମ ତନାଘନା କରୁଛି । କ୍ରାଇମବ୍ରାଞ୍ଚର ୬ ଜଣ ଅଧିକାରୀ ଓ ଫୋରେନସିକ ବିଭାଗ ଡି.ଏସ୍.ପିଙ୍କ ନେତୃତ୍ବରେ ଚାଲିଛି ତଦନ୍ତ। ଗତ ୩ ଦିନ ଧରି ରାୟଗଡା ପୋଲିସ ସହ ଆଲୋଚନା କରି ବୟାନ ରେକର୍ଡ କରିବା ସହିତ ତୃତୀୟ ଦିନ ପାଇଁ ହୋଟେଲରେ କାର୍ଯ୍ୟରତ କର୍ମଚାରୀ ଏବଂ ହୋଟେଲ ମାଲିକ ଅରବିନ୍ଦ ସାହୁଙ୍କୁ ପଚରାଉଚରା କରିଛି କ୍ରାଇମବ୍ରାଞ୍ଚ ଟିମ । ଏଥିସହ ଋଷୀୟ ନାଗରିକ ଓ ତାଙ୍କ ଗାଇଡ ଜିତେନ୍ଦ୍ର ସିଂ ରହୁଥିବା ରୁମ ଭିତରୁ ମଧ୍ୟ ଅନେକ ଜିନିଷ ଜବତ କରିଛନ୍ତି । ଅନ୍ୟପଟେ ମୃତକଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଯାଇଛି। ପାଭେଲ ଆନ୍ଥେମଙ୍କ ବାମପାର୍ଶରେ ଜୋରରେ ଆଘାତ ଲାଗିବା ସହ ତାଙ୍କ ଫୁସଫୁସ, ହୃତପିଣ୍ଡ ଏବଂ ଯକୃତରେ ଆଘାତ ଯୋଗୁଁ ମୃତ୍ୟୁବରଣ କରିଥିବା ଡାକ୍ତର ଦର୍ଶାଇଛନ୍ତି  ।

ସେପଟେ ଆଜି ରୁଷିଆ ନାଗରିକଙ୍କ ମୃତ୍ୟୁ ଘଟଣାକୁ ନେଇ ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ରୁଷିଆ ନାଗରିକଙ୍କ ମୃତ୍ୟୁ ଘଟଣାରେ କ୍ରାଇମବ୍ରାଞ୍ଚର ବଛା ବଛା ଅଫିସର ତଦନ୍ତର ଦାୟିତ୍ବରେ ରହିଛନ୍ତି। ଏଯାଏଁ କୌଣସି ଫାଉଲ ପ୍ଲେ ଥିବା ଜଣାପଡିନାହିଁ। ଯଦି ଆବଶ୍ୟକ ପଡେ ଇଣ୍ଟରପୋଲର ସହାୟତା ନିଆଯିବ। ଦିନ ଯେତିକି ବଢୁଛି ରୁଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁକୁ ନେଇ ସସପେନ୍ସ ସେତିକି ବଢୁଛି । ଘଟଣାକୁ ୮ଦିନ ବିତିଯାଇଥିଲେ ମଧ୍ୟ ଘଟଣା ନେଇ ସେମିତି କିଛି ଠୋସ ପ୍ରମାଣ ମିଳିପାରିନାହିଁ।

ଜି.ଶ୍ରୀନିବାସ

Leave a Reply

Your email address will not be published. Required fields are marked *